'ସିଏମସି ନିର୍ବାଚନ ଶୀଘ୍ର ସାରି ନିର୍ବାଚିତ ପ୍ରତିନିଧି ମାନଙ୍କ ଦ୍ବାରା ଅଞ୍ଚଳର ବିକାଶ କରାଯାଉ'
'ସିଏମସି ନିର୍ବାଚନ ଶୀଘ୍ର ସାରି ନିର୍ବାଚିତ ପ୍ରତିନିଧି ମାନଙ୍କ ଦ୍ବାରା ଅଞ୍ଚଳର ବିକାଶ କରାଯାଉ'
'ସିଏମସି ନିର୍ବାଚନ ଶୀଘ୍ର ସାରି ନିର୍ବାଚିତ ପ୍ରତିନିଧି ମାନଙ୍କ ଦ୍ବାରା  ଅଞ୍ଚଳର ବିକାଶ କରାଯାଉ'


ସମ୍ବଲପୁର, ୨୩ ସେପ୍ଟେମ୍ବର (ହି.ସ.)- ମାନ୍ୟବର ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ପାଳନ କରି ଏସଏମସି ନିର୍ବାଚନ ଶୀଘ୍ର କରି ନିର୍ବାଚିତ ପ୍ରତିନିଧି ମାନଙ୍କ ଜରିଆରେ ଅଂଚଳର ବିକାଶ କରାଯାଉ ବୋଲି ଜ଼ିଲ୍ଲା କଂଗ୍ରେସ କମିଟି ସଂଯୋଜକ ଦୁର୍ଗା ପାଢ଼ୀ କହିଛନ୍ତି। ଆଜି ଅପରାହ୍ନ ୫ଟା ସମୟରେ ଶ୍ରୀ ପାଢ଼ୀଙ୍କ ନେତୃତ୍ୱରେ ଏସଏମସି କମିଶନର ରେହାନ୍ ଖତ୍ରୀଙ୍କ ସହ ମହାନଗର ନିଗମ କାର୍ଯ୍ୟାଳୟରେ କଂଗ୍ରେସ କର୍ମକର୍ତ୍ତା ଆଲୋଚନା କରି ଦାବିପତ୍ର ପ୍ରଦାନ କରିଛନ୍ତି। ସମ୍ବଲପୁର ସହରକୁ ଅତ୍ୟାଧୁନିକ ସହର ଭାବେ ଗଢି ତୋଳିବାକୁ ରାଜ୍ୟ ତଥା କେନ୍ଦ୍ର ସରକାର ସମ୍ପୂର୍ଣ ବିଫଳ ହୋଇଛନ୍ତି। ସମ୍ବଲପୁର ମହାନଗର ନିଗମ ଅଞ୍ଚଳ ଅପରିଷ୍କାର, ଆବର୍ଜନାରେ ପରିପୂର୍ଣ୍ଣ ହୋଇଛି। ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ସମ୍ବଲପୁର ମହାନଗର ନିଗମବାସୀ । ଏସଏମସି ପକ୍ଷରୁ କରାଯାଉଥିବା ସମସ୍ତ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଛି ଆଦି ଦାବି ନେଇ କମିଶନର ଶ୍ରୀ ଖତ୍ରୀଙ୍କ ସହିତ ଆଲୋଚନା କରାଯାଇଛି। ସମ୍ବଲପୁର ସହରକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବା, ସହର ମଧ୍ୟରେ ରହିଥିବା ଆବର୍ଜନା ଡ଼ମ୍ପିଙ୍ଗ ୱାର୍ଡ ଗୁଡିକୁ ତୁରନ୍ତ ସହର ବାହାରକୁ ସ୍ଥାନାସ୍ତରଣ କରିବା, ମହାନଗର ନିଗମରେ ମିଶିଥିବା ଧନକଉଡ଼ା ବ୍ଲକର ୭ଟି ପଂଚାୟତ ଯଥା. ସେହ୍ନାପାଲି, ଚାଉଁରପୁର, ଆ. କଟାପାଲି, ଗଡ଼ମୁଣ୍ଡା, ସଂକର୍ମା ଏବଂ କାଇଁଶିର ପଞ୍ଚାୟତ ସହ ମାନେଶ୍ୱର ବ୍ଳକର ୫ଟି ଯଥା. ମଠପାଲି, ଗୁଣ୍ଡେରପୁର, ମାନେଶ୍ଵର, ସିନ୍ଦୁର ପଙ୍କ ଓ ଠେମରା ର ସଂଶ୍ଲିଷ୍ଟ ୱାର୍ଡ ଗୁଡିକ ର ଉନ୍ନତିକରଣ ପାଇଁ ସ୍ୱତନ୍ତ୍ର ଅନୁଦାନ ପ୍ରଦାନ କରିବା, ପ୍ରତ୍ୟକ ୧୫ ଦିନ ମଧ୍ୟରେ ଥରେ ଗଣମାଧ୍ୟମରେ ପ୍ରକାଶିତ/ପ୍ରସାରିତ ରିପୋର୍ଟ (ଦୁର୍ନୀତି / ଗଠନମୂଳକ ପ୍ରସ୍ତାବ ) ର ସମୀକ୍ଷା କରି ପଦକ୍ଷେପ ନେବା, ପରିମଳ, ଷ୍ଟ୍ରିଟ ଲାଇଟ, ରାସ୍ତା ନିର୍ମାଣ କାର୍ଯ୍ୟର ସ୍ୱତନ୍ତ୍ର ସମୀକ୍ଷା କରାଯାଇ ଆଗାମୀ ପାର୍ବଣ ଦଶହରା ପୂର୍ବରୁ ଏହା ସୁନିଶ୍ଚିତ କରିବା, ଠିକା ସଂସ୍ଥା ସହିତ କେତେ ଲୋକ ନିୟୋଜିତ ହେବା ନେଇ ଚୁକ୍ତି ହୋଇଛି ତାହା ପ୍ରଦାନ କରି ଦୈନନ୍ଦିନ ରିପୋର୍ଟ ଆଧାର ରେ ବିଲ ପଇଠ କରିବା, ମହାନଗର ନିଗମ ପକ୍ଷରୁ କରାଯାଉଥିବା କାର୍ଯ୍ୟରେ ସୂଚନା ଫଳକ ଲଗାରଇବା, ଆବର୍ଜନା ପରିଚାଳନା ପାଇଁ ଏସ୍ଏମ୍‌ସିକୁ ୪ଟି ଜୋନ୍‌ରେ ଭାଗ କରାଯାଇଛି ସତ ମାତ୍ର ଏଥିରେ ଅନ୍ୟାନ୍ୟ ସମସ୍ତ ସଫେଇ କାର୍ଯ୍ୟ ପାଇଁ ମୋଟ ୩ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ପ୍ରତି ମାସରେ ଖର୍ଚ୍ଚ କରାଯାଉଛି। ଏହା ସତ୍ତ୍ଵେ ମହାନଗରରେ ଏଭଳି କୌଣସି ୱାର୍ଡ ନାହିଁ ଯେଉଁଠି ଆବର୍ଜନା ଏବଂ ସଫେଇ ପରିଚାଳନା ନେଇ ଲୋକେ ଅତିଷ୍ଠ ହୋଇ ରହି ନାହାନ୍ତି। ଏଣୁ ସଫେଇରେ ଏକ ବଡ଼ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ଜଣାପଡୁଛି। ନିୟୋଜିତ ସଫେଇ କର୍ମଚାରୀମାନଙ୍କ ନାମ, ଠିକଣା, ମୋବାଇଲ ନମ୍ବର ପ୍ରଦାନ କରିବା ଦାବି କରାଯାଇଛି। ଏହା ସହିତ ଠିକା ସଂସ୍ଥା ଗତ ୪ ରୁ ୫ ମାସ ହେଲା ସଫେଇ କର୍ମଚାରୀ, ଆବର୍ଜନା ଗାଡ଼ି କର୍ମଚାରୀଙ୍କ ଦରମା ନିୟମିତ ଦେଉ ନଥିବା ଅଭିଯୋଗ ହେଉଛି। ଏପରିକି ସେମାନଙ୍କ ନାମରେ ଯେତିକି ଟଙ୍କା ଆସୁଛି ସେହି ହିସାବରେ ମଧ୍ୟ ସେମାନଙ୍କୁ ବେତନ ଦିଆଯାଉନଥିବା ଅଭିଯୋଗ ହେଉଛି। ବେତନ ସୁନିଶ୍ଚିତ ପାଇଁ ପଦକ୍ଷେପ ଗ୍ରହଣ କରିବା, ସମ୍ବଲପୁର, ବୁର୍ଲା ଓ ହୀରାକୁଦ ପାଇଁ ସ୍ଥାୟୀ ବର୍ଷାପାଣି ଓ ଦୂଷିତ ପାଣି ପରିଚାଳନା ବ୍ୟବସ୍ଥା ସୃଷ୍ଟି କରିବା, ଉଠା ଦୋକାନୀଙ୍କୁ ବ୍ୟବସ୍ଥିତ ଭାବେ ପୁନର୍ବାସ କରିବା, ନଗରର ବିକାଶ ପାଇଁ ପାର୍କିଂ ସୁବିଧା, ଅଧିକ ସଚଳ ସଡ଼କ ନିର୍ମାଣ କରିବା, ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ମଡ୍ୟୁଲାର୍ ଟ୍ରିଟମେଣ୍ଟ ପ୍ଲାଣ୍ଟ (ବାଲିବନ୍ଧା ଓ ବିନଖଣ୍ଡି) ରେ ସ୍ଥାପନ କରି ଦୂଷିତ ପାଣି ସୋଧିତ କରି ମହାନଦୀରେ ଛାଡିବା, ଟାଙ୍ଗନା ନାଳ ଓ ଧୋବିଯୋର ଡ୍ରେନେଜ ର ବିକାଶ କରିବା, ଏସଏମସିରେ କେତେ ଜଣ ଆଉଟ୍‌ସୋରସିଂ କର୍ମଚାରୀ ନିୟୋଜିତ ଅଛନ୍ତି ଓ କେତେ ଟଙ୍କା ମାସକୁ ଖର୍ଚ୍ଚ କରାଯାଉଛି ତା'ର ତଥ୍ୟ ପ୍ରକାଶ କରିବା ଏବଂ ବିନା ଟେଣ୍ଡରରେ ଲାଇଟ୍‌ ଲଗାଇ ଖୋଲିନେବା ଘଟଣାର ତଦନ୍ତ କରିବା, ବ୍ୟାଙ୍କରେ ୪ କୋଟି ଟଙ୍କାର ଫେକ ଚେକ ଡିପୋଜିଟ ଘଟଣାର ଭିଜିଲାନ୍ସ ତଦନ୍ତ କରିବାକୁ ଦାବି କରାଯାଇଛି। ଉପରୋକ୍ତ ଦାବି ଗୁଡିକ ଯଦି ଆଗାମୀ ଦିନରେ ମହାନଗର ନିଗମ ପୂରଣ କରିବାରେ ଏବଂ ସହରବାସୀଙ୍କୁ ମୌଳିକ ସୁବିଧା ପ୍ରଦାନରେ ବିଫଳ ହୁଏ ତେବେ ଏକ ଦାୟିତ୍ୱବାନ ଦଳ ଭାବରେ କଂଗ୍ରେସ ଏକ ବଡ଼ ଧରଣର ଆନ୍ଦୋଳନ କରିବ ଏବଂ ଏଥିପ୍ରତି ସରକାର ଦାୟୀ ରହିବେ ବୋଲି ସଂଯୋଜକ ଶ୍ରୀ ପାଢ଼ୀ କହିଛନ୍ତି।

ଆଜିକାର ଏହି ଦାବି ପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ଜ଼ିଲ୍ଲା ମହିଳା କଂଗ୍ରେସ ପୂର୍ବତନ ସଭାନେତ୍ରୀ ସୁତପା ମିତ୍ର, ଓବିସି ଜ଼ିଲ୍ଲା ସଭାପତି ଶିବବ୍ରତ ପ୍ରଧାନ, ଲଷ୍ମୀ ପ୍ରଧାନ, ସଂଖ୍ୟା ଲଘୁ ସେଲ ର ବାବୁ ଖାନ, ଏମ୍. ଡି. ସଲିମ, ନାରୀନେତ୍ରୀ କବିତା ପଟ୍ଟନାୟକ, ଡଲି ଅହମଦ, ବିରଞ୍ଚି ମହାପାତ୍ର, ଦିନେଶ ସାନବଡ଼ ପ୍ରମୁଖ ସାମିଲ ଥିଲେ। ପୂର୍ବତନ କାଉନସିଲର ଲାଲ ମୋହନ ସାଠିଆ, କୃଷ୍ଣ ସୁନାର ଓ ଅଶୋକ ସୋନି, ରାଜ୍ୟ କୃଷକ ସେଲ ସମ୍ପାଦକ ଗୋବିନ୍ଦ୍ ମିଶ୍ର, ପିସିସି ସଭ୍ୟା ଆଇନଜୀବୀ ଚନ୍ଦ୍ର ପୁରୋହିତ, ଆଇନଜୀବୀ ଅରୁଣ କୁମାର ପ୍ରମୁଖ ବିଭିନ୍ନ ସମସ୍ୟା ସମାଧାନ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରାଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande