ଚମ୍ପୁଆ, ୨୫ ସେପ୍ଟେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ଆବାସ ଅନୁଦାନରେ ସରକାରୀ ଜମିରେ ନିର୍ମିତ ଗୃହରେ ଚାଲୁଥିଲା ଖ୍ରୀଷ୍ଟିୟାନ ଧର୍ମ ପ୍ରଚାର । ଖ୍ରୀଷ୍ଟିୟାନ ପ୍ରଚାରକମାନେ ଅଧିକାଂଶ ସମୟ ଗାଁ କୁ ଆସି ଏଠାରେ ସ୍ଥାନୀୟ ସରଳ ହିନ୍ଦୁ ଆଦିବାସୀ ମାନଙ୍କୁ ପ୍ରଲୋଭନ କରି ଧର୍ମ ପରିବର୍ତ୍ତନ କରାଉଥିଲେ। ଫଳରେ ଗ୍ରାମରେ ସାମାଜିକ ସଦଭାବ ନଷ୍ଟ ହେଉଥିବା ଅଭିଯୋଗ ହେଉଥିଲା। ଯାହାକୁ ନେଇ ଗାଁ ରେ ଅସନ୍ତୋଷ ବୃଦ୍ଧି ପାଇବା ସହ ମଝିରେ ମଝିରେ ଗଣ୍ଡଗୋଳ ମଧ୍ୟ ହେଉଥିଲା। ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଗୃହକୁ ଚମ୍ପୁଆ ପ୍ରଶାସନ ସିଲ କରିଛି ।
ଖବର ଅନୁସାରେ, ଚମ୍ପୁଆ ବ୍ଲକ ଚନ୍ଦ୍ରଶେଖରପୁର ପଞ୍ଚାୟତ ଅନ୍ତର୍ଗତ ବଳଭଦ୍ରପୁର ଗ୍ରାମରେ ଏକ ସରକାରୀ ଜମି ଖାତା ନମ୍ବର ୬୪, ପ୍ଲଟ ନମ୍ବର ୪୧୩ ଜମିରେ ଉକ୍ତ ଗ୍ରାମର ମକରା ମୁଣ୍ଡାଙ୍କ ସ୍ତ୍ରୀ ଜେମାମଣି ମୁଣ୍ଡାଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ କରିଥିଲେ। ଏହି ଆବାସ ଗୃହକୁ ଖ୍ରୀଷ୍ଟିୟାନ ଧର୍ମ ପ୍ରଚାର ପାଇଁ ଚର୍ଚ୍ଚ ଭାବେ ବ୍ୟବହାର କରାଯାଉଥିଲା। ପ୍ରତ୍ୟେକ ସପ୍ତାହର ରବିବାର ଦିନରେ ବିଭିନ୍ନ ଅଞ୍ଚଳରୁ ଆସୁଥିବା କିଛି ଖ୍ରୀଷ୍ଟ ଧର୍ମ ପ୍ରଚାରକ ମାନେ ଏହି ଘରେ ଧର୍ମ ପ୍ରଚାର କରିବା ସହ ଏଠାରେ ସ୍ଥାନୀୟ ସରଳ ହିନ୍ଦୁ ଆଦିବାସୀଙ୍କୁ ପ୍ରଲୋଭନ ଦେଖାଇ ଧର୍ମ ପରିବର୍ତନ ମଧ୍ୟ କରାଉଥିଲେ। ଏହାକୁ ଗ୍ରାମବାସୀ ମାନେ ବାରମ୍ବାର ବିରୋଧ କରି ଆସୁଥିଲେ । ଯାହାକୁ ନେଇ ଦୁଇ ପକ୍ଷ ମୁହାଁମୁହିଁ ହେବା ସହ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇ ଆସୁଥିଲା । ଏ ସମ୍ପର୍କରେ ପୂର୍ବରୁ ମଧ୍ୟ ଚମ୍ପୁଆ ପୁଲିସ୍ ଗ୍ରାମରେ ପହଞ୍ଚି ଦୁଇ ପକ୍ଷଙ୍କୁ ବୁଝାସୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଏଇ ନିକଟରେ ଗାଁ ରେ ଦୁଇ ଗେlଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇ ମାମଲା ଥାନା ପର୍ଯ୍ୟନ୍ତ ଯାଇଥିଲା। ତେଣୁ ପରିସ୍ଥିତିର ଗୁରୁତ୍ବକୁ ଉପଲବ୍ଧି କରି ଚମ୍ପୁଆ ପ୍ରଶାସନ ପକ୍ଷରୁ ବିନା ଅନୁମତି କେଶ ନମ୍ବର ୪୦୯/୨୦୨୫ ମୁତାବକ ଚମ୍ପୁଆ ତହସିଲଦାର ସଜତ ମାର୍କେ, ଚମ୍ପୁଆ ଥାନା ଅଧିକାରୀ ରମାକାନ୍ତ ମୁଦୁଲି, ଅତିରିକ୍ତ ତହସିଲଦାର ପ୍ରତୀକ୍ଷା ପ୍ରିୟଦର୍ଶିନୀଙ୍କ ଉପସ୍ଥିତିରେ ଏହି ଗୃହକୁ ଜଉମୁଦ ଦ୍ୱାରା ସିଲ କରାଯାଇଛି। ଏହା ସହିତ ଏହି ଗୃହକୁ ଅନାଧିକାର ପ୍ରବେଶ ନିଷେଧ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / Trinath Mahanta