ବାରିପଦା, ୨ ସେପ୍ଟେମ୍ବର (ହି.ସ.)- ଦୁର୍ନୀତି ପାଇଁ ମୟୁରଭଞ୍ଜ ଜିଲ୍ଲାର ଜାମଦା ତହସିଲଦାର ମଧୁସ୍ମିତା ସିଂ ଗିରଫ ହୋଇଛନ୍ତି। ୪ କୋଟି ସରକାରୀ ଟଙ୍କା ଆର୍ଥିକ ହେରଫେର ନେଇ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ତାଙ୍କୁ ଗିରଫ କରିଛନ୍ତି। ତାଙ୍କୁ ରାଜ୍ୟ ସରକାର ସରକାରୀ ଚାକିରିରୁ ନିଲମ୍ବନ କରିବା ପରେ ମଙ୍ଗଳବାର ସେ ଗିରଫ ହୋଇଛନ୍ତି।
ସୂଚନାଯୋଗ୍ୟ, ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ପୋୖରପାଳିକାରେ ତତ୍କାଳୀନ କାର୍ଯ୍ୟନିର୍ବାହୀ ଅଧିକାରୀ ମଧୁସ୍ମିତା ସିଂ କାର୍ଯ୍ୟରତ ଥିବା ବେଳେ ଦୁର୍ନୀତି କରିଛନ୍ତି। ଯାହାକୁ ସ୍ବତନ୍ତ୍ର ଅଡିଟ୍ ଯାଞ୍ଚ କରି ରାଜସ୍ୱ ବିଭାଗ ପାଖରେ ରିପୋର୍ଟ ଦାଖଲ କରିଥିଲେ। ୪ କୋଟିରୁ ଊର୍ଦ୍ଧ୍ଵ ଟଙ୍କା ହେରଫେର ନେଇ ସଙ୍ଗୀନ ଅଭିଯୋଗ ହୋଇଥିଲା। ପ୍ରଥମେ ବେଲପାହାଡ଼ ପୁଲିସ ଏକ ମାମଲା ରୁଜୁ କରି ତତ୍କାଳୀନ ଆକାଉଣ୍ଟାଣ୍ଟ ବିଭୁତି ସାହୁକୁ ଗିରଫ କରିଥିଲେ। ଏହାପରେ ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଥିବାବେଳେ ଆର୍ଥିକ ଅନିୟମିତତା ଯୋଗୁଁ ଭିଜିଲାନ୍ସ କୋର୍ଟରେ ମଧୁମିତା ସିଂ ଦଣ୍ଡିତ ହେବା ପରେ ଗତ ଅଗଷ୍ଟ ୩୦ ତାରିଖରେ ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ ପକ୍ଷରୁ ନିଲମ୍ବନ କରାଯାଇଥିଲା। ଏହାପରେ ଆଜି ତାଙ୍କୁ ଗିରଫ କରାଯାଇଛି। ମଧୁସ୍ମିତା ସିଂ ମୟୂରଭଞ୍ଜ ଜିଲ୍ଲା ଜାମଦାର ତହସିଲଦାର ଭାବେ କାର୍ଯ୍ୟରତ ଥିଲେ। ଏହି ଦୁର୍ନୀତି ନେଇ ଅର୍ଥନୈତିକ ଅପରାଧ ଶାଖା ତଦନ୍ତ ଜାରି ରଖିଛନ୍ତି। ତାଙ୍କୁ ଅଧିକ ପଚରା ଉଚରା କରିବା ପରେ ଆଗାମୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ