ବାରିପଦା, ୨ ସେପ୍ଟେମ୍ବର (ହି.ସ.)- ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ଛାତ୍ର ହଷ୍ଟେଲ-୧ର ରୋଷେଇ ଘରେ ଅଗ୍ନିକାଣ୍ଡ ଘଟଣାକୁ ନେଇ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ହଷ୍ଟେଲରେ ଅଗ୍ନିକାଣ୍ଡରୁ ସୁରକ୍ଷା ନିମନ୍ତେ ଅଗ୍ନି ନିର୍ବାପକ ଯନ୍ତ୍ର ନଥିବା ବେଳେ ଅସୁରକ୍ଷିତ ଭାବେ ଛାତ୍ରଛାତ୍ରୀ ମାନେ ରହୁଛନ୍ତି। ଉକ୍ତ ଅବ୍ୟବସ୍ଥାକୁ ନେଇ ଛାତ୍ରଛାତ୍ରୀ ମାନେ ୪ ଦଫା ଦାବି ଉପସ୍ଥାପନ କରି ଆନ୍ଦୋଳନ କରିଛନ୍ତି। ଯାହାକୁ ନେଇ ମଙ୍ଗଳବାର ସକାଳ ପ୍ରାୟ ୧୦ଟା ଠାରୁ ବିଶ୍ୱବିଦ୍ୟାଳୟ ସମ୍ମୁଖ ଫାଟକ ବନ୍ଦ କରି ବର୍ଷାରେ ଭିଜି ଧାରଣାରେ ବସିଛନ୍ତି। ହଷ୍ଟେଲରେ ଅଗ୍ନି ନିର୍ବାପକ ସୁବିଧା ନଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କ ଜୀବନ ସହ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଖେଳୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଏହା ସହିତ ଶୌଚାଳୟ, ମରାମତି କାର୍ଯ୍ୟ, ୱାଇ ଫାଇ ଓ ଅନ୍ୟାନ୍ୟ ଅସୁବିଧା ସବୁ ରହିଛି। ଯାହାର ବାରମ୍ବାର ଅଭିଯୋଗ କରିଲେ ସୁଦ୍ଧା କୌଣସି ସମାଧାନ ହେଉନାହିଁ। ଏନେଇ ବିଭିନ୍ନ ଦାବିରେ ଛାତ୍ରଛାତ୍ରୀ ମାନେ ଆନ୍ଦୋଳନ କରିଛନ୍ତି। ଦାବି ପୁରଣ ନହେବାଯାଏ ଆନ୍ଦୋଳନ ଜାରି ରହିବ ବୋଲି ଜିଦରେ ଅଡି ରହିଛନ୍ତି। ଛାତ୍ରଛାତ୍ରୀ ମାନେ ପ୍ରତି ବର୍ଷ ହଷ୍ଟେଲ ଫି ପୈଠ କରୁଛନ୍ତି। କିଛି ଛାତ୍ରଙ୍କ ଠାରୁ ଅଧିକ ଫି ଆଦାୟ କରାଯାଇଛି ବୋଲି ମଧ୍ୟ ଆନ୍ଦୋଳନରତ ଛାତ୍ର ଅଭିଯୋଗ କରିଛନ୍ତି। କିନ୍ତୁ, ହଷ୍ଟେଲର ଉନ୍ନତିକରଣ କାର୍ଯ୍ୟ ଓ ସୁରକ୍ଷା ପ୍ରତି କର୍ତ୍ତୃପକ୍ଷ ଆଖି ବୁଜି ଦେଇଛନ୍ତି। ଯାହାକି ଆଜିର ଘଟଣାରୁ ଜଣାପଡିଛି। ଏନେଇ କର୍ତ୍ତୃପକ୍ଷଙ୍କୁ ଜଣାଇଲେ ସୁଦ୍ଧା ସମସ୍ତେ ଅନ୍ୟକୁ ଦୋଷ ଠେଲି ଦେଉଛନ୍ତି। ବିଶ୍ୱବିଦ୍ୟାଳୟକୁ ସ୍ଥାୟୀ କୁଳପତି ମିଳିପାରୁନଥିବାରୁ ଆଜି ଅବ୍ୟବସ୍ଥାରେ ବିଶ୍ୱବିଦ୍ୟାଳୟ ଚାଲିଛି। ତେଣୁକରି ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନ ପ୍ରତି ବଦଳରେ ତାଙ୍କୁ ମୃତ ମୁଖକୁ ଠେଲି ଦିଆଯାଇଛି ବୋଲି ଅଭିଯୋଗ କରିଛନ୍ତି। ଅନ୍ୟପଟେ ରୋଷେଇ ଘରେ ଗ୍ୟାସ ସିଲିଣ୍ଡରର ରେଗୁଲେଟର ଖରାପ ଥିବା ବେଳେ ତାହାକୁ ପରିବର୍ତ୍ତନ କରିବା ପାଇଁ ବାରମ୍ବାର ହଷ୍ଟେଲ ପରିଚାଳକକୁ ଜଣାଯାଇଥିବା ନେଇ ରୋଷେୟା ଦେବଦତ୍ତ ତାଣ୍ଡି କହିଛନ୍ତି। କିନ୍ତୁ, ତାହା ପରିବର୍ତ୍ତନ ନକରି ବାରମ୍ବାର ମରାମତି କାର୍ଯ୍ୟ କରି ରୋଷେଇ କାର୍ଯ୍ୟ ହେଉଥିଲା। କର୍ତ୍ତୃପକ୍ଷଙ୍କୁ ଜଣାଇଲେ ମଧ୍ୟ ନୂଆ ରେଗୁଲେଟର ବଦଳରେ ପୁରୁଣାରେ କାର୍ଯ୍ୟ କରାଇବାକୁ କୁହାଯାଇଥିଲା। ଯାହାକୁ ନେଇ ୩ଦିନ ପୂର୍ବେ ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଲିକ ହୋଇଥିଲା। କିନ୍ତୁ ତାହାକୁ ରୋଷେୟା ମାନେ ଅଟକାଇ ଦେଇଥିଲେ। କିନ୍ତୁ, ଆଜି ସକାଳ ୭ଟା ସମୟରେ ରୋଷେଇ ବେଳେ ଗ୍ୟାସ ଲିକ ହୋଇଥିଲା। ଯାହାକୁ ଅଟକାଇବାରେ ସମସ୍ତେ ବିଫଳ ହୋଇଥିଲେ। ରେଗୁଲେଟର ଦେଇ ଗ୍ୟାସ ନିର୍ଗତ ହୋଇ ଜୋର ଅଗ୍ନିକାଣ୍ଡ ହୋଇଥିଲା। ଭାଗ୍ୟବଶତଃ ରୋଷେୟାଙ୍କ ଉପସ୍ଥିତ ବୁଦ୍ଧି ପାଇଁ ସିଲିଣ୍ଡର ଫାଟିବାରୁ ବର୍ତ୍ତି ଯାଇଛି। ତେବେ ରୋଷେୟା ଆହତ ହେବା ସହ ରୋଷେଇ ଘର ଆସବାବ ପତ୍ର ପୋଡି ଜଳି ନଷ୍ଟ ହୋଇଛି। ଯାହାକୁ ନେଇ ଛାତ୍ରଛାତ୍ରୀ ମାନେ ଅସନ୍ତୋଷ ପ୍ରକାଶ କରି ଧାରଣା ଦେଇଥିଲେ। ଆନ୍ଦୋଳନରତ ଛାତ୍ରଛାତ୍ରୀ ମାନଙ୍କ ସହିତ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ, ତହସିଲଦାର ଓ ପୁଲିସ ଅଧିକାରୀ ମାନେ ଆଲୋଚନା କରିଥିଲେ। ଦାବି ଗୁଡ଼ିକ ପୂରଣ ନେଇ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ସ୍ଥଗିତ ରହିଛି। ତେବେ ୪ ଦଫା ଦାବି ତୁରନ୍ତ ପୂରଣ ନହେଲେ ପୁନଃ ଆନ୍ଦୋଳନ କରାଯିବ ବୋଲି ଛାତ୍ରଛାତ୍ରୀ ମାନେ ଚେତାବନୀ ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ