କୋରେଇ, ୦୨ ସେପ୍ଟେମ୍ବର (ହି.ସ) - ରାସ୍ତା ଦୁର୍ଘଟଣାରେ ମୃୁତ ବ୍ୟକ୍ତିଙ୍କ ଶବ ସତ୍କାର, ଗୁରୁତର ଆହତ ମାନଙ୍କୁ ଡ଼ାକ୍ତରଖାନାକୁ ସ୍ତାନାନ୍ତର, ରକ୍ତଦାନ, ଚାରାରୋପଣ ଆଦି ସମାଜର ଉନ୍ନତିମୂଳକ କାର୍ଯ୍ୟ କରି ସ୍ଥାନୀୟ ଅଂଚଳରେ ପ୍ରଶଂସା ସାଉଁଟିଥିବା ପାଣିକୋଇଲିର ସ୍ୱେଚ୍ଛାସେବୀ ସଂଗଠନ ଆମେ ଆପଣଙ୍କ ପାଇଁ ହେଲପିଙ୍ଗ ଗ୍ରୁପର ସଦସ୍ୟ ମାନେ ଏକ ମୋବାଇଲଟିଏ ପାଇ ପାଣିକୋଇଲି ଥାନାରେ ପ୍ରଦାନ କରିଛନ୍ତି। ପ୍ରକାଶଯେ ଗ୍ରୁପର କୋଷାଧକ୍ଷ ହରେକୃଷ୍ଣ ସାହୁ ପାଣିକୋଇଲି ବଜାରରେ ଏକ ଚାହା ଦୋକାନରେ ଚା ପିଉଥିବା ବେଳେ ଗୋଟିଏ ମୋବାଇଲ ପଡ଼ିଥିବାର ଦେଖିଥିଲେ। ପରେ ଏ ନେଇ ଗ୍ରୁପର ସଭାପତି ଅଶୋକ କୁମାର ଦାସଙ୍କୁ ଜଣାଇ ଥିଲେ। ଶ୍ରୀ ଦାସ ଏହି ମୋବାଇଲକୁ ଥାନାର ସବଇନିସପେକ୍ଟର ପ୍ରଶାନ୍ତ କୁମାର ଦାଶଙ୍କ ଜିମା ଦେଇଥିଲେ। ଏଥି ସହିତ ଉପଯୁକ୍ତ ପ୍ରମାଣ ଦେଇ ଉକ୍ତ ମୋବାଇଲଟିକୁ ନେଇଯିବାକୁ ଗ୍ରୁପର ସଭାପତି ଓ କୋଷାଧ୍ୟକ୍ଷ ସମେତ ଥାନାଧିକାରୀ ରଂଜିତ ମହାନ୍ତି ଜଣାଇଥିଲେ। ଗ୍ରୁପର ଏଭଳି କାର୍ଯ୍ୟ ସ୍ଥାନୀୟ ଅଂଚଳରେ ପ୍ରଶଂସିତ ହେଇଛି।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ