ଖୋର୍ଦ୍ଧା, ୨୩ ସେପ୍ଟେମ୍ବର (ହି.ସ.) - ମଙ୍ଗଳବାର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ବି ଡି ଓ, ସହକାରୀ ଯନ୍ତ୍ରୀ ମାନଙ୍କୁ ବିଧାୟକଙ୍କ ସୁପାରିଶ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ ଧାରା, ସେଗୁଡିକ ର ଆର୍ôଥକ ଅନୁଦାନ, ପରୀକ୍ଷଣ,ଅନୁମୋଦନ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଉପରେ ପାୱାର ପଏଂଟ ଉପକରଣରେ ପ୍ରଶିକ୍ଷଣ ଦିଆଯାଇଥିଲା । ଉକ୍ତ ବୈଠକରେ ମୁଖ୍ୟ ଜିଲ୍ଲା ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ, ଉପନିର୍ଦେଶକ,ଯୋଜନା ଓ ପରିସଂଖ୍ୟାନ ଶ୍ରୀ ଶଙ୍କର ବେହେରା ଯୋଗ ଦେଇଥିଲେ । ବିଧାୟକଙ୍କ ତିନି ଗୋଟି ବିଭାଗରେ ଯଥା ସାଧାରଣ, ଶିକ୍ଷା ଏବଂ ରାସ୍ତା ଜନିତ ବିଭିନ୍ନ ପ୍ରକଳ୍ପ ଗୁଡ଼ିକର ସୁପାରିଶ ଗୁଡ଼ିକୁ କିଭଳି ଅନଲାଇନରେ କାର୍ଯ୍ୟ ସମ୍ପାଦନ କରାଯିବ ସେ ସମ୍ବନ୍ଧରେ ବିସ୍ତୃତ ପୁଙ୍ଖାନୁପୁଙ୍ଖ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଏହି ଅନ ଲାଇନ ବ୍ୟବସ୍ଥା ଦ୍ୱାରା କାର୍ଯ୍ୟଗୁଡ଼ିକ ଦୃତ ଗତିରେ ସମ୍ପାଦିତ ହେବାସହ ସର୍ବସାଧାରଣ ଏହାର ସଫଳ ଫାଇଦା ନେଇ ପାରିବେ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଦଶ ଲକ୍ଷ ରୁ ଅଧିକ ପ୍ରକଳ୍ପ ଗୁଡ଼ିକର ସୁପାରିଶ ଆସିଲେ ମୁଖ୍ୟ ଜିଲ୍ଲା ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ବୈଷୟିକ ଅନୁମୋଦନ ଏବଂ ଜିଲ୍ଲାପାଳ ପ୍ରଶାସନିକ ଅନୁମୋଦନ କରିବେ । ଯେଉଁ ପ୍ରକଳ୍ପ ଗୁଡ଼ିକ ଗ୍ରହଣ ଯୋଗ୍ୟ ନୁହେଁ ସେଗୁଡିକୁ ଜିଲ୍ଲାପାଳ ବିଧାୟକଙ୍କ ନିକଟକୁ ଅନଲାଇନରେ ପ୍ରେରଣ କରିବେ । ଉକ୍ତ ପ୍ରକଳ୍ପ ଗୁଡ଼ିକର ପ୍ରତ୍ୟାଖାନ ବିଧାୟକ କରିବେ । ଏଥି ସହ ବି ଡି ଓ ଏବଂ ସହକାରୀ ଯନ୍ତ୍ରୀ ମାନଙ୍କ ସ୍ତରରେ ଅନଲାଇନ୍ କାର୍ଯ୍ୟକ୍ରମ ସମ୍ପାଦନ ନିମନ୍ତେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ବୈଠକରେ ସମସ୍ତ ବି ଡି ଓ, ସମସ୍ତ ସହକାରୀ ଯନ୍ତ୍ରୀ, ବୈଷୟିକ ପରାମର୍ଶଦାତା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ଏବଂ ଯୋଜନା ବିଭାଗର ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଯୋଗଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ରାକେଶ