ନୂଆପଡ଼ାର ସାମଗ୍ରିକ ଉନ୍ନତି ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ: ମନମୋହନ ସାମଲ
ଭୁବନେଶ୍ୱର, 23 ସେପ୍ଟେମ୍ବର (ହି.ସ.): ନୂଆପଡ଼ା ଏକ ସମ୍ଭାବନା ଜିଲ୍ଲା । ଏଠାରେ କୃଷିଠାରୁ ଆରମ୍ଭ କରି ଶିଳ୍ପ ପର୍ଯ୍ୟନ୍ତ ସବୁକ୍ଷେତ୍ରରେ ଅପାର ସମ୍ଭାବନା ରହିଛି । ଏହି ଜିଲ୍ଲାରେ କୃଷିର ସୁବିଧାପାଇଁ ଜଳସେଚନ ବ୍ୟବସ୍ଥା ତ୍ୱରାନ୍ୱିତ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । କୃଷିଭିତିକ ଶିଳ୍ପ ପ୍ରତିଷ୍ଠା, ପ୍ରୋସେସିଂ ୟୁନିଟ୍, ଶୀତଳଭଣ୍ଡାର ଆଦି ଖୋଲିବା ପାଇଁ ବ୍ୟବସ୍ଥା କରାଯାଇଛି । ଏଠାରେ କିପରି ମାଛ ଚାଷ ଓ ପର୍ଯ୍ୟଟନ ଶିଳ୍ପର ବିକାଶ ହୋଇପାରିବ ସେନେଇ ବିଚାରବିମର୍ଶ ଚାଲିଛି । ନୂଆପଡ଼ାରେ କେଉଁ ଶିଳ୍ପ ପ୍ରତଷ୍ଠା ହୋଇପାରିବ ସେନେଇ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଗଲାଣି । ଏହି ଜିଲ୍ଲାର ସାମଗ୍ରିକ ଉନ୍ନତି ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ । ସରକାରଙ୍କ ବିକାଶମୂକଳ କାର୍ଯ୍ୟ ଉପରେ ନୂଆପଡ଼ାବାସୀଙ୍କ ଆଶା ଓ ବିଶ୍ୱାସ ବଢ଼ିବାରେ ଲାଗିଛି । ଆଗମୀ ଦିନରେ ନୂଆପଡ଼ାର ବିକାଶ ପାଇଁ ସମସ୍ତଙ୍କୁ ମିଳିତ ଭାବେ ପ୍ରୟାସ କରିବାକୁ ପଡ଼ିବ ବୋଲି ରାଜ୍ୟ ସଭାପତି ଭାବେ ପୁନର୍ବାର ଦାୟିତ୍ୱ ଗହଣ କରିବା ପରେ ନୂଆପଡ଼ା ଗସ୍ତରେ ଆସି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଶ୍ରୀ ସାମଲ କହଛନ୍ତି ଯେ, ରାଜ୍ୟରେ ବିଜେପି ଏକାକୀ ସରକାର ଗଠନ କରିବା ପରେ ବିକଶିତ ଓଡ଼ିଶା ଗଢ଼ିବା ପାଇଁ ଗୋଟିଏ ପରେ ଗୋଟିଏ ଯୋଜନା କରି ଚାଲିଛନ୍ତି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଯାହା କୁହନ୍ତି ତାହା କରନ୍ତି । ଦୀର୍ଘ ୧୧ବର୍ଷ ଧରି ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱର ଚତୁର୍ଥ ବୃହତମ ଅର୍ଥନୀତି ହୋଇପାରିଛି । ଗରୀବ କଲ୍ୟାଣ ଯୋଜନା ଦ୍ୱାରା କୋଟି କୋଟି ପରିବାରଙ୍କର ଜୀବନର ମାନ ପରିବର୍ତିତ ହୋଇଛି । ଚାଷୀମାନଙ୍କ ରୋଜଗାର ବୃଦ୍ଧି ହୋଇଛି । ୮୦କୋଟି ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ମାଗଣାରେ ରାସନ ଯୋଗାଣ, ୫୦କୋଟି ନାଗରିକଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସ୍ୱାସ୍ଥ୍ୟ ସୁରକ୍ଷା ଯୋଗାଇ ଦିଆଯାଇଛି । କୋଟି କୋଟି ପରିବାର ଉଜ୍ଜ୍ୱଳା ଯୋଜନାରେ ରୋଷେଇ ଗ୍ୟାସ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲାଭ ପାଇପାରିଛନ୍ତି । କୋଭିଡ୍ ମହାମାରୀ ପରେ ସମଗ୍ର ବିଶ୍ୱରେ ଭାରତ ସବୁଠାରୁ ଦ୍ରୁତ ଗତିରେ ନିଜର ଅର୍ଥନୀତିକୁ ସଜାଡିବାରେ ସମର୍ଥ ହୋଇଛି । ଜିଏସଟିରେ ସୁଧାର କରାଯାଇ ଗରିବ, ନିମ୍ନ ମଧ୍ୟବିତ, ମଧ୍ୟବିତ ବର୍ଗଙ୍କ ପାଇଁ ଐତିହାସିକ ପଦକ୍ଷେପ ନିଆଯାଇଛି । ଏହାଦ୍ୱାରା ଦୈନନ୍ଦିନ, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ହ୍ରାସ ପାଇବା କାରଣରୁ ଗରିବ, ମଧ୍ୟବିତ ପରିବାରର ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ ।
ଓଡ଼ିଶାରେ ବିଜେପି ସରକାର ଗଠନ କରିବାର ମାତ୍ର ୨୪ ଘଂଟା ମଧ୍ୟରେ ପୁରୀ ଶ୍ରୀମନ୍ଦିରର ୪ ଦ୍ୱାରା ଖୋଲି ଦିଆଗଲା । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲାଯାଇ ମରାମତି କାର୍ଯ୍ୟ ଶେଷ କରଗଲା । ଧାନ କୁଇଂଟାଲ ପିଛା ସହାୟକ ମୂଲ୍ୟ ବୃଦ୍ଧି କରି ଚାଷୀଙ୍କ ଆୟ ଦୁଇଗୁଣିତ କରିବାରେ ସହାୟତା କରାଗଲା । ରାଜ୍ୟର ମା’ ଓ ଭଉଣୀମାନଙ୍କୁ ସୁଭଦ୍ରା ଯୋଜନାରେ ୫୦ହଜାର ଟଙ୍କା ଦେବାକୁ ବ୍ୟବସ୍ଥା କରାଗଲା । ଲକ୍ଷପତି ଦିଦି ଯୋଜନାରେ ଓଡ଼ିଶାର ମା’ ଭଉଣୀମାନେ ଏବେ ୧ ନମ୍ବର ହେଲେଣି । ୮୦ ବର୍ଷରୁ ଊର୍ଦ୍ଧ୍ୱ ବୃଦ୍ଧାବୃଦ୍ଧ ଓ ଭିନ୍ନକ୍ଷମଙ୍କ ପାଇଁ ସ୍ୱାସ୍ଥ୍ୟବୀମା ସହ ୩୫୦୦ଟଙ୍କା ଭତା ପ୍ରଦାନ କରିବାର ପ୍ରତିଶ୍ରୁତି ପୂରଣ କରିଛି । ସବୁ ଗ୍ରାମରେ ପକ୍କା ସଡ଼କ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ୭୫ ହଜାର କିଲୋମିଟର ରାସ୍ତା ଗଢ଼ିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ୧୫ ଲକ୍ଷ ହେକ୍ଟର ଜମିରେ ଜଳସେଚନ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ପ୍ରଚେଷ୍ଠାରେ ଶିଳ୍ପ ପ୍ରତିଷ୍ଠା ପାଇଁ ୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ଆସିଛି । ଏହାଦ୍ୱାରା ନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇଛି । ନୂତନ ଶିକ୍ଷାନୀତି ଓଡ଼ିଶାରେ ଲାଗୁ କରାଯାଇଛି । ଏହାଦ୍ୱାରା ଓଡ଼ିଶା ଆତ୍ମନିର୍ଭର ହୋଇପାରିବ । ଓଡ଼ିଶାର ଜନସାଧାରଣ ଯେପରି ଦାଦନ ଖଟିବାକୁ ବାହାରୁ ଯିବେ ନାହିଁ ସେଥିପାଇଁ ମୋହନ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ସଂକଳ୍ପପତ୍ରରେ ଦିଆଯାଇଥିବା ଗୋଟିଏ ପରେ ଗୋଟିଏ ପ୍ରତିଶ୍ରୁତି ପୂରଣ କରି ବିଜେପି ସରକାର ଲୋକଙ୍କ ଆସ୍ଥାଭାଜନ ହୋଇପାରିିଛି । ଇତିମଧ୍ୟରେ ୨୧ ପ୍ରତିଶ୍ରୁତିରୁ ୧୧ଟି ପୂରଣ ହୋଇସାରିଛି । ବାକି ୭ଟି ପ୍ରତିଶ୍ରୁତି ମଧ୍ୟ ଖୁବ୍ଶୀଘ୍ର ପୂରଣ ହୋଇଯିବ । ବିଜେପି ଏବେ ସରକାରରେ ଅଛି । ପୂର୍ବରୁ ନୂଆପଡ଼ାରେ ଥିବା ବିଭିନ୍ନ ସମସ୍ୟାର ସମାଧାନ କରି ଓଡ଼ିଶାର ୧ନଂ.ଜିଲ୍ଲା ଭାବେ ଗଢ଼ି ତୋଳିବାକୁ ହେବ । ଏନେଇ ଏବେଠାରୁ ଦିନରାତି କଠିନ ପରିଶ୍ରମ କରିବାକୁ ରାଜ୍ୟ ସଭାପତି ଶ୍ରୀ ସାମଲ କାର୍ଯ୍ୟକର୍ତାମାନଙ୍କୁ ଆହ୍ୱାନ ଦେଇଛନ୍ତି ।
ଶ୍ରୀ ସାମଲ ନୂଆପଡ଼ା ଗସ୍ତରେ ଆସି ବିଭିନ୍ନ ସେବାମୁଳକ କାର୍ଯ୍ୟକ୍ରମ ଏବଂ କାର୍ଯ୍ୟକର୍ତା ସମ୍ମିଳନୀରେ ଯୋଗ ଦେଇଛନ୍ତି । ଏହି ଅବସରରେ ଖଡିଆଳଠାରେ ମା’ ପାଇଁ ଗଛଟିଏ ଅଭିଯାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ସେବା ପକ୍ଷ ଅବସରରେ ରକ୍ତଦାନ ଶିବିରକୁ ରାଜ୍ୟ ସଭାପତି ଶ୍ରୀ ସାମଲ ଉଦ୍ଘାଟନ କରିଥିଲେ । ଖଡ଼ିଆଳଠାରେ ଅନୁଷ୍ଠିତ ସ୍ୱାଗତ ସମ୍ବର୍ଦ୍ଧନା ସଭାରେ ଯୋଗଦେଇଥିଲେ । ଏହି ଅବସରରେ ଶ୍ରୀ ସାମଲଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି ।
ଖଡିଆଳ ଓ ନୂଆପଡ଼ାଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜେଡି ଓ କଂଗ୍ରେସର ବହୁ ସରପଂଚ, ସମିତି ସଭ୍ୟ ଓ ପୂର୍ବତନ ସରପଂଚ ନିଜ ନିଜ ଶତାଧିକ ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଥିଲେ ।
ଶ୍ରୀ ସାମଲଙ୍କ ଏହି ଗସ୍ତ ସମୟରେ ଖରିଆଳ, କୋମନା ଛକ ଓ ନୂଆପଡାଠାରେ କାର୍ଯ୍ୟକର୍ତାମାନେ ଉପସ୍ଥିତ ରହି ବିପୁଳ ସ୍ୱାଗତ ଜଣାଇଥିଲେ । ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ରାଜ୍ୟ ସଭାପତି ଶ୍ରୀ ସାମଲ ନୂଆପଡ଼ାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ରାଜ୍ୟ ସାଧାରଣ ସମ୍ପାଦକ(ସଂଗଠନ) ମାନସ ମହାନ୍ତି, ରାଜ୍ୟ ସଂପାଦକ ସରୋଜ କର, ଖରିଆର ପୂର୍ବତନ ବିଧାୟକ ହିତେଶ ବଗର୍ତି, ନୂଆପଡ଼ା ଜିଲ୍ଲା ସଭାପତି କମଳେଶ ଦୀକ୍ଷିତ, ବରିଷ୍ଠ ନେତା ସୁବ୍ରତ ଠାକୁର, ଯଦୁ ପାଣିଗ୍ରାହୀ, ପ୍ରସନ୍ନ ପାଢ଼ୀ, ଅଭିନନ୍ଦନ ପଣ୍ଡାଙ୍କ ସମେତ ରାଜ୍ୟ, ଜିଲ୍ଲା ଓ ମଣ୍ଡଳସ୍ତରୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଅନିଲ