ବଲାଙ୍ଗିର, ୨୧ ସେପ୍ଟେମ୍ବର (ହି.ସ.)- ଆଜିଠାରୁ ବିଶେଷ ରୂପରେ ପୂଜା ପାଉଛନ୍ତି ମା । ପିତୃପକ୍ଷର ଶେଷ ଦିନ ମହାଳୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ ଶ୍ରାଦ୍ଧ ସହିତ ଆଜି ମାଙ୍କ ଧବଳ ମୁଖୀ ବେଶ। ବଲାଙ୍ଗିରରେ ସମଲେଶ୍ଵରୀ ଧବଳ ମୁଖୀ ବେଶରେ ପୂଜା ପାଉଛନ୍ତି। କୁସଂଗ ସ୍ଥିତ ମା କୁସଙ୍ଗେଇ ପୀଠରେ ମଧ୍ୟ ମା ଏହି ରୂପରେ ପୂଜା ପାଉଛନ୍ତି। ବର୍ଷର ସବୁଦିନ ମା ରକ୍ତ ବର୍ଣ୍ଣ ଲୋହିତ ବେଶ ହେଉଥିବା ବେଳେ ଆଜି ମାଙ୍କ ସବୁ ରଙ୍ଗ ଧବଳ ବେଶ। ମା ଶୁଭ୍ର ଧଳା ରଙ୍ଗ ପରିଧାନ କରିଥିବା ବେଳେ ମା ଶୁଭ୍ର ରଙ୍ଗରେ ଶୋଭା ପାଉଛନ୍ତି। ମାଙ୍କ ପୂଜାରେ ଧଳା ଫୁଲ, ଚନ୍ଦନ, ରସଗୋଲା ପ୍ରସାଦ ମଧ୍ୟ ଧଳା ଲାଗିଛି ।
ଆଜି ମା’ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ ହୋଇଛି । ପବିତ୍ର ମହାଳୟା ଅବସରରେ ମା’ ଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ଏହି ବେଶ ଅନୁଷ୍ଠିତ ହୋଇଥାଏ । ଆଜି ମହାଳୟା ଥିବାରୁ ବିଶେଷ ପୂଜାର୍ଚନା କରାଯିବା ସହ ଧବଳମୁଖୀ ବେଶ କରାଯାଇଛି । ମହାଳୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ ପରେ ଗଙ୍ଗା, ଗୟାରେ ସ୍ନାନ କରିବାର ନୀତି ନିୟମ ରହିଛି । ତେବେ ଯେଉଁମାନେ ଗଙ୍ଗା, ଗୟା ଯାଇପାରିନାହାନ୍ତି, ସେମାନେ ପିତୃପୁରୁଷଙ୍କୁ ପିଣ୍ଡଦାନ ପରେ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ ଦର୍ଶନ କରିଥାନ୍ତି । ମାଙ୍କ ଏହି ବେଶକୁ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଏକାଠି ହୋଇଛନ୍ତି ।
ଆଜି ସକାଳୁ ମନ୍ଦିର ଖୋଲିବା ମାତ୍ରେ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଛି। ଦିନ ତମାମ ଭିଡ଼ ଥିବାବେଳେ ସାନ୍ଧ୍ୟ ଦର୍ଶନରେ ଭକ୍ତ ଉତ୍ସାହିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ