ପୁରୀ, ୨ ସେପ୍ଟେମ୍ବର (ହି.ସ.)- ରାଜ୍ଯ ପୋଲିସ ପକ୍ଷରୁ ଚାଲିଥିବା ଅପରେସନ ଅନ୍ବେଷଣ କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ପୋଲିସ ରାଜ୍ଯରେ ପ୍ରଥମ ସ୍ଥାନ ଅଧିକାର କରି ଗୌରବ ଆଣିଦେଇଛି । ୫ ଦିନରେ ୪୫ ଶିଶୁଙ୍କୁ ପୁରୀ ପୋଲିସ ଉଦ୍ଧାର କରିଛି । ୫୦୪ ମହିଳାଙ୍କୁ ଉଦ୍ଧାର କରି ପୁରୀ ପୋଲିସ ବଡ ସଫଳତା ପାଇପାରିଛି । ଜନ ସାଧାରଣଙ୍କ ସୁରକ୍ଷା, କଳ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧ । ଏହି କାର୍ଯ୍ୟକ୍ରମରେ ପୁରୀ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଅପରେସନ୍ ଅନ୍ବେଷଣ ଚାଲୁଅଛି । ଏହି ଅଭିଯାନରେ ହଜି ଯାଇଥିବା ଶିଶୁ ଓ ମହିଳାଙ୍କୁ ଉଦ୍ଧାର କରି ସୁରକ୍ଷିତ ଭାବେ ରଖିବା ମୁଖ୍ଯ ଉଦ୍ଦେଶ୍ଯ ରହିଛି । ଏହା ଅଭିଯାନରେ ପୁରୀ ଜିଲ୍ଲାର ସବୁ ଥାନା ସହ ସ୍ବତନ୍ତ୍ର ଟିମ ଅଂଶଗ୍ରହଣ କରିଥିଲେ । ପୁରୀ ପୋଲିସ ଜିଲ୍ଲା ଓ ରାଜ୍ଯ ବାହାରୁ ମଧ୍ୟ ଶିଶୁ ଓ ମହିଳାଙ୍କୁ ଉଦ୍ଧାର କରିଛି ।
ବିବାହ ବିବାଦ, ଅର୍ଥନୈତିକ ସମସ୍ୟା ଓ ସାମାଜିକ କାରଣରୁ ୫୦୪ ମହିଳା ନିଖୋଜ ହୋଇଥିଲେ । ସେମାନଙ୍କୁ ଉଦ୍ଧାର କରି ପରିବାର ଜିମା ଦେଇଛି । ଏହି ଅଭିଯାନରେ ମହିଳା ଓ ଶିଶୁ ସେଲ୍, ସାଇବର ପୋଲିସ୍ ଓ କ୍ରାଇମ୍ ବ୍ରାଞ୍ଚର ସହଯୋଗ କରିଥିଲେ। ଏହି ଅଭିଯାନର ସଫଳତାର ପଛରେ ଡିଜିଟାଲ୍ ଟ୍ରାକିଂ, ସରଭିଲାନ୍ସ୍, ସ୍ଥାନୀୟ ଗୁପ୍ତ ସୂଚନା ଓ ଇଣ୍ଟର୍-ଷ୍ଟେଟ୍ ସମନ୍ୱୟ କାର୍ଯ୍ଯକୁଶଳ ବ୍ଯବହାର କରାଯାଇଥିଲା ।
ଏ ସଂପର୍କରେ ଏସପି ପ୍ରତୀକ ସିଂଙ୍କ କୁହନ୍ତି, ଅପରେସନ୍ ଅନ୍ବେଷଣ କେବଳ ସଂଖ୍ୟାର ସଫଳତା ନୁହେଁ, ଏହା ହେଉଛି ବିଶ୍ୱାସ ପୁର୍ନସ୍ଥାପନ, ପରିବାର ପୁର୍ନମିଳନ ଏବଂ ମହିଳା ଓ ଶିଶୁଙ୍କ ମର୍ଯ୍ୟାଦା ସୁରକ୍ଷାର ପ୍ରତୀକ । ଏହି ସଫଳତା, ସମାଜ ପାଇଁ ପୁରୀ ପୋଲିସ୍ ର ଅତୁଟ ସଙ୍କଳ୍ପର ପ୍ରତିଚ୍ଛବି । ଏହି ଅଭିଯାନରେ ଉପକୃତ ହୋଇଥିବା ଶିଶୁ ଓ ମହିଳାଙ୍କ ପରିବାର ପୋଲିସର ଏତାଦୃଶ କାର୍ଯ୍ଯ ପାଇଁ କୃତଜ୍ଞତା ଜଣାଇଛନ୍ତି । ଶିଶୁମାନଙ୍କୁ ଚାଇଲ୍ଡଲାଇନ୍/ଚାଇଲ୍ଡ ୱେଲଫେର କମିଟି ସହିତ ସମନ୍ୱୟରେ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି ।
ମହିଳାମାନଙ୍କୁ ଆବଶ୍ୟକ ସହଯୋଗ, ଆଇନଗତ ସହାୟତା ଓ ସୁରକ୍ଷା ପ୍ରଦାନ କରାଯାଇଛି । ପୁରୀ ପୋଲିସ ଅପରେସନ୍ ଅନ୍ବେଷଣକୁ ନିରନ୍ତର ପ୍ରୟାସ ଭାବରେ ଚଳାଇବାକୁ ସଙ୍କଳ୍ପବଦ୍ଧ । ସମୟାନୁସାରେ ବିଶେଷ ଅଭିଯାନ ପ୍ରଚଳିତ ହେବା ସହିତ ଜନସାଧାରଣଙ୍କ ସହିତ ବିଶ୍ୱାସ ବୃଦ୍ଧି, ପ୍ରତିରୋଧମୂଳକ ବ୍ୟବସ୍ଥା, ସଚେତନତା କାର୍ଯ୍ୟକ୍ରମ ଏବଂ ଆଧୁନିକ ପ୍ରଯୁକ୍ତିର ବ୍ୟବହାରକୁ ଅଧିକ ସୁଦୃଢ଼ କରାଯିବ ବୋଲି ପୁରୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ହିନ୍ଦୁସ୍ଥାନ ସମାଚାର / ବିଜୟ