ମାଲକାନଗିରି, ୨୩ ସେପ୍ଟେମ୍ବର (ହି.ସ.)- ମାଲକାନଗିରି ଜିଲାରେ ବ୍ୟବସାୟୀଙ୍କୁ ଅପହରଣ, ଲୁଟ ମାମଲାରେ ଜଣେ ମହିଳା କନେଷ୍ଟବଳ ସମେତ ୩ ଜଣ ଗିରଫ ହୋଇଛନ୍ତି। ଏହି ମାମଲାରେ କନେଷ୍ଟବଳ ବାସନ୍ତୀ ବିଶ୍ବାସ ମାଷ୍ଟର ମାଇଣ୍ଡ ହୋଇଥିବାବେଳେ ବାଲିମେଳା ଗାଁର ସୁଲତାନ ସିଂ ଓ ପଶ୍ଚିମବଙ୍ଗ ଜୟରାମପୁର ଗାଁର ରାଜୁ ସେଖ ସହଯୋଗୀ ରହିଥିଲେ।
ଅଧିକ ବ୍ୟବସାୟ ଲୋଭ ଦେଖାଇ କର୍ଣାଟକ ଶ୍ରୀରାମପୁର ଥାନା କାଡ଼ପା ରାମଚନ୍ଦ୍ରପୁର ଗାଁର ବ୍ୟବସାୟୀ ରଘୁ ନରସିଂହଙ୍କୁ ଫୋନ୍ ଯୋଗେ ମାଲକାନଗିରି ଜିଲାକୁ ସୁଲତାନ ଓ ରାଜୁ ଡକାଇଥିଲେ। ପୂର୍ବରୁ ମାଲକାନଗିରିର ଶିବା ନାମକ ବ୍ୟକ୍ତିଙ୍କ ସହ ନରସିଂହଙ୍କ ପରିଚୟ ରହିଥିଲା। ନରସିଂହ ମାଲକାନଗିରିରେ ପହଞ୍ଚିବା ପରେ ସୁଲତାନ ଓ ରାଜୁଙ୍କ ସହ ଶିବା ପରିଚୟ କରାଇଥିଲେ। ନରସିଂହଙ୍କୁ ମାଲକାନଗିରିର ଗୋଟିଏ ହୋଟେଲରେ ରଖି ବ୍ୟବସାୟ ସମ୍ପର୍କରେ ଆଲୋଚନା କରାଯାଇଥିଲା। ପରେ ନରସିଂହଙ୍କୁ ଏମଭି୧୭ ଗାଁ ନିକଟ ଜଙ୍ଗଲକୁ ନେଇ ସେଠାରେ ତାଙ୍କୁ ଆକ୍ରମଣ କରାଯାଇଥିଲା। ତାଙ୍କ ମୋବାଇଲର ପାସୱାର୍ଡ ମାଗି ବ୍ୟାଙ୍କ ଖାତାରୁ ୮୨ ହଜାର ଟଙ୍କା ଲୁଟ୍ କରାଯାଇଥିଲା। ଏଥିସହ ଏକ ହୋଟେଲରେ ଥିବା ସମୟରେ ନରସିଂହଙ୍କ ଠାରୁ ସୁଲତାନ ଓ ରାଜୁ ୩ ଲକ୍ଷ ଟଙ୍କା ନଗଦ ନେଇଥିଲେ। ଏଥିସହ ବାସନ୍ତୀ ଜଣେ ପୁଲିସ ଅଧିକାରୀ ବୋଲି ପରିଚୟ ଦେଇ ସୁଲତାନ, ରାଜୁ ମିଶି ନରସିଂହଙ୍କୁ ଏମ୍.ଭି. ୧୪ ଗ୍ରାମକୁ ନେଇଥିଲେ। ସେଠାରେ ତାଙ୍କୁ ଆଉ ୩ ଲକ୍ଷ ଟଙ୍କା ଯୋଗାଡ଼ କଲେ ମୁକ୍ତି କରାଯିବ ବୋଲି କୁହାଯାଇଥିଲା। ନରସିଂହଙ୍କ କାର୍ ରାସ୍ତା ଉପରେ ଥିବାବେଳେ କିଛି ଗ୍ରାମବାସୀ ସନ୍ଦେହ କରି ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ନରସିଂହଙ୍କୁ ଥାନାକୁ ଆଣି ପଚରାଉଚରା ପରେ ପ୍ରକୃତ ଘଟଣା ଜଣାପଡ଼ିଥିଲା। ତଦନ୍ତ ପରେ ସୁଲତାନ, ରାଜୁ ଓ ବାସନ୍ତୀଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଏଥିପୂର୍ବରୁ ବାସନ୍ତୀଙ୍କ ନାମରେ ମାଲକାନଗିରି, ବାଲିମେଳା ଥାନାରେ ମାମଲା ରୁଜୁ ହୋଇଥିଲା। ଏଟିଏମ୍ ରୁ ଟଙ୍କା ଲୁଟ୍, ଗଞ୍ଜେଇ ବ୍ୟବସାୟରେ ସମ୍ପୃକ୍ତି ନେଇ ଗିରଫ ହୋଇଥିଲେ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ