ଆଦିବାସୀ ସଂସ୍କୃତିର ସୁରକ୍ଷା ପାଇଁ ଶିକ୍ଷକଙ୍କ ଅଭିନବ ପ୍ରୟାସ
ମାଲକାନଗିରି, ୨୩ ସେପ୍ଟେମ୍ବର (ହି.ସ.)- ମାଲକାନଗିରି ଏକ ଆଦିବାସୀ ଅଧ୍ଯୁଷିତ ଅଞ୍ଚଳ ଏଠାରେ କୋୟା, ବଣ୍ଡା, ଦିଦାୟୀ, ପରଜା ଭଳି ୧୬ଟି ଆଦିବାସୀ ଜନଜାତି ବସବାସ କରୁଥିବା ବେଳେ ଏମାନଙ୍କ କଳା, ପରମ୍ପରା ଓ ସଂସ୍କୃତି ଅତ୍ୟନ୍ତ ନିଆରା । ତେବେ ବର୍ତ୍ତମାନ ଆଧୁନିକତାର ଚାକଚକ୍ୟରେ ଆଦିବାସୀ କଳା ସଂସ୍କୃତି
ଆଦିବାସୀ ସଂସ୍କୃତିର ସୁରକ୍ଷା ପାଇଁ ଶିକ୍ଷକଙ୍କ ଅଭିନବ ପ୍ରୟାସ


ମାଲକାନଗିରି, ୨୩ ସେପ୍ଟେମ୍ବର (ହି.ସ.)- ମାଲକାନଗିରି ଏକ ଆଦିବାସୀ ଅଧ୍ଯୁଷିତ ଅଞ୍ଚଳ ଏଠାରେ କୋୟା, ବଣ୍ଡା, ଦିଦାୟୀ, ପରଜା ଭଳି ୧୬ଟି ଆଦିବାସୀ ଜନଜାତି ବସବାସ କରୁଥିବା ବେଳେ ଏମାନଙ୍କ କଳା, ପରମ୍ପରା ଓ ସଂସ୍କୃତି ଅତ୍ୟନ୍ତ ନିଆରା । ତେବେ ବର୍ତ୍ତମାନ ଆଧୁନିକତାର ଚାକଚକ୍ୟରେ ଆଦିବାସୀ କଳା ସଂସ୍କୃତି ଲୋପ ପାଉଥିବା ବେଳେ ଏହାକୁ ବଞ୍ଚାଇ ରଖିବା ପାଇଁ ମାଲକାନଗିରି ଜିଲା ତଣ୍ଡିକି ଆଶ୍ରମ ବିଦ୍ୟାଳୟର ସ‌ହକାରୀ ଶିକ୍ଷକ ଡି. ଜଗନ୍ନାଥ ରାଓ ଅଭିନବ ଉପାୟ ଆପଣେଇଛନ୍ତି । ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଶିକ୍ଷାଦାନ ସହ ଏକ ଲୋକକଳା ସଂଗଠନ ଗଠନ କରି ଆଦିବାସୀ ପରମ୍ପରା ନୃତ୍ୟ, ସଙ୍ଗୀତ, ପର୍ବପର୍ବାଣି, ପରମ୍ପରା ବିଧିକୁ ସେମାନଙ୍କ ପାରମ୍ପରିକ ପୋଷାକ, ବାଦ୍ୟଯନ୍ତ୍ର ଆଦି ସମ୍ପର୍କରେ ଶିକ୍ଷା ଦେଉଛନ୍ତି । ଏଥିସହ ବିରତି ସମୟରେ ସେମାନଙ୍କୁ ସଙ୍ଗୀତ, ନାଟକ, ଶିକ୍ଷା ମଧ୍ୟ ଦେଉଛନ୍ତି । ନିଜସ୍ୱ ଖର୍ଚ୍ଚରେ ଏହି ପରମ୍ପରା ସମ୍ପର୍କରେ ସଚେତନତା କରୁଥିବାବେଳେ ମାଲ୍ୟବନ୍ତ ମହୋତ୍ସବ ଠାରୁ ଆରମ୍ଭ କରି ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ରାଜ୍ୟ ସ୍ତରରେ ଏହି ଛାତ୍ରଛାତ୍ରୀଙ୍କୁ ନେଇ ଆଦିବାସୀ ପରମ୍ପରାର ପରିବେଷଣ କରାଇ ପୁରସ୍କୃତ ମଧ୍ୟ ହୋଇଛନ୍ତି ।

ଶ୍ରୀ ରାଓଙ୍କ କହିବା କଥା, ତାଙ୍କ ତିନିପୁରୁଷ ଧରି ମାଲକାନଗିରିରେ ବସବାସ କରୁଛନ୍ତି । ପୂର୍ବରୁ ମାଲକାନଗିରି ଜିଲାରେ ଯେଉଁ ଆଦିବାସୀ ସଂସ୍କୃତି ରହିଥିଲା ତାହା ଏବେ ଲୋପ ପାଇବାକୁ ବସିଛି। ଆଦିବାସୀ ନିଜ ପରମ୍ପରାକୁ ସମ୍ପୂର୍ଣ ଭୁଲି ଯାଇ ସହରୀ ପରମ୍ପରାକୁ ଆପଣାଉଥିବାରୁ ତାଙ୍କୁ ବିବ୍ରତ କରିଛି। ସେ ମଙ୍ଗଳ ବିଭାଗରେ ଶିକ୍ଷକତା କରୁଥିବା ବେଳେ ଆଗାମୀ ପିଢ଼ି ଯେଭଳି ଆଦିବାସୀ ସଂସ୍କୃତିକୁ ଭୁଲି ନ ଯାଆନ୍ତି ସେଥିପାଇଁ ସେ ଏହି ଛାତ୍ରଛାତ୍ରୀଙ୍କୁ ନେଇ ମାଲକାନଗିରି ଜିଲାରେ ଆଦିବାସୀ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ପ୍ରୟାସ ଜାରି ରଖିଥିବା କହିଛନ୍ତି। ଆଗାମୀ ଦିନରେ ଯଦି ଏହି ଲୋକ ସଂଗଠନକୁ ସରକାରୀ ମାନ୍ୟତା ଓ ସହାୟତା ମିଳିଲା ଏହାକୁ ରାଜ୍ୟ ଠାରୁ ଅନ୍ୟ ରାଜ୍ୟକୁ ମଧ୍ୟ ପ୍ରଚାର ପ୍ରସାର କରିବେ ବୋଲି ପ୍ରକାଶ କରିଛନ୍ତି ଶ୍ରୀ ରାଓ। ତାଙ୍କର ଏହି ପ୍ରୟାସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande