ବାରିପଦା, ୨୫ ସେପ୍ଟେମ୍ବର (ହି.ସ.)- ରାତିରେ ଲୋକେ ଘରେ ଶୋଇଥିବା ବେଳେ ଭିନ୍ନ ଭାବେ କାର ଚୋରି କରିଛନ୍ତି। ଘର ଛାତରୁ ଟାଇଲ ଖୋଲି ଘର ଭିତରେ ପଶିଲେ ଆଉ ଚାବି ନେଇ ଦୃର୍ବୁତ୍ତ କାର ଚୋରି କରିଛନ୍ତି। ଏହିଭଳି ଏକ ଅଭିନବ ଉପାୟରେ କାର ଚୋରି ଘଟଣା ବାରିପଦା ସହରରେ ସାମ୍ନାକୁ ଆସିଛି। ବାରିପଦା ଟାଉନ ଥାନା ଅର୍ନ୍ତଗତ ଦେଉଳ ସାହିରେ ଏହି ଚୋରି ହୋଇଛି। ସେଠାରେ ଭଡାରେ ସୋମନାଥ ପାତ୍ର ରହୁଛନ୍ତି। ବୁଧବାର ବିଳମ୍ବିତ ରାତିରେ ଶୋଇଥିବା ସମୟରେ ଜଣେ ଦୁର୍ବୁତ୍ତ ତାଙ୍କ ଘରର ଟାଇଲ ଖୋଲି ଘର ଭିତରେ ପଶିଥିଲେ। ରାତି ପ୍ରାୟ ୧ଟା ୩୦ରେ ଘରେ ପଶି କାର ଚାବି ଚୋରି କରି ନେଇଥିଲେ। ଏହାପରେ ଗାଡ଼ିକୁ ଚୋରି କରି ନେଇଥିଲେ। ସୋମନାଥ ଭୋର ସମୟରେ ନିଦ ଭାଙ୍ଗିବାରୁ ଘର କବାଟ ଖୋଲା ଥିବାର ଦେଖିବା ପରେ ଗାଡ଼ି ଚାବି ସହ ମୋବାଇଲ ନଥିବାର ଦେଖିବାକୁ ପାଇଥିଲେ। ଏହାପରେ ଘର ବାହାରେ ପାର୍କିଂ କରିଥିବା କାର ମଧ୍ୟ ଦେଖିବାକୁ ପାଇନଥିଲେ। ବହୁ ଖୋଜାଖୋଜି ପରେ କାର ନପାଇ ନିରୁପାୟ ହୋଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ବାରିପଦା ଟାଉନ ଥାନାରେ ଏନେଇ ଏକ ଲିଖିତ ଅଭିଯୋଗ କ୍ରମେ ପୋଲିସ ସ୍ଥାନୀୟ ଅଞ୍ଚଳର ସିସି ଟିଭି ଯାଞ୍ଚ କରି ଅଧିକ ତଦନ୍ତ ଜାରି ରଖିଛି। ତେବେ ସହରରେ ବାରମ୍ବାର ଚୋରି ହେଉଥିବା ବେଳେ କଡାକଡି ପେଟ୍ରୋଲିଂ ନେଇ ଦାବି ହୋଇଛି।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ