ଗୋଟିଏ ପଟେ ନିଶାମୁକ୍ତ ଭାରତ ନାରା ଆରପଟରେ ନୂଆ ମଦ ଦୋକାନ ଖୋଲିବା ନିଷ୍ପତ୍ତି
ପୂର୍ବ ସରକାରଙ୍କ ଦ୍ୱାରା କରାଯାଇଥିବା ନିଯୁକ୍ତିର କେବଳ ନିଯୁକ୍ତିପତ୍ର ବିତରଣ କରି ବାହାବା ନେବାକୁ ଅପଚେଷ୍ଟା
କ୍ରୀଡା କ୍ଷେତ୍ରରେ ଯୁବବର୍ଗ ସଂପୂର୍ଣ୍ଣ ନିରାଶ
ଭୁବନେଶ୍ୱର, 21 ସେପ୍ଟେମ୍ବର (ହି.ସ.): ରାଜ୍ୟରେ ବିଜେପି କ୍ଷମତାକୁ ଆସିବାର ୧୫ ମାସ ବିତି ଯାଇଥିଲେ ମଧ୍ୟ ସରକାରଙ୍କ ଯୁବ ବର୍ଗର ବିକାଶ ପାଇଁ କୌଣସି ରୋଡ୍ମ୍ୟାପ୍ ନାହିଁ ଯାହା ଯୋଗୁ ଯୁବବର୍ଗ ସଂପୂର୍ଣ୍ଣ ଅବହେଳିତ ଓ ହତାଶ ହୋଇପଡିଛନ୍ତି ବୋଲି ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ଚିନ୍ମୟ ସାହୁ କହିଛନ୍ତି । ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଶ୍ରୀ ସାହୁ କହିଥିଲେ, ରାଜ୍ୟରେ ବେକାରୀ ବେରୋଜଗାରୀ ଆଜି ଚରମ ସୀମାରେ ପହଞ୍ଚିଛି । ରାଜ୍ୟ ସରକାରଙ୍କ କୌଣସି ଯୁବ ନୀତି ନାହିଁ କି ଯୁବବର୍ଗର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପାଖରେ କୌଣସି ରୋଡ଼ମ୍ୟାପ ନାହିଁ ।
ଶ୍ରୀ ସାହୁ କହିଥିଲେ, ଗୋଟିଏ ପଟେ ରାଜ୍ୟ ସରକାର ନିଶାମୁକ୍ତ ଭାରତ ନାରା ଦେଇ ଗଣଦୌଡ ଆୟୋଜନ କରାଯାଇଛି, କିନ୍ତୁ ଅପରପକ୍ଷରେ ସରକାର ଗତକାଲି ରାଜ୍ୟରେ ବନ୍ଦ ହୋଇଥିବା ପ୍ରାୟ ୭୦ଟି ମଦ ଦୋକାନ ଖୋଲିବ ବୋଲି ସୂଚନା ଦେଇଛନ୍ତି । ଏଗୁଡିକ, ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ନିକଟରେ ଥିବାରୁ ବିଜେଡି ସରକାର ଏଗୁଡିକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ, ବର୍ତ୍ତମାନର ବିଜେପି ସରକାର ଏହାକୁ ପୁଣିଥରେ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହା ସରକାରଙ୍କ ଦୋମୁହାଁ ଚରିତ୍ରକୁ ପଦାରେ ପକାଇବା ସହିତ ନିଶାମୁକ୍ତ ଭାରତ ଗଠନର ନାରା କେବଳ ଏକ ପ୍ରହସନ ବୋଲି ସ୍ପଷ୍ଟ ହେଉଛି ।
ଶ୍ରୀ ସାହୁ କହିଥିଲେ, ରାଜ୍ୟ ବିଜେପି ସରକାରଙ୍କ ପ୍ରତିଶ୍ରୁତି ଆଜି ପ୍ରତାରଣାରେ ପରିଣତ ହୋଇଛି । ବିଜେପି ତାର ନିର୍ବାଚନୀ ଇସ୍ତାହାରରେ, ଦେଢ ଲକ୍ଷ ଖାଲିଥିବା ସରକାରୀ ଚାକିରୀକୁ ଦୁଇ ବର୍ଷରେ ପୂରଣ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ, ଗତ ପନ୍ଦର ମାସରେ ରାଜ୍ୟ ସରକାର ୫୭,୦୦୦ ପଦବୀ ପୂରଣ କଲେଣି ବୋଲି ବାହାସ୍ଫୋଟ ମାରୁଛନ୍ତି । କିନ୍ତୁ, ବାସ୍ତବରେ ଏହି ପନ୍ଦର ମାସରେ ଦିଆଯାଇଥିବା ନିଯୁକ୍ତି ଗୁଡିକର ନିଯୁକ୍ତି ପ୍ରକ୍ରିୟା ନବୀନ ସରକାରଙ୍କ ସମୟରେ ହୋଇଥିଲା । କେବଳ ନିଯୁକ୍ତି ପତ୍ର ବିତରଣ କରି ଏଥିରୁ ବାହାବା ନେବାକୁ ସରକାର ଚେଷ୍ଟା କରୁଛନ୍ତି । ନିଯୁକ୍ତି ପାଇଁ ସରକାରଙ୍କ ତରଫରୁ କରାଯାଉଥିବା ସମସ୍ତ ପରୀକ୍ଷାରେ ବିଭ୍ରାଟ ଦେଖିବାକୁ ମିଳିଛି । ଗତ ପନ୍ଦର ମାସରେ ପନ୍ଦରଟି ପରୀକ୍ଷାରେ ମହାବିଭ୍ରାଟ ଦେଖିବାକୁ ମିଳିଛି ।
ସେ କହିଥିଲେ, ରାଜ୍ୟ ସରକାର ରାଜ୍ୟରେ ୧୬ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆସିବ ବୋଲି ଦାବି କରିଥିଲେ । କିନ୍ତୁ, ଆଜି ଗୋଟିଏ ବି ପ୍ରକଳ୍ପର ଗ୍ରାଉଣ୍ଡିଙ୍ଗ ହୋଇ ପାରି ନଥିବା ବେଳେ, ପୂର୍ବରୁ ଚୁକ୍ତିବଦ୍ଧ ଥିବା ଅନେକ କମ୍ପାନୀ ଓଡିଶା ଛାଡ଼ୁଛନ୍ତି ବୋଲି ଗଣମାଧ୍ୟମରେ ପ୍ରକାଶ ପାଉଛି । ସେହିପରି ନବୀନ ପଟ୍ଟନାୟକଙ୍କ ସମୟରେ ଓଡିଶା କ୍ରୀଡା କ୍ଷେତ୍ରରେ ଭିତ୍ତିଭୂମିର ବିକାଶ ସହିତ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର କ୍ରୀଡା କାର୍ଯ୍ୟକ୍ରମ ଆୟୋଜନ କରି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ହାସଲ କରିଥିଲା । କିନ୍ତୁ, ଏବେ କ୍ରୀଡା କ୍ଷେତ୍ରରେ ଓଡିଶା ପଛକୁ ଚାଲି ଯାଇଛି, ଯାହା ଯୁବବର୍ଗକୁ ନିରାଶ କରିଛି । ପର୍ଯ୍ୟଟନ କ୍ଷେତ୍ରରେ ନବୀନଙ୍କ ନେତୃତ୍ୱରେ ଓଡିଶା ଆଗକୁ ଯାଇଥିଲା, କିନ୍ତୁ ଏବେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିବାକୁ ନେଇ ଆମେରିକା ତାଙ୍କ ଦେଶର ଲୋକଙ୍କୁ ଓଡିଶା ଆସିବାକୁ ବାରଣ କରିଛି । ଏହାଯୋଗୁ, ଓଡିଶାକୁ ପର୍ଯ୍ୟଟକ ଆଗମନରେ ହ୍ରାସ ପାଇଛି ଓ ପର୍ଯ୍ୟଟକଙ୍କ ମାଧ୍ୟମରେ ରୋଜଗାର କରୁଥିବା ବ୍ୟକ୍ତି ମାନଙ୍କ ରୋଜଗାରରେ ମଧ୍ୟ ହ୍ରାସ ପାଇଛି ।
ଶ୍ରୀ ସାହୁ ଆହୁରି କହିଥିଲେ, ରାଜ୍ୟ ସରକାର ନିଶାମୁକ୍ତ ନାରା ଦେଇ ମାରାଥନ ଆୟୋଜନ କରୁଛନ୍ତି କିନ୍ତୁ ଆଜି ରାଜ୍ୟରେ ନାରୀ ନିର୍ଯାତନା, ଗଣଦୁଷ୍କର୍ମ, ଆଇନ ଶୃଙ୍ଖଳା ସ୍ଥିତିରେ ଅବନତି ମାରାଥନ ଗତିରେ ହୋଇ ଚାଲିଛି । ରାଜ୍ୟ ସରକାରଙ୍କୁ ବିଜୁ ଯୁବ ଜନତା ଦଳ ଆଜି ଚେତାବନୀ ଦେଉଛି ଯେ ଯୁବବର୍ଗର ସ୍ୱାର୍ଥକୁ ଏଭଳି ଅଣଦେଖା କଲେ ରାଜ୍ୟର ଯୁବବର୍ଗ ରାଜରାସ୍ତାକୁ ଓହ୍ଲାଇବେ । ଏହାଛଡା, ବିଜୁ ଯୁବ ଜନତା ଦଳ ତରଫରୁ ଏକ ବେକାର ଯୁବକ ମାନଙ୍କ ସମ୍ମିଳନୀ ଅତିଶୀଘ୍ର ଆୟୋଜନ କରି ସେମାନଙ୍କ ସ୍ୱାର୍ଥ ହାସଲ ପାଇଁ ସ୍ୱର ଉତ୍ତୋଳନ କରାଯିବ ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ