ଧର୍ମଶାଳା, ୨୩ ସେପ୍ଟେମ୍ବର (ହି.ସ.)- ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀମାନଙ୍କୁ ପ୍ରାଥମିକ ସେବା ସମବାୟ ସମିତି ଜରିଆରେ ସାର ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ରହିଛି । ଏହି କ୍ରମରେ ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଭୟପୁର ପ୍ରାଥମିକ ସେବା ସମବାୟ ସମିତି ପକ୍ଷରୁ ଚାଷୀମାନଙ୍କୁ ସାର ପ୍ରଦାନ କରାଯାଇଥିବା ବେଳେ ସେଠାରେ ଶହ ଶହ ସଂଖ୍ୟାରେ ଚାଷୀ ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଥିଲା । ସରକାରଙ୍କ ପକ୍ଷରୁ ଅଭୟପୁର ସମବାୟ ସମିତିକୁ ୨ଶହ ପ୍ୟାକେଟ ୟୁରିଆ ସାର ଯୋଗାଇ ଦିଆଯାଇଥିବା ବେଳେ ଉକ୍ତ ସାର ନେବାକୁ ସେଠାରେ ୨ ଶହରୁ ଉର୍ଦ୍ଧ୍ଵ ଚାଷୀ ସେଠାରେ ପହଁଚିଥିଲେ । ସମବାୟ ସମିତି ପକ୍ଷରୁ ଜଣେ ଚାଷୀକୁ ୧ ପ୍ୟାକେଟ ଲେଖାଏଁ ୟୁରିଆ ସାର ଦେବାକୁ ସ୍ଥିର କରିଥିବା ବେଳେ ଅନେକ ଚାଷୀ ଆଜି ସାର ନପାଇ ହତାସ ହୋଇ ଫେରିଥିବା ଦେଖିବାକୁ ମିଳିଥିଲା । ଫଳରେ ସାର ପାଇନଥିବା ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହିତ ସାର ଦେବାରେ ବାଧା ଉପୁଜିଥିଲା । ସମବାୟ ସମିତିର ମୁଖ୍ୟ କାର୍ଯ୍ୟନିର୍ବାହୀ ସଞ୍ଜୟ କୁମାର ସେଠୀ ଚାଷୀମାନଙ୍କୁ ବୁଝାସୁଝା କରି ଦ୍ୱିତୀୟ ପର୍ଯ୍ୟାୟରେ ସରକାରଙ୍କ ପକ୍ଷରୁ ସାର ଆସିଲେ ଦିଆଯିବ ବୋଲି କହିଥିଲେ । ଏବେ ଧାନ ବିଲରେ ପାଣି ଥିବାରୁ ୟୁରିଆ ସାର ପକାଯିବାର ଏହା ଉପଯୁକ୍ତ ସମୟ । ମାତ୍ର କୌଣସି ଦୋକାନ ବଜାରରେ ୟୁରିଆ ସାର ମିଳୁନଥିବାରୁ ଚାଷୀମାନେ ସରକାରୀ ସାର ଉପରେ ନିର୍ଭର କରିଛନ୍ତି । ସରକାରଙ୍କ ତରଫରୁ ଚାଷୀମାନଙ୍କୁ ସମବାୟ ସମିତି ମାଧ୍ୟମରେ ସାର ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଥିବାରୁ କୌଣସି ଦୋକାନରେ ୟୁରିଆ ସାର ଉପଲବ୍ଧ ହେଉନାହିଁ । ଯାହା ଫଳରେ ଚାଷୀମାନେ ୟୁରିଆ ସାର ନପାଇ ଚାଷ କାର୍ଯ୍ୟ ଆଗେଇ ପାରୁ ନଥିବା କହିଛନ୍ତି । ବିଲରେ ସାର ପକାଇବା ବିଳମ୍ବ ହେଲେ ଫସଲ ହାନି ଘଟିବାର ସମ୍ଭାବନା ଥିବାରୁ ସେମାନେ ଚିନ୍ତାରେ ପଡିଛନ୍ତି । ପ୍ରକାଶ ଥାଉକି, ଧର୍ମଶାଳା ଶାଖା ଅଧୀନରେ ୧୩ଗୋଟି ସମବାୟ ସମିତି ରହିଛି । ସମବାୟ ସମିତିରେ ପଞ୍ଜିକୃତ ଚାଷୀମାନଙ୍କୁ ହିସାବକୁ ନିଆଯାଇ ଯଦି ରାଜ୍ୟ ସରକାର ପକ୍ଷରୁ ସମବାୟ ସମିତିକୁ ସାର ଯୋଗାଇ ଦିଆଯାଆନ୍ତା ତେବେ ଉପଯୁକ୍ତ ସମୟରେ ଚାଷୀମାନେ ସାର ପାଇପାରନ୍ତେ ବୋଲି ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଦାବି କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ