ଖୋର୍ଦ୍ଧା, ୨୩ ସେପ୍ଟେମ୍ବର (ହି.ସ.) - ଏଣିକି ସିସିଟିଭି ନଜରରେ ରହିବ ଖୋର୍ଦ୍ଧା ଶିଳ୍ପାଂଚଳ। ଏଥିପାଇଁ ଖୋର୍ଦ୍ଧା ବରୁଣେଇ ସ୍ଥିତ ଶିଳ୍ପାଂଚଳର ଶିଳ୍ପ ପ୍ରତିନିଧିଙ୍କୁ ନେଇ ମଙ୍ଗଳବାର ଖୋର୍ଦ୍ଧା ଏସ୍ପି ବିବେକାନନ୍ଦ ଶର୍ମା ଖୋର୍ଦ୍ଧା ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଶିଳ୍ପାଂଚଳ ସୁରକ୍ଷା ସଂକ୍ରାନ୍ତୀୟ ଏକ ସମୀକ୍ଷା ବୈଠକ କରିଛନ୍ତି। ଶିଳ୍ପାଂଚଳ ସଂସ୍ଥାଗୁଡ଼ିକର ପ୍ରତିନିଧିଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଏସପି ଆଲୋଚନା କରିଥିଲେ। ଏପରିକି ଆଭ୍ୟନ୍ତରୀଣ ସମସ୍ୟା, ଶିଳ୍ପାନୁଷ୍ଠାନର ଭିତର ଓ ବାହାରେ ସିସିଟିଭି, ସିକ୍ୟୁରିଟି ଗାର୍ଡ଼ମାନଙ୍କୁ ତାଲିମ, କର୍ମଚାରୀମାନଙ୍କ ଡକ୍ୟୁମେଂଟେସନ, ପୁଲିସ ଭେରିଫିକେସନ୍, ଦାଦାବଟି, ଲୁଟପାଟ ଭଳି ଅନେକ ପ୍ରସଙ୍ଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। କୌଣସି ଶିଳ୍ପସଂସ୍ଥା ଏଭଳି ସମସ୍ୟାର ସମ୍ମୁଖୀନ ହେଲେ ନିକଟସ୍ଥ ଥାନା ଅଥବା ୧୧୨କୁ କଲ କରିବାକୁ ଏସ୍ପି ପରାମର୍ଶ ଦେଇଛନ୍ତି। ତେବେ ଏହି ସମୀକ୍ଷା ବୈଠକରେ ଶିଳ୍ପ ସଂସ୍ଥାର ପ୍ରତିନିଧିମାନେ ବିଭିନ୍ନ ସମସ୍ୟା ସମ୍ପର୍କରେ ଏସପିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶିଳ୍ପାଂଚଳ ଏବଂ ଶିଳ୍ପ ସଂସ୍ଥା ସୁରକ୍ଷା ସୁନିଶ୍ଚିତ କରାଯିବ ସହ ଶୂନ୍ୟ ସହନଶୀଳତା ଉପରେ ଏସ୍ପି ଶ୍ରୀ ଶର୍ମା ଗୁରୁତ୍ୱ ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ରାକେଶ