ଭୁବନେଶ୍ୱର, 23 ସେପ୍ଟେମ୍ବର (ହି.ସ.)- ବିଧାନସଭାରେ
ବିଜେଡ଼ି ଓ କଂଗ୍ରେସର ହଟ୍ଟଗୋଳ ପ୍ରସଙ୍ଗରେ ବିଜେପିର ପ୍ରତିକ୍ରିୟା । ଓଡ଼ିଶାବାସୀଙ୍କ
ସ୍ବାର୍ଥ ପ୍ରସଙ୍ଗରେ ଗୃହରେ ଆଲୋଚନା ପାଇଁ ସରକାର ରାଜି ଅଛନ୍ତି । କିନ୍ତୁ ଉଭୟ ବିରୋଧୀ ଦଳ
ଗୃହ କାର୍ଯ୍ୟ ବ୍ୟାହତ କରୁଛନ୍ତି ବୋଲି ବିଜେପି ବିଧାୟକ ଅଶୋକ ମହାନ୍ତି କହିଛନ୍ତି । ସେ
କହିଛନ୍ତି ଯେ, ସେମାନେ ଉଠାଉଥିବା ପ୍ରସଙ୍ଗ ଉପରେ ସେମାନଙ୍କ ନିଜର ସ୍ଥିରତା ନାହିଁ ।
କେତେବେଳେ ସାର କଥା ଉଠାଇ ସେଥିରୁ ବିରତ ହୋଇଯାଉଛନ୍ତି, ପୁଣି ଏବେ ପଞ୍ଚାୟତିରାଜ ପ୍ରସଙ୍ଗ ଉଠାଇଲେଣି । ଅନ୍ୟପଟେ ପଞ୍ଚାୟତିରାଜ
ବ୍ୟବସ୍ଥାକୁ ଖୋଦ ପୂର୍ବ ବିଜେଡ଼ି ସରକାର ହିଁ ପଙ୍ଗୁ କରିଥିଲା । ଜଣେ ବ୍ୟକ୍ତି ହିଁ ରାଜ୍ୟ
ସାରା ବୁଲି ଲୋକଙ୍କ ସମସ୍ୟା ଶୁଣୁଥିଲେ । ଯାହାଦ୍ବାରା ପଞ୍ଚାୟତ ପ୍ରତିନିଧିଙ୍କ ଠାରୁ ଆରମ୍ଭ
କରି ବିଧାୟକ, ମନ୍ତ୍ରୀ ମାନଙ୍କର ମଧ୍ୟ କ୍ଷମତା ବ୍ୟାହତ ହେଉଥିଲା ।
କିନ୍ତୁ ବିଜେପି ସରକାର ଗ୍ରାମ ସଭାକୁ ଆଧାର କରି କାମ କରୁଛି । ତେଣୁ ପଞ୍ଚାୟତିରାଜ
ବ୍ୟବସ୍ଥାକୁ କେମିତି ବିଜେପି ସରକାର ହତ୍ୟା କଲା ବୋଲି ପ୍ରଶ୍ନ ଉଠାଇଛନ୍ତି ଅଶୋକ ମହାନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା