ମାଲକାନଗିରି,୨୫ ସେପ୍ଟେମ୍ବର (ହି.ସ.) - ମାଲକାନଗିରି ସଦର ପୁଲିସକୁ ମିଳିଛି ବଡ଼ ସଫଳତା । ପାଟ୍ରୋଲିଂ କରୁଥିବା ସମୟରେ ଗୋଟିଏ ଟ୍ରକରୁ ୬୧୫ କିଲୋ ଗଂଜେଇ ଜବତ କରିବା ସହ ୨ ଜଣ ଗଂଜେଇ ଚାଲାଣକାରୀକୁ ଗିରଫ କରିଛି କୋରୁ କୋଣ୍ଡା ପୁଲିସ। ବିଶେଷ ସୂତ୍ରରୁ ଖବର ପାଇ ଗତକାଲି ରାତିରେ କୋରୁ କୋଣ୍ଡା ସଦର ଆଇଆଇସି ହିମାଂଶୁ ବାରିକଙ୍କ ନେତୃତ୍ୱରେ ଏକ ଟିମ ତାର୍ଲାକୋଟା ଛକ ନିକଟରେ ପେଟ୍ରୋଲିଂ କରୁଥିଲେ।ଚିତ୍ରକୋଣ୍ଡା ପଟ ରୁ ଆସୁଥିବା ଟାଟା ୧୧୦୯ ଟ୍ରକୁ ଅଟକାଇ ଯାଂଚ କରୁଥିବା ବେଳେ ସେଥିରେ ଗଂଜେଇ ଲଦା ହୋଇଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ଟ୍ରକକୁ ଜବତ କରିବା ସହ ଏହି ଗଂଜେଇ ଚାଲାଣ କରୁଥିବା ଦୁଇ ଆସାମୀକୁ କାବୁ କରିଥିଲେ। ପରେ ଆଜି ପଚରାଉଚରା କରିବା ସହ ଗଂଜେଇ ଓଜନ କରିବା ପରେ ଏହି ଟ୍ରକରେ ୬୧୫ କିଲୋ ଗଂଜେଇ ରହିଥିବା ପୁଲିସ ଜାଣିବାକୁ ପାଇଥିଲା। ସୂଚନାଯୋଗ୍ୟ ଯେ ଏହି ଟ୍ରକଟି ଚିତ୍ରକୋଣ୍ଡାରୁ ଯୋଧପୁର ଯାଉଥିଲା। ଏହି ଟ୍ରକରେ ସିମେଂଟ ବୋଝେଇ ହୋଇ ଚିତ୍ରକୋଣ୍ଡା ଆସିଥିଲା। ଏଠାରୁ ଯିବା ସମୟରେ ଗଂଜେଇ ଲଦି ପାର ହେବାକୁ ଚେଷ୍ଟା କରୁଥିଲା। କିନ୍ତୁ ପୁଲିସକୁ ଠିକ ସମୟରେ ସୂଚନା ମିଳିବା ପରେ ପୁଲିସର ଧରପଗଡ ଯୋଗୁଁ ଏତେ ପରିମାଣର ଗଂଜେଇ ଜବତ କରାଯାଇପାରିଛି। ଗଂଜେଇର ମୂଲ୍ୟ ୬୦ ଲକ୍ଷରୁ ଊର୍ଦ୍ଧ୍ୱ ହେବ ବୋଲି ଅନୁମାନ କରାଯାଉଛି ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ