ପୁରୀ, ୨୩ ସେପ୍ଟେମ୍ବର (ହି.ସ.)- ରଥଯାତ୍ରା -୨୦୨୪ ସମୟରେ ମୂଳ ରତ୍ନଭଣ୍ଡାରରୁ ରତ୍ନ ଅଳଂକାର ଓ ସାମଗ୍ରୀ ସବୁ ଅସ୍ଥାୟୀ ଭଣ୍ଡାରକୁ ସ୍ଥାନାନ୍ତରିତ ହୋଇଥିଲା | ସଂରକ୍ଷଣ ତଥା ମରାମତି ପରେ ନୂଆ ରୂପ ପାଇଥିବା ଶ୍ରୀମନ୍ଦିର ମୂଳ ରତ୍ନଭଣ୍ଡାରକୁ ସମସ୍ତ ବହୁମୂଲ୍ୟ ଅଳଙ୍କାର ତଥା ସାମଗ୍ରୀ ଆଜି ସ୍ଥାୟୀ ଭାବରେ ନିଆଯାଇଛି l ଶୁଭବେଳା ଆଜି ପୂର୍ବାହ୍ନ ୧୦ ଟା ୫୫ ମିନିଟରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଠିକ୍ ଅପରାହ୍ନ ୨ ଟା ୫୫ ମିନିଟ୍ ସମୟରେ ଶେଷ ହୋଇଥିଲା l ଶ୍ରୀଜଗନ୍ନାଥ ମନ୍ଦିର ନିୟମାବଳୀ-୧୯୬୦ ଏବଂ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ, ଏହି କାର୍ଯ୍ୟ ସମ୍ପାଦିତ ହୋଇଛି l ଗତ ବର୍ଷ (୨୦୨୪) ରଥଯାତ୍ରା ସମୟରେ ମରାମତି ଓ ସଂରକ୍ଷଣ ଉଦ୍ଦେଶ୍ଯରେ ମୂଳ ରତ୍ନଭଣ୍ଡାର (ଉଭୟ ବାହାର ଏବଂ ଭିତର) ଅଳଙ୍କାର ତଥା ସାମଗ୍ରୀ ଅସ୍ଥାୟୀ ଭଣ୍ଡାର ବା ଷ୍ଟ୍ରଙ୍ଗରୁମ୍ ଭାବରେ ଖଟଶେଜ ଘର (ଭିତର) ଏବଂ ଚାଙ୍ଗଡ଼ା ଓ ଫୁଲ ଘର (ବାହାର ଭଣ୍ଡାର) କୁ ସ୍ଥାନାନ୍ତରିତ ହୋଇଥିଲା l ଗତ ଜୁଲାଇ ୭ ତାରିଖରେ ଏଏସଆଇ ପକ୍ଷରୁ ମୂଳ ରତ୍ନଭଣ୍ଡାର (ଉଭୟ ବାହାର ଏବଂ ଭିତର) ମରାମତି ତଥା ସଂରକ୍ଷଣ ଶେଷ ହୋଇଥିବା ବେଳେ ଆଜି ଅସ୍ଥାୟୀ ଭଣ୍ଡାରରୁ ସମସ୍ତ ବହୁମୂଲ୍ୟ ସାମଗ୍ରୀ ସ୍ଥାୟୀ ଭାବେ ମୂଳ ରତ୍ନଭଣ୍ଡାରକୁ ନିଆଯାଇଛି l ଏହି ସ୍ଥାନାନ୍ତର ପୂର୍ବରୁ ଗତ ୧୯ ତାରିଖରେ, ନୂଆ ରୂପ ପାଇଥିବା ଭଣ୍ଡାରକୁ ସଂସ୍କାର କରାଯାଇଥିଲା l
ପୂର୍ବନିର୍ଦ୍ଧାରିତ ବ୍ୟବସ୍ଥା ତଥା ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ, ଆଜି ପୂର୍ବାହ୍ନ ଶୁଭବେଳାରେ ରତ୍ନଭଣ୍ଡାର କମିଟି ତଥା ଉଚ୍ଚସ୍ତରୀୟ କମିଟି ସଦସ୍ୟ ମାନେ ପାରମ୍ପରିକ ପୋଷାକ ପରିଧାନ କରି ଶ୍ରୀମନ୍ଦିର ଜଗମୋହନକୁ ପ୍ରବେଶ କରିଥିଲେ l ମହାପ୍ରଭୁଙ୍କ ଦର୍ଶନ ଆଶୀର୍ବାଦ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା l ଟ୍ରେଜେରୀରୁ ଆସିଥିବା ଚାବିରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଅସ୍ଥାୟୀ ଭିତର ଭଣ୍ଡାର ବା ଷ୍ଟ୍ରଙ୍ଗରୁମ୍ ଖଟଶେଜ ଘର ଖୋଲାଯାଇଥିଲା l ସମସ୍ତ ବହୁମୂଲ୍ୟ ସାମଗ୍ରୀ ସେଠାରୁ ସ୍ଥାୟୀ ଭିତର ଭଣ୍ଡାରକୁ ନିଆଯାଇଥିଲା l ସମସ୍ତ ଅଳଂକାର ଓ ସାମଗ୍ରୀ ଯିବା ପରେ ବ୍ୟବସ୍ଥା ଅନୁସାରେ ମୂଳ ଭିତର ରତ୍ନଭଣ୍ଡାରକୁ ତାଲା ପକାଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସିଲ କରାଯାଇଥିଲା ଏବଂ ସମ୍ପୃକ୍ତ ଚାବି ଜିଲ୍ଲା ଟ୍ରେଜେରୀରେ ଜମା ଦିଆଯାଇଛି l
ଏହା ପରେ ବ୍ୟବସ୍ଥା ଅନୁସାରେ, ଚାଙ୍ଗଡ଼ା ଘର ଅସ୍ଥାୟୀ ବାହାର ଭଣ୍ଡାର ବା ଷ୍ଟ୍ରଙ୍ଗରୁମ୍ ଖୋଲା ଯାଇଥିଲା l ଗଜପତି ମହାରାଜାଙ୍କ ଚାବି, ଶ୍ରୀମନ୍ଦିର ପ୍ରଶାସନ ଏବଂ ଭଣ୍ଡାର ମେକାପଙ୍କ ତିନି ଗୋଟି ଚାବି ଆସି ଏହା ଖୋଲାଯାଇଥିଲା l ସେଠାରୁ ସମସ୍ତ ସାମଗ୍ରୀ ନୂଆ ରୂପ ପାଇଥିବା ମୂଳ ବାହାର ଭଣ୍ଡାରକୁ ନିଆଯାଇଥିଲା l ସବୁ ସାମଗ୍ରୀ ସ୍ଥାନାନ୍ତର ହେବା ପରେ ମୂଳ ବାହାର ଭଣ୍ଡାରକୁ ତିନିଟି ଯାକ ତାଲା ପକାଇ ବନ୍ଦ କରାଯାଇଥିଲା l ଉଭୟ ଭଣ୍ଡାର ସାମଗ୍ରୀ ସ୍ଥାନାନ୍ତର ପ୍ରକ୍ରିୟା ଭିଡିଓଗ୍ରାଫି ମଧ୍ୟ କରାଯାଇଥିଲା। କାର୍ଯ୍ୟ ସମାପନ ପରେ ସମସ୍ତ ସଦସ୍ୟ ମାନେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ପ୍ରଣିପାତ ଜଣାଇଥିଲେ l ସୁରକ୍ଷା ଯାଞ୍ଚ ପରେ ସମସ୍ତ ସଦସ୍ୟ ଜଗମୋହନରୁ ପ୍ରସ୍ଥାନ କରିଥିଲେ।
ସମଗ୍ର ରତ୍ନଭଣ୍ଡାର ପ୍ରକ୍ରିୟାରେ ଅକୁଣ୍ଠ ସହଯୋଗ ତଥା ମାର୍ଗଦର୍ଶନ ପାଇଁ ରାଜ୍ୟ ସରକାର, ଶ୍ରୀମନ୍ଦିର ପରିଚାଳନା କମିଟି ତଥା ଏହାର ଅଧ୍ୟକ୍ଷ ଶ୍ରୀ ଗଜପତି ମହାରାଜା, ଉଚ୍ଚ ସ୍ତରୀୟ କମିଟିର ଅଧ୍ୟକ୍ଷ ତଥା ଏହାର ସମସ୍ତ ସଦସ୍ୟ, ସମସ୍ତ ନିଯୋଗର ସେବକ ବନ୍ଧୁ ମାନେ, ଏଏସଆଇ ର ସମସ୍ତ ଅଧିକାରୀ/କର୍ମଚାରୀ, ଶ୍ରୀମନ୍ଦିର, ଜିଲ୍ଲା ଏବଂ ପୋଲିସ ପ୍ରଶାସନର କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ବନ୍ଧୁମାନେ ଏବଂ ଦର୍ଶନ କଟକଣା ଆଦି ସତ୍ତ୍ୱେ ମହାପ୍ରଭୁଙ୍କ ସେବାରେ ସହଯୋଗ କରିଥିବା ଅଗଣିତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭକ୍ତ ମାନଂକୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ l
ହିନ୍ଦୁସ୍ଥାନ ସମାଚାର / ବିଜୟ