ଭଦ୍ରକ, ୨୧ ସେପ୍ଟେମ୍ବର (ହି.ସ.) - କାଲିଠାରୁ ଦେଶରେ ନୂତନ ଜିଏସ୍ଟି ଲାଗୁ ହେବାକୁ ଯାଉଥିବାବେଳେ ସମଗ୍ର ଭାରତ ଏହି ଜିଏସ୍ଟି ୨ୟ ସଂସ୍କାର ଉତ୍ସବକୁ ପାଳନ କରିବାକୁ ଯାଉଛି। ଏହି ଐତିହାସିକ ସଂସ୍କାର ସବୁବର୍ଗର ଲୋକଙ୍କୁ ଉପକୃତ କରିବା ସହ ବୁଦ୍ଧିଜୀବୀଙ୍କ ଆତ୍ମନିର୍ଭର ଭାରତର ସ୍ୱପ୍ନକୁ ଆଉ ପାଦେ ଆଗେଇନେବ ବୋଲି ଆଜି ଭଦ୍ରକ ଜିଲା ବିଜେପି କାର୍ଯ୍ୟାଳୟ ପରିସରରେ ଆତ୍ମନିର୍ଭରଶୀଳ ଭାରତ ଓ ନୂତନ ଜିଏସ୍ଟି ସଂସ୍କାର ଉପରେ ଏକ ଜିଲାସ୍ତରୀୟ କର୍ମଶାଳାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି। ଜିଏସ୍ଟିର ଏହି ସଂସ୍କାର ଫଳରେ ସିଧାସଳଖ ସାଧାରଣ ଲୋକେ ଉପକୃତ ହେବେ। ଏହି ଜିଏସ୍ଟି ୨.୦ ଭାରତର ଚାହିଦା ମେଂଟାଇବାରେ ସହାୟକ ହେବ। ଏବଂ ଯେଉଁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ୧୨% ସ୍ଲାବରେ ଥିଲା, ତାହା ଏବେ ୫% ସ୍ଲାବକୁ ଖସିଆସିଛି। ଏପରିକି ଅନେକ ବସ୍ତୁରେ ଜିଏସ୍ଟି ଲାଗୁ ହୋଇନାହିଁ। ମୋଦିଜୀଙ୍କ ଏହି ଦୂରଦର୍ଶୀ କାରଣରୁ ଭାରତ କେବଳ ବିଶ୍ୱଗୁରୁରେ ପରିଣତ ତାହା ନୁହେଁ, ଅର୍ଥନୈତିକ ଓ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ ହେବାକୁ ଯାଉଛି। ଏହି ଜିଏସ୍ଟି କୃଷି ଠାରୁ ଆରମ୍ଭ କରି ଶିକ୍ଷା ପର୍ଯ୍ୟନ୍ତ, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଠାରୁ ଆରମ୍ଭ କରି ଲାଇଫ୍ ଇନ୍ସ୍ୟୁରାନ୍ସ ପର୍ଯ୍ୟନ୍ତ ଲାଗୁ ହୋଇଥିବାରୁ ୨୫ କୋଟି ଲୋକ ଏଥିରେ ଉପକୃତ ହେବେ। ଏହି ସଂସ୍କାର ଫଳରେ ଅଢେଇ ଲକ୍ଷ କୋଟି ଟଙ୍କା ସିଧାସଳଖ ସଂଚୟ ହୋଇଛି। ଏଣୁ ପ୍ରଧାନମନ୍ତ୍ରୀଙ୍କର ଏହି ଐତିହାସିକ ପଦକ୍ଷେପ ନିମନ୍ତେ ତାଙ୍କୁ ଜିଲାବାସୀଙ୍କ ତରଫରୁ ଧନ୍ୟବାଦ ଜ୍ଞାପନ କରିଥିଲେ ମନ୍ତ୍ରୀ ଶ୍ରୀ ସୁରଜ। ଭଦ୍ରକ ଜିଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି କର୍ମଶାଳାରେ ଜିଲା ସଭାପତି ଭଗବାନ ପଣ୍ଡା ଅଧ୍ୟକ୍ଷତା କରିଥିବାବେଳେ ଏଥିରେ ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ବିଜେପି ନେତା ସୁଧାଂଶୁ ନାୟକ, ବାଣୀକଲ୍ୟାଣ ମହାନ୍ତି, ଅଜୟ ନାୟକ ପ୍ରମୁଖଙ୍କ ସମେତ ସମସ୍ତ ମଣ୍ଡଳ ସଭାପତି, ବରିଷ୍ଠ ନେତୃବୃନ୍ଦ ଓ କର୍ମକର୍ତା ଅଂଶଗ୍ରହଣ କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ