ସବୁ ଶ୍ରେଣୀର କର୍ମଚାରୀଙ୍କୁ ପୁରୁଣା ପେନ୍‌ସନ୍ ଦାବିରେ ବିକ୍ଷୋଭ
ଭୁବନେଶ୍ୱର, ୨୩ ସେପ୍ଟେମ୍ବର (ହି.ସ.) – ପୁରୁଣା ପେନ୍‌ସନ୍ ଦାବିରେ ରାଜଧାନୀର ବିଧାନସଭା ସମ୍ମୁଖରେ ସମସ୍ତ ବର୍ଗର କର୍ମଚାରୀମାନେ ଏକ ବିଶାଳ ଶୋଭଯାତ୍ରା ଓ ଧାରଣା କାର୍ଯ୍ୟକ୍ରମ କରାଯିବା ସଂଗେସଂଗେ ମୁଖ୍ୟମନ୍ତ୍ରୀ, ଓଡ଼ିଶାଙ୍କୁ ବିଧାନସଭା ପ୍ରକୋଷ୍ଠ ଭିତରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଅଛି । ଅଖି
ସବୁ ଶ୍ରେଣୀର କର୍ମଚାରୀଙ୍କୁ ପୁରୁଣା ପେନ୍‌ସନ୍ ଦାବିରେ ବିକ୍ଷୋଭ


ଭୁବନେଶ୍ୱର, ୨୩ ସେପ୍ଟେମ୍ବର (ହି.ସ.) – ପୁରୁଣା ପେନ୍‌ସନ୍ ଦାବିରେ ରାଜଧାନୀର ବିଧାନସଭା ସମ୍ମୁଖରେ ସମସ୍ତ ବର୍ଗର କର୍ମଚାରୀମାନେ ଏକ ବିଶାଳ ଶୋଭଯାତ୍ରା ଓ ଧାରଣା କାର୍ଯ୍ୟକ୍ରମ କରାଯିବା ସଂଗେସଂଗେ ମୁଖ୍ୟମନ୍ତ୍ରୀ, ଓଡ଼ିଶାଙ୍କୁ ବିଧାନସଭା ପ୍ରକୋଷ୍ଠ ଭିତରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଅଛି । ଅଖିଳ ଭାରତ ରାଜ୍ୟ ସରକାରୀ କର୍ମଚାରୀ ମହାସଂଘର ନିଷ୍ପତିକ୍ରମେ ଏହି ଶୋଭଯାତ୍ରା ଓ ଧାରଣା କାର୍ଯ୍ୟକ୍ରମକୁ ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି ଓ ଓଡ଼ିଶା କର୍ମଚାରୀ ସଂଗ୍ରାମ ସମିତି ପକ୍ଷରୁ ଆୟୋଜନ କରାଯାଇଥିଲା । ୧୯୫୬ ମସିହାରେ ତ୍ରିପାକ୍ଷିକ ରାଜିନାମା ଅନୁଯାୟୀ ଓ ୧୯୬୬ ଓ ୧୯୯୯ ପେନ୍‌ସନ୍ ନିୟମ ଆଧାରରେ ରାଜ୍ୟ ସରକାରୀ କର୍ମଚାରୀମାନଙ୍କୁ ପେନ୍‌ସନ୍ ପ୍ରଦାନ କରାଯାଉଥିଲା । କିନ୍ତୁ ୨୦୦୪ରେ କେନ୍ଦ୍ର ସରକାର, ୨୦୦୫ରେ ରାଜ୍ୟ ସରକାର ଏଥିରେ ପରିବର୍ତନ ଆଣି ସବୁ ବର୍ଗର କର୍ମଚାରୀମାନଙ୍କୁ ଏନ୍‌.ପି.ଏସ୍‌. ପରିଧି ଭିତରକୁ ନେଇଆସିଲେ । ଯାହା ପୁରୁଣା ପେନ୍‌ସନ୍ ନିୟମ, ତ୍ରିପାକ୍ଷିକ ରାଜିନାମା ଓ ଏକ ଜନମଙ୍ଗଳକାରୀ ରାଷ୍ଟ୍ରର ମୌଳିକ ନିୟମକୁ କ୍ଷୁର୍ଣ୍ଣ କରୁଛି । ସମଜର ଆର୍ଥିକ ଓ ସାମାଜିକ ଜୀବନକୁ ବିପନ୍ନ କରୁଛି । ଅଖିଳ ଭାରତ ରାଜ୍ୟ ସରକାରୀ କର୍ମଚାରୀ ମହାସଂଘର ସଚେତନତା ପାଇଁ କ୍ରମାଗତ ଆନ୍ଦୋଳନ ଫଳରେ ସରକାର ଚାପଗ୍ରସ୍ତ ହୋଇ ଏନ୍‌.ପି.ଏସ୍‌. ବ୍ୟବସ୍ଥାରୁ ୟୁପିଏସ୍ ବ୍ୟବସ୍ଥାକୁ ପରିବର୍ତନ କରିଛନ୍ତି, ଯାହାଦ୍ୱାରା ୟୁପିଏସ୍ ନିୟମରେ ପେନ୍‌ସନ୍ ଶବ୍ଦ ହିଁ ସ୍ଥାନିତ ହୋଇନାହିଁ । ଏହା ଧର୍ମକୁ ଏକ ଆଖିଠାର । ଯେକୌଣସି ସମୟରେ ନିୟମ କାନୁନ୍‌କୁ ମାନି ଚଳୁଥିବା କର୍ମଚାରୀ ବର୍ଗଙ୍କ ଉପରେ ଆର୍ଥିକ ବିପନ୍ନତାକୁ ଲଦି ଦିଆଯାଉଅଛି । ଏହାର ପ୍ରତିବାଦରେ ଓ ଅନ୍ୟାନ୍ୟ କର୍ମଚାରୀ ନୀତି ବିରୁଦ୍ଧରେ ଆଜିର ଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଭାରତ ସମ୍ବିଧାନର ମୌଳିକ ଧାରା ଅନୁଯାୟୀ ନିୟମିତ କର୍ମଚାରୀ, ଠିକା କର୍ମଚାରୀ, ଜୁଡ଼ିସିଆଲ୍ କର୍ମଚାରୀ ଓ ଅଧିକାରୀ, ଆଇନ୍ ପ୍ରଣୟନକାରୀ ଓ ସେମାନଙ୍କ କାର୍ଯ୍ୟାଳୟରେ କାମ କରୁଥିବା ସମସ୍ତ ପ୍ରକାର କର୍ମଚାରୀଙ୍କୁ ଗୋଟିଏ ପ୍ରକାର ପେନ୍‌ସନ୍ ଦେବା ରାଜ୍ୟ ସରକାରଙ୍କ କର୍ତବ୍ୟ। କିନ୍ତୁ ଆମ ରାଜ୍ୟରେ ମାନ୍ୟବର ବିଧାୟକମାନଙ୍କର ପେନ୍‌ସନ୍‌, ଜଜ୍‌ମାନଙ୍କର ଅବସରକାଳୀନ ସୁବିଧା, କର୍ମଚାରୀମାନଙ୍କ ପେନ୍‌ସନରେ ବହୁ ତାରତମ୍ୟ ଦେଖାଯାଉଅଛି । ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏପରି କରାଗଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି କର୍ମଚାରୀ ନେତୃତ୍ୱମାନେ ରାଜ୍ୟ ସରକାରଙ୍କୁ ସତର୍କ କରାଇ ଦେଇଥିଲେ । କର୍ମଚାରୀମାନଙ୍କଠାରୁ ପ୍ରତି ମାସରେ ଯେଉଁ ଅର୍ଥ କଟାଯାଇଛି ଓ ସରକାର ତାଙ୍କର ମ୍ୟାଚିଙ୍ଗ୍ ଟଙ୍କା ଯାହା ଦେବେ ସେଗୁଡ଼ିକର ହିସାବ ସରକାର ନିଜ ହାତରେ ରଖିବାକୁ ବିଶିଷ୍ଟ ଅର୍ଥନୈତିକ ଶ୍ରୀ ଅସୀମ ଦାସଗୁପ୍ତା ସରକାରଙ୍କୁ ମତପୋଷଣ କରିଥିଲେ । କିନ୍ତୁ କେନ୍ଦ୍ର ସରକାର ଓ ରଜ୍ୟ ସରକାରମାନେ କେତେକ କର୍ମଚାରୀଙ୍କ ଅର୍ଥକୁ ବର୍ତମାନ ରିଲାଏନ୍ସରେ ଲଗାଇଛନ୍ତି, ଯାହାକି ଭବିଷ୍ୟତରେ ଫେରିବା ସନ୍ଦେହ ସୃଷ୍ଟି କରିଅଛି । ଉକ୍ତ ବିକ୍ଷୋଭ ଓ ଧାରଣା କାର୍ଯ୍ୟକ୍ରମରେ ଶତାଧିକ ସମନ୍ୱୟ ସମିତି, ସଂଗ୍ରାମ ସମିତି, ନିଖିଳ ଓଡ଼ିଶା ପେନ୍‌ସନର୍ସ ମହାସଂଘର ନେତୃତ୍ୱଙ୍କ ସମେତ ବୈଷୟିକ କର୍ମଚାରୀ ସଂଘ, ଅମଲା ସଂଘ, ଅନୁସୂଚିତ ଜନଜାତି ଓ ଜାତି ବିଭାଗର ଲେଡି ମେଟ୍ରୋନ୍ ମହାସଂଘର ନେତ୍ରୀଗଣ, ଅନୁସୂଚିତ ଜନଜାତି ଓ ଜାତି ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀ ନେତୃବୃନ୍ଦଙ୍କ ସମେତ ଅନେକ କର୍ପୋରେଟ୍ କାର୍ଯ୍ୟାଳୟର ନେତୃତ୍ୱମାନେ ଯୋଗଦେଇଥିଲେ । ଉକ୍ତ ବିକ୍ଷୋଭରେ ସମନ୍ୱୟ ସମିତିର ସଭାପତି ପ୍ରଶାନ୍ତ କୁମାର ମହାନ୍ତି, ସଂଗ୍ରାମ ସମିତିର ଅଧ୍ୟକ୍ଷ ଶୁଭେନ୍ଦୁ କୁମାର ରାଉତରାୟଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ ପରିଚାଳନା କରାଯାଇଥିଲା । ସମନ୍ୱୟ ସମିତିର ସାଧାରଣ ସମ୍ପାଦକ ସୁଜିତ୍ କୁମାର ନାୟକ, ସଂଗ୍ରାମ ସମିତିର ମହାସଚିବ ହୃଷିକେଶ ମହପାତ୍ର, ଅଶୋକ କୁମାର ପ୍ରହରାଜ, ମନୋଜ କୁମାର ନାୟକ, ପେନସନର୍ସ ମହାସଂଘର ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ମିଶ୍ର, କାର୍ଯ୍ୟକାରୀ ଅଧ୍ୟକ୍ଷ କ୍ଷେତ୍ରମୋହନ ଦାସ, ମହାସଚିବ ନରୋତମ ପାର୍ଥସାରଥୀ, କୋଷାଧ୍ୟକ୍ଷ କାହ୍ନୁଚରଣ ମଲ୍ଲିକ, କୃଷି ଅମଲା ସଂଘର ମନୋଜ କୁମାର ମଲ୍ଲିକ, ସୂର୍ଯ୍ୟ କୁମାର ମିଶ୍ର, ରାଜ୍ୟ ବୈଷୟିକ କର୍ମଚାରୀ ସଂଘର ଅସିଳ କୁମାର ବ୍ରହ୍ମ ଓ ସରୋଜ କୁମାର ନାୟକ, ଲେଡି ମେଟ୍ରୋନ୍ ମହାସଂଘର ଝରଣା ମହାନ୍ତ, ଅନୁସୂଚିତ ଜନଜାତି ଓ ଜାତି ବିଭାଗର ସେବକ ସେବିକା ସଂଘର ସଭାପତି ସତ୍ୟବାନ୍ ପତି, ମହାସଚିବ ଚିତ୍ତରଂଜନ ମହାନ୍ତ, ରାଜ୍ୟ ପଣ୍ୟଗାର କର୍ମଚାରୀ ମହାସଂଘର ଜ୍ୟୋତ୍ସ୍ନାରାଣୀ ଦେଇ, ପ୍ରଭାତ କୁମାର ପରିଡ଼ା, ରାଜ୍ୟ ପରିବହନ ମହାସଂଘର ସାଧାରଣ ସମ୍ପାଦକ କାଳୁଚରଣ ଗୌଡ଼, ରାଜ୍ୟ ଯାନ୍ତ୍ରିକ କର୍ମଚାରୀ ମହାସଂଘର ସାଧାରଣ ସମ୍ପାଦକ ଅଶୋକ କୁମାର ମୁଦୁଲି, ସମନ୍ୱୟ ସମିତିର କାର୍ଯ୍ୟକାରୀ ସଭାପତି ତଥା ଓଡ଼ିଶା ଅମଲାସଂଘର ବରିଷ୍ଠ ନେତୃତ୍ୱ ବଳିଆର ସିଂହ ଯୋଗଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande