ଧର୍ମଶାଳା,୨୩ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକରେ ମିଶନ ଶକ୍ତିରେ କାର୍ଯ୍ୟରତ ସମସ୍ତ କମ୍ୟୁନିଟି ସପୋର୍ଟ ଷ୍ଟାଫ ମାନେ ନିଜର ପ୍ରାପ୍ୟ ହାସଲ ନିମନ୍ତେ ବ୍ଲକ ସମ୍ମୁଖରେ ଗତକାଲି ଠାରୁ ଧାରଣା ଦେଇଛନ୍ତି । ସୂଚନା ଅନୁଯାୟୀ ବ୍ଲକର ବିଭିନ୍ନ ମିଶନ ଶକ୍ତି ଅଧିନରେ ଏମବିକେ, ସିଆରପି, ବ୍ୟାଙ୍କ ମିତ୍ର,କୃଷିମିତ୍ର ଓ ପ୍ରାଣୀ ମିତ୍ର ଭାବେ କାର୍ଯ୍ୟକରୁଥିବା କର୍ମଚାରୀମାନଙ୍କୁ ପୁର୍ବରୁ ଏକ ନିର୍ଦ୍ଦିଷ୍ଟ ପ୍ରୋତ୍ସାହନ ରାଶି ମିଳୁଥିଲା । ହେଲେ ଏବେ ସରକାର ଏହାକୁ ଦୀର୍ଘ ୬ ମାସ ହେବ ବନ୍ଦ କରିଦେଇ ଉପରୋକ୍ତ କାର୍ଯ୍ୟରେ ନିୟୋଜିତ କର୍ମୀମାନଙ୍କୁ କାର୍ଯ୍ୟ ହିସାବରେ ପ୍ରୋତ୍ସାହନ ରାଶି ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ସରକାରଙ୍କ ନିଷ୍ପତିକୁ ସଙ୍ଘ ଅଗ୍ରାହ୍ୟ କରିବା ସହିତ ପୁରୁଣା ହିସାବରେ ସମସ୍ତ କର୍ମଚାରୀଙ୍କୁ ୬ ମାସର ବକେୟା ଦରମା ପ୍ରଦାନ କରିବାକୁ ଦାବି କରିଆସୁଛନ୍ତି । ଏନେଇ ସଂଘ ପକ୍ଷରୁ ବହୁବାର ବିଭାଗୀୟ ଅଧିକାରୀ ଓ ବିଡିଓଙ୍କୁ ଜଣାଜାଇଥିଲେ ମଧ୍ୟ ଏହାର ସମାଧାନ ହୋଇପାରୁନାହିଁ । ଯାହାକୁ ନେଇ ମିଶନ ଶକ୍ତିରେ କାର୍ଯ୍ୟରତ କର୍ମଚାରୀମାନେ ସମସ୍ତ କାର୍ଯ୍ୟ ବନ୍ଦ କରି ଗତକାଲି ଠାରୁ ବ୍ଲକ ସମ୍ମୁଖରେ ଧାରଣାରେ ବସିଛନ୍ତି । ସରକାର ସେମାନଙ୍କ ଦାବି ନମାନିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରିରହିବ ବୋଲି ସଙ୍ଘର ସଦସ୍ୟମାନେ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ