ସମ୍ବଲପୁର, ୨୫ ସେପ୍ଟେମ୍ବର (ହି.ସ.) ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଘରୋଇ ହିଂସା ପ୍ରତିରୋଧ ଆଇନ ଓ ଯୌତୁକ ନିଷେଧ ଅଧିନିୟମକୁ ନେଇ ଏକ ଦୁଇ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସଂଯୁକ୍ତା ସାହୁ ସ୍ବାଗତ ସମ୍ଭାଷଣ ପ୍ରଦାନ କରିବା ପରେ ଅଧିକାରିଣୀ ଜୟନ୍ତୀ ଗର୍ତ୍ତିଆ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରି ସମସ୍ତଙ୍କ ଘରୋଇ ହିଂସା ଆଇନ ଓ ଯୌତୁକ ପ୍ରତିରୋଧ ଆଇନର ଉପଯୁକ୍ତ କାର୍ଯ୍ଯକାରିତା ପାଇଁ ଏହି କାର୍ଯ୍ୟକ୍ରମ ହୋଇଛି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ତାଲିମ୍ ଦାତା ଭାବେ ଏଡ୍. ଏଟ୍.ଆକ୍ସନ ଜିଲ୍ଲା ସାଂଯୋଜିକା ସୁନୀତା ତ୍ରିପାଠୀ ଓ କିଶୋର ନ୍ୟାୟ ଆଇନ ସଦସ୍ୟା ବାଣୀ ମହାପାତ୍ର ଆଇନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।ଏହି କାର୍ଯ୍ୟକ୍ରମରେ ମହିଳା ଥାନା ତରଫରୁ ଆନା ମୀନଜ୍ ଯୋଗ ଦେଇ ଘରୋଇ ହିଂସାରେ ପୋଲିସର ଭୂମିକା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ସହକାରୀ ଜିଲ୍ଲାପାଳ ଜଲିରାଣୀ ପ୍ରଧାନ ଏହି କାର୍ଯ୍ଯକ୍ରମରେ ଅତିଥି ଭାବରେ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଯୁବକ ସଂଘ, ପାରା ଲିଗାଲ କର୍ମୀ, ଜିଲ୍ଲା ଆଇନ ସହାୟତା କେନ୍ଦ୍ର, ସ୍ବେଛାସେବୀ ସଂଗଠନ ସଭ୍ୟ, ଶକ୍ତି ସଦନ କର୍ମକର୍ତ୍ତା, ସଖୀ କର୍ମକର୍ତ୍ତା, ପ୍ରୋଗ୍ରାମ ଅଫିସର ଓ 'ହବ'ର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ । ଛୋଟଲାଲ ସାହୁ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଶେଷରେ ସରିତା ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ