ଧର୍ମଶାଳା,୨୧ସେପ୍ଟେମ୍ବର (ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ମିର୍ଜାପୁର ଗ୍ରାମ ପାୟତର କେଲୁଅ ନଦୀକୁଳରେ ଶ୍ରୀ ଶ୍ରୀ ଶ୍ୟାମସୁନ୍ଦର ଜୀଉଙ୍କ ୩୨ତମ ଅନନ୍ତ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଅଛି ।ଉକ୍ତ ଯଜ୍ଞରେ ପ୍ରଥମଦିନ,ମହାପ୍ରଭୁଙ୍କର ଆଜ୍ଞାମାଳ ବିଜେପୂର୍ବକ ସୁଶୋଭିତ ବିମାନମଣ୍ଡିତ ହୋଇ ଶୋଭାଯାତ୍ରାରେ ଗ୍ରାମ ପରିଭ୍ରମଣ କରି ଯଜ୍ଞମଣ୍ଡପରେ ଅପରାହ୍ନରେ ପହଂଚିଥିଲେ ଓ ଯଜ୍ଞ କାର୍ଯ୍ୟମାନ ଯଥା ରୀତିନୀତି ମୁତାବକ ସମ୍ପର୍ଣ୍ଣ ହୋଇଥିଲା । ପ୍ରଥମ ସଂଧ୍ୟାରେ ଭଜନ ଗାୟକ ରବୀନ୍ଦ୍ର ମହାପାତ୍ର ଓ ସାଥିମାନଙ୍କ କଂଟରେ ଭଜନ ପରିବେଷଣ କରାଯାଇଥିଲା । ଦ୍ୱିତୀୟ ସନ୍ଧ୍ୟାରେ ଚାରଣ ପଣ୍ଡିତ ଶ୍ରୀ ହରିହର ଜେନା,ଶ୍ରୀକ୍ଷେତ୍ର, ପୁରୀଙ୍କ ଦ୍ୱାରା ମହାନ ଗ୍ରନ୍ଥ ରାମାୟଣର ସାମାଜିକ ପ୍ରାୟୋଗିକତା ସମ୍ବନ୍ଧରେ ଆଲୋଚନା ହୋଇଥିଲା । ୧୯ ତାରିଖ ଅପରାହ୍ନରେ ଯଜ୍ଞର ପୁର୍ଣ୍ଣାହୁତୀ କରାଯାଇଥିଲା । ତୃତୀୟ ତଥା ଶେଷ ସନ୍ଧ୍ୟାରେ ଆଂଚଳିକ କୀର୍ତନ ମଣ୍ଡଳୀମାନଙ୍କ ଦ୍ୱାରା ସଙ୍କୀର୍ତନ ପରିବେଷଣ କରାଯାଇଥିଲା ପରେ ପରେ ଶ୍ରିମତୀ ଗୌରୀବାଳା ସ୍ୱାଇଁ ଓ ସାଥୀମାନଙ୍କ ଦ୍ୱାରା ପାଲା ପରିବେଷଣ କରାଯାଇଥିଲା । ଅପରାହ୍ନରେ କେଲୁଅ ନଦୀବକ୍ଷରେ ଚାପଖେଳ ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ଶେଷରେ ରାତ୍ର ୧୦ ଘଟିକା ସମୟରେ ପ୍ରଭୁଙ୍କୁ ବିମାନରେ ବସି ମନ୍ଦିରକୁ ପ୍ରତ୍ୟାବର୍ତନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଆଖପାଖ ଅଂଚଳର ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ଉଦଯାପନୀ ଦିବସରେ ସମାଜସେବିକା ମୀନତି ସାହୁ ଯୋଗଦେଇ ଠାକୁରଙ୍କ ନିକଟରେ କୃପା ଭିକ୍ଷା କରିବା ସହିତ କର୍ମକର୍ତାମାନଙ୍କୁ ଉତ୍ସାହିତ କରିଥିଲେ । ଯଜ୍ଞ କମିଟିର ବରିଷ୍ଠ ସଦସ୍ୟ ହୃଷୀକେଶ ପଣ୍ଡା, ସଭାପତି ଇଂ: ନିମାଇଁ ପଣ୍ଡା, ସମ୍ପାଦକ ସଞ୍ଜୟ କୁମାର ଦାଶ,କୋଷାଧ୍ୟକ୍ଷ ଦୟାନିଧି ବିଶ୍ୱାଳ ସମେତ ସମସ୍ତ ସଭ୍ୟମାନେ ଯଜ୍ଞ ପରିଚାଳନାରେ ସହଯୋଗ କରିଥିଲେ । ଶାନ୍ତି ସୃଙ୍ଖଳାରେ ଏହି ଯଜ୍ଞ ସମାପନ ହୋଇଥିବାରୁ କମିଟି ପକ୍ଷରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ