ଭବାନୀପାଟଣା, ୨୩ ସେପ୍ଟେମ୍ବର (ହି.ସ.)- କଳାହାଣ୍ଡି ଜିଲ୍ଲା ପ୍ରଶାସନ ଏବଂ ପୌରପାଳିକା ଭବାନୀପାଟଣା ମିଳିତ ଉଦ୍ୟମରେ ଚଳିତ ମାସ ସେପ୍େଟମ୍ବର ୧୭ ତାରିଖରୁ ସ୍ୱଚ୍ଛତା ହିଁ ସେବା ପକ୍ଷ ୨୦୨୫ ଅଭିଯାନ ଆରମ୍ଭ ହୋଇଯାଇଛି। ଏହି ଅବସରରେ ବୃକ୍ଷ ରୋପଣ, ସହରର ବିଭିନ୍ନ ମନ୍ଦିର ପରିସର ସଫା ସୁତୁରା, ପତଞ୍ଜଳୀ ଯୋଗ ସମିତିର ସଦସ୍ୟ ମାନଙ୍କୁ ନେଇ ଯୋଗ କାର୍ଯ୍ୟକ୍ରମ, ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ତର୍କ, ସ୍ଲୋଗାନ୍, କୁଇଜ୍ ଏବଂ ୱେଷ୍ଟଯ ଟୁ ଆର୍ଟ୍ ପ୍ରତିଯୋଗିତା ସବୁ ଅନୁଷ୍ଠିତ ହୋଇଯାଇଛି। ଏଥି ସହିତ ପ୍ରତ୍ୟେକ ଦିନ ସହରର ବିଭିନ୍ନ ସ୍ଥାନକୁ ସଫା ସୁତୁରା କାର୍ଯ୍ୟକ୍ରମ ଚାଲୁରହିଛି। ଆଜି ସକାଳ ୬ଟା ୩୦ ମିନିଟ ସମୟରେ ପୁରୁଣାପଡା ଆଶ୍ରୟସ୍ଥଳୀ, ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖର ରାସ୍ତା ପରିସରରେ ସାମୁହିକ ସଫେଇ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏଥିରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ନେତୃତ୍ୱରେ ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରୱାନ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢି, ନିର୍ବାହୀ ଅଧିକାରୀ, ଅନିମେସ ପ୍ରଧାନ, ଭାରତୀୟ ପ୍ରଶାସନିକ ସେବା(ପ୍ରବେସନ) ଅବକାରୀ ଅଧିକ୍ଷକ ରଞ୍ଜନ କୁମାର ନାୟକ, ସହ ନିର୍ଦ୍ଦେଶ ଜିଲ୍ଲା ସ୍ୱଳ୍ପ ସଂଚୟ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଅଧିକ୍ଷଣ ଯନ୍ତ୍ରୀ ପୂର୍ତ ବିଭାଗ ଶିବାଜୀ ପ୍ରଧାନ, ଜିଲ୍ଲା ମଙ୍ଗଳ ଅଧିକାରୀ ଅନ୍ତର୍ଯ୍ୟମି କହଁର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ମଜିବୁନ ନିଶାଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ, କର୍ମଚାରୀ, ସ୍ଥାନୀୟ ବାସିନ୍ଦା, ସଦସ୍ୟ, ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତା, ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗଦେଇ ସ୍ୱଚ୍ଛତା ହିଁ ସେବା ଅଭିଯାନର ସଫେଇ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ସଫେଇ କାର୍ଯ୍ୟକ୍ରମ ଆରମ୍ଭରୁ ନିର୍ବାହୀ ଅଧିକାରୀ ଶ୍ରୀ ପ୍ରଧାନ ଉପସ୍ଥିତ ସମସ୍ତଙ୍କୁ ସ୍ୱଚ୍ଛତା ଶପଥପାଠ କରାଇଥିଲେ ।
ପରିମଳ ଜରିଆରେ ଦେଶମାତୃକାର ସେବା କରିବା, ସ୍ୱଚ୍ଛତା ପ୍ରତି ପ୍ରତିବଦ୍ଧ ରହି ସମୟ ଉତ୍ସର୍ଗ କରିବା, ସ୍ୱେଚ୍ଛାକୃତ ଭାବେ ସପ୍ତାହକୁ ଦୁଇ ଘଣ୍ଟା ହିସାବରେ ପ୍ରତିବର୍ଷ ଅନ୍ୟୁନ ଶହେ ଘଂଟା ସ୍ୱଚ୍ଛତା ପାଇଁ ଖର୍ଚ୍ଚ କରିବା, ଏଣେତେଣେ ଅଳିଆ ନ ପକାଇ ନିଜ ପରିବାର ସ୍ୱସ୍ଥାନ, ଗ୍ରାମ ଏବଂ କର୍ମକ୍ଷେତ୍ରରୁ ହିଁ ସ୍ୱଚ୍ଛତାର ଅଭିଯାନ ଆରମ୍ଭ କରିବା, ସ୍ୱଚ୍ଛ ଭାରତ ଅଭିଯାନର ବାର୍ତା ପ୍ରଚାର କରିବା, ନିଜେ ନେଇଥିବା ପ୍ରତ୍ୟକ ପଦକ୍ଷେପ କିପରି ଦେଶକୁ ସ୍ୱଚ୍ଛ କରିବାରେ ସହାୟକ ହେବ ସେ ସମ୍ପର୍କରେ ସମସ୍ତେ ଶପଥପାଠ କରିଥିଲେ। ନିଜ କାର୍ଯ୍ୟାଳୟରେ ରଖାଯାଇଥିବା ଦୁଇଟି ଡଷ୍ଟବିନରେ ବ୍ଲୁ ରେ ଶୁଖିଲା ଓ ଗ୍ରୀନ୍ ରେ ଓଦା ଆବର୍ଜନା ସଂଗୃହୀତ କରି ମ୍ୟୁନିସିପାଲଟି ର ନିୟୋଜିତ ଗାଡିରେ ନିୟମିତ ଦେବା ପାଇଁ ସମସ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ସହରର ପ୍ରତ୍ୟକ ନାଗରିକ ଏଥି ପ୍ରତି ସଚେତନ ହେବା ସହିତ ସ୍ୱଚ୍ଛତା ସେବା ଅଭିଯାନରେ ପୂର୍ଣ ସହଯୋଗ କରିବା ପାଇଁ ଅପିଲ କରାଯାଇଥିଲା। ପୌରପାଳିକାର ୟୁଜର ଫିଜ ଠିକ୍ ସମୟରେ ପୈଠ କରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଥିଲା।
ଆଜିର ସଫେଇ ଅଭିଯାନରେ ୪୪୮.୫ କେଜିର ଅଦରକାରୀ ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଇଥିଲା। ଏହା ରିସାଇକ୍ଲିନିଂ ପାଇଁ ଦିଆଯିବ । ଚଳିତ ମାସ ୨୫ ତାରିଖ ଦିନ ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ନେହେରୁ ଯୁବ କେନ୍ଦ୍ର, ନାଗରିକ ମାନଙ୍କୁ ନେଇ କଲେଜ ଛକ ଠାରୁ କେସିଙ୍ଗା ରାସ୍ତାରେ ସାମୁହିକ ସଫେଇ ଅଭିଯାନ ଆରମ୍ଭ ହେବ। ସେହିପରି ଆସନ୍ତା ୨୭ ତାରିଖ ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ସାଇଧାମ ପର୍ଯ୍ୟନ୍ତ ସ୍ୱଚ୍ଛତା ଗଣଦୌଡ, ୨୮ ତାରିଖ ଦିନ ସନ୍ଧ୍ୟାରେ ସ୍ଥାନୀୟ ଟାଉନହଲ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଅକ୍ଟୋବର ୨ ତାରିଖ ଦିନ ସ୍ୱଚ୍ଛତା ହିଁ ସେବା ଅଭିଯାନର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବା ପାଇଁ ସ୍ଥିର କରାଯାଇଛି। କଳାହାଣ୍ଡି ଜିଲ୍ଲାକୁ ଏକ ସ୍ୱଚ୍ଛ, ସବୁଜ, ସୁନ୍ଦର ଜିଲ୍ଲା ଭାବରେ ଗଢିତୋଳିବା ପାଇଁ ସମସ୍ତଙ୍କର ସକ୍ରିୟ ସହଯୋଗର ଆବଶ୍ୟକତା ଉପରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଗୁରୁତ୍ୱ ଦେଇଥିଲେ। ଶେଷରେ ନିର୍ବାହୀ ଅଧିକାରୀ ଶ୍ରୀ ପ୍ରଧାନ ସ୍ୱଚ୍ଛତା ଅଭିଯାନରେ ଅଂଶଗ୍ରହଣ କରିଥିବା ସମସ୍ତ ଅଧିକାରୀ, କର୍ମଚାରୀ, ଜନପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀ, ଗଣମାଧ୍ୟମର ପ୍ରତିନିଧି ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।
ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ