ମାଲକାନଗିରି, ୨୧ ସେପ୍ଟେମ୍ବର (ହି.ସ.) - ପଡ଼ିଆବ୍ଳକ୍ ସଦରମହକୁମାସ୍ଥିତ ଆଂଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଭାଗୃହ ପରିସରରେ ସ୍ୱାମୀ ବିବେକାନନ୍ଦ ଲୋକସଂସଦର ଯୁବଶାଖା ଆନୁକୁଲ୍ୟରେ ସ୍ୱାମୀ ବିବେକାନନ୍ଦ ଓ ଚିକାଗୋ ଧର୍ମ ସମ୍ମିଳନୀ ଶୀର୍ଷିକ ମହାବିଦ୍ୟାଳୟ ସ୍ତରୀୟ ଦ୍ୱିତୀୟ ବକ୍ତୃତାମାଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସ୍ୱାମୀ ବିବେକାନନ୍ଦ ଲୋକସଂସଦର ଜିଲ୍ଲା ଶାଖା ସଭାପତି ଡଃ ରଞ୍ଜନ କୁମାରସ୍ୱାଇଁ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ବଂଶୀଧର ବୈରୱା, ସହକାରୀ କମାଣ୍ଡାଂଟ, ସୀମା ସୁରକ୍ଷା ବଳ, ପଡ଼ିଆ, ମୁଖ୍ୟବକ୍ତା ଡଃ ପରମାନନ୍ଦ ମହାପାତ୍ର, ଅଧ୍ୟକ୍ଷ, ପଡ଼ିଆ ମହାବିଦ୍ୟାଳୟ, ସମ୍ମାନୀତ ଅତିଥି ଭାବେ ଶ୍ୟାମସୁନ୍ଦର, ଇନିସ୍ପେକ୍ଟର, ଦୁର୍ଗା ଶାମ ଝାକର, ବି.ଏସ.ଏଫ୍ , ପଡ଼ିଆ ଯୋଗଦାନ କରିଥିଲେ। ମୁଖ୍ୟବକ୍ତା ଓ ମଂଚାସୀନ ଅତିଥିଗଣ ସ୍ୱାମୀଜୀଙ୍କ ଆଦର୍ଶ, ଚିକାଗୋ ଧର୍ମ ସମ୍ମିଳନୀ ବକ୍ତୃତାର ମହତ୍ୱ ଓ ବାଣୀ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ। ଶୃଙ୍ଖଳା, ଧୈର୍ଯ୍ୟ ଓ ଅଧ୍ୟବସାୟ ଦ୍ୱାରା ଯେ କୌଣସି କାର୍ଯ୍ୟକୁ ସମ୍ଭବ କରାଯାଇପାରିବ ବୋଲି ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ। ସ୍ୱାମୀଜୀଙ୍କ ତୈଳଚିତ୍ରରେ ଅତିଥିମାନଙ୍କଦ୍ୱାରା ଶ୍ରଦ୍ଧାସୁମନ ଓ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ମହାବିଦ୍ୟାଳୟର ଛାତ୍ର ଦୀପେନ୍ଦ୍ର ଦୁରୁଆ ସ୍ୱଦେଶ ମନ୍ତ୍ରପାଠ କରିଥିବାବେଳେ ସ୍ୱାମୀ ବିବେକାନନ୍ଦ ଲୋକସଂସଦର ବିଚାରଧାରା ପ୍ରମୁଖ ପ୍ରଶାନ୍ତ ପରିଡ଼ା ଅତିଥି ପରିଚୟ ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ମଂଚାସୀନ ଅତିଥି ଓ ଛାତ୍ରଛାତ୍ରୀମାନଙ୍କଦ୍ୱାରା ଦୁଇ ମିନିଟ ସମବେତ ଧ୍ୟାନ କରାଯାଇଥିଲା। ଅନ୍ତିମ ପର୍ଯ୍ୟାୟରେ ଲୋକସଂସଦର କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିବାପରେ ସମବେତ ଭାବେ ରାଷ୍ଟ୍ରଗୀତ ବନ୍ଦେ ମାତରଂ ଗାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଲୋକସଂସଦ ଜିଲ୍ଲା ଶାଖାର ଆଜୀବନ ସଦସ୍ୟ ନବକିଶୋର ମଲ୍ଲିକ, ଧ୍ରୁବ ଚରଣ ନାୟକ, ଅଧ୍ୟାପିକା ସ୍ୱାଗତିକା ରଣା, ଜଗନ୍ନାଥ ସାହୁ ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ। ଆଂଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ, ଅନ୍ତେବାସୀଗଣ ଉଦବୋଧନୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସ୍ୱାମୀ ବିବେକାନନ୍ଦ ଲୋକସଂସଦ ଜିଲ୍ଲା ଶାଖାର ସମ୍ପାଦକ ରବୀନ୍ଦ୍ରକୁମାର ମହାରଣା କାର୍ଯ୍ୟକ୍ରମକୁ ସୁଚାରୁରୂପେ ସଂଯୋଜନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ