ସୁବର୍ଣ୍ଣପୁର , 23 ସେପ୍ଟେମ୍ବର (ହି.ସ.)
ସୁବର୍ଣ୍ଣପୁର ପୋଲିସ ତରଫରୁ ଏବଂ ବିନିକା ମହିଳା ଜୁନିଅର କଲେଜ ଓ ସ୍ଵର୍ଣ୍ଣଶିଖା ଚାରିଟେବୁଲ ଟ୍ରଷ୍ଟର ମିଳିତ ସହଯୋଗରେ ବିନିକା ସ୍ଥିତ ହୋଟେଲ ଚନ୍ଦ୍ରମା ସଭାଗୃହ ଠାରେ ଆଜି ମହିଳା ସୁରକ୍ଷା ସଚେତନତା ଅଭିଯାନ ଅର୍ଥାତ ସ୍ଵୟଂgvସିଦ୍ଧା ନାରୀ ଶକ୍ତି ସୁରକ୍ଷା ଆମର ମୌଳିକ ଅଧିକାର ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା।ଏଥିରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପରାଜ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନାରୀ କୌଣସି କ୍ଷେତ୍ରରେ ଦୂର୍ବଲା ନୁହେଁ ।କାରଣ ପ୍ରତିବାଦ,ସ୍ୱର ସହ ନିଜର ଶକ୍ତିକୁ ଠିକ ଭାବେ ଜାହିର କରି ପାରିଲେ ନାରୀର ଲକ୍ଷ୍ୟ ସାଧନ ହୋଇପାରିବ ।ଉଦାହରଣ ସ୍ୱରୂପ ରାସ୍ତାରେ ଝିଅ ମାନେ ଯିବା ସମୟରେ ଯଦି କେହି ଜଣେ ଯୁବକ କୌଣସି ଏକ ଝିଅକୁ କମେଣ୍ଟ କରେ ତେବେ ଉପସ୍ଥିତ ଥିବା ସମସ୍ତ ଝିଅ ନିର୍ଭୟରେ ତାର ସାମନା କରି ତାକୁ ଚପଲ ଦ୍ଵାରା ଉଚିତ ଦଣ୍ଡ ଦେଲେ ସେହି ବ୍ୟକ୍ତି ପୁନର୍ବାର ଆଉ ଭୁଲ କାମ କରିବ ନାହିଁ ଯାହା ଫଳରେ ଅନ୍ୟ ମାନେ ମଧ୍ୟ ଏଥିରୁ କିଛି ଶିକ୍ଷା ପାଇ ଭୁଲ କରିବାକୁ ଯିବେନି ।ତେଣୁ ନାରୀ ଭୟଭୀତ ନହୋଇ ସୁରକ୍ଷା ପାଇଁ ନିଜର ମୌଳିକ ଅଧିକାରକୁ ସାବ୍ୟସ୍ତ କରିବାକୁ ପରାମର୍ଶ ଦେଇଥିଲେ।ତେଣୁ ମିଳିତ ଭାବେ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କଲେ ଜନସାଧାରଣ ସଚେତନ ହେବା ସହିତ ପରିବର୍ତ୍ତନ ଆସିବ ବୋଲି ଜିଲ୍ଲାପାଳ କହିଥିଲେ ।ଏଥିରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ଯୋଗଦେଇ ନାରୀ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।ଅନ୍ୟତମ ସମ୍ମାନିତ ଅତିଥି ଭାବେ ବିନିକା ମହିଳା ଜୁନିଅର କଲେଜ ଅଧ୍ୟକ୍ଷ ପଞ୍ଚାନନ ସାହୁ ଉପସ୍ଥିତ ଥିଲେ ।ଏହି ପରିପ୍ରେକ୍ଷୀରେ ଅଧ୍ୟାପକ ଅଶୋକ ବିଶି ଓ ଅଧ୍ୟାପିକା ବୈଜୟନ୍ତୀଙ୍କ ନିର୍ଦ୍ଦେଶନାରେ ଛାତ୍ରୀ ମାନଙ୍କ ଦ୍ଵାରା କ୍ଷୁଦ୍ର ନାଟିକା ବାଲ୍ୟ ବିବାହ ଏକ ଘୃଣ୍ୟ ପ୍ରଥା ପ୍ରଦର୍ଶିତ ହୋଇଥିଲା ।ସେହିପରି ଅଧ୍ୟାପିକା ବିନ୍ଦୂଳତା କରଙ୍କ ପ୍ରଚେଷ୍ଟାରେ ଛାତ୍ରୀ ମାନଙ୍କ ଦ୍ଵାରା ଜୟ ଜାଗୃତି ନୃତ୍ୟ ପରିବେଷଣ ସମସ୍ତଙ୍କୁ ମୁଗ୍ଧ କରିଥିଲା । କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପୋଲିସ ଡିଏସପି ରେଣୁକା ସୁନା,ରଜେଶ୍ୱରି ଭୋଇ,ଆଇନଜୀବୀ ସବିତା ପଣ୍ଡା,ସାମାଜିକ କର୍ମୀ ଶ୍ରଦ୍ଧାଞ୍ଜଳି ମିଶ୍ର,ପ୍ରୀତିପ୍ରଜ୍ଞା ପୁରୋହିତ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ।ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ ଓ ଛାତ୍ରୀ ମାନଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ।ସଚେତନତା ଶିବିରରେ ସ୍ଵର୍ଣ୍ଣଶିଖା ଚାରିଟେବୁଲ ଟ୍ରଷ୍ଟର ସଭାପତି ମଧୁମିତା ପରମଗୁରୁ ସଭାପତିତ୍ୱ କରିଥିବା ବେଳେ ମଞ୍ଚ ପରିଚାଳନାରେ ସସ୍ମିତା ପରମ ଗୁରୁ ଓ ଶିକ୍ଷକ ହିମାଂଶୁ ଭୂଷଣ ପଣ୍ଡା ଦାୟିତ୍ଵ ତୁଲାଇଥିଲେ । ଶେଷରେ ଅଧ୍ୟାପିକା ବୈଜୟନ୍ତୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ଅନୁଷ୍ଟିତ ଏହି ସଚେତନତା ଶିବିରରେ ଅଧ୍ୟୟନରତ ଛାତ୍ରୀ,ଶିକ୍ଷାପ୍ରେମୀ,ସଚେତନ ନାଗରିକ,ଗଣମାଧ୍ୟମ ପ୍ରତିନିଧି ଯୋଗଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ