ଜୟପୁର, ୨୫ ସେପ୍ଟେମ୍ବର (ହି.ସ.)- ଅବିଭକ୍ତ କୋରାପୁଟ ଜିଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ମାନଙ୍କରେ ଅନେକ ପଦବି ଖାଲି ପଡିଛି । ଗଣ ଶିକ୍ଷା ବିଭାଗର ଉପାନ୍ତ ଅଞ୍ଚଳ ପ୍ରତି ଅବହେଳା ହେଉଥିବା ବେଳେ ଶିକ୍ଷକ ତାଲିମ ବାଧାପ୍ରାପ୍ତ ହୋଇଛି । ପ୍ରାଥମିକ ଶିକ୍ଷାର ଗୁଣାତ୍ମକ ବିକାଶ ତଥା ଶିକ୍ଷକ ମାନଙ୍କର ତାଲିମ ପାଇଁ ଅବିଭକ୍ତ କୋରାପୁଟ ଜିଲାରେ ଜିଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଗୁଡିକ ୧୯୮୮-୮୯ ପରବର୍ତୀ ସମୟରୁ ସ୍ଥାପନ କରାଯାଇଛି । ବିଭାଗ ତରଫରୁ ନିଯୁକ୍ତି ଦିଆଯାଉ ନାହିଁ କି ପଦୋନ୍ନତି ମଧ୍ୟ କରାଯାଉ ନାହିଁ । ଫଳରେ ଶିକ୍ଷକ ଶିକ୍ଷା ଅନୁଷ୍ଠାନରେ ଅଚଳ ଅବସ୍ଥା ଜାରି ରହିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଅବିଭକ୍ତ କୋରାପୁଟ ଜିଲା ରାୟଗଡା, କୋରାପୁଟ ନବରଙ୍ଗପୁର ଏବଂ ମାଲକାନଗିରି ଜିଲାରେ ଜିଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଏବଂ ୨ଟି ବ୍ଲକ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଛି । କିନ୍ତୁ, ଏସବୁ ଅନୁଷ୍ଠାନ ଗୁଡିକୁ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳନା ହେଉଛି । ଏଠାରେ କାର୍ଯ୍ୟରତ କର୍ମଚାରି ମାନଙ୍କୁ କେନ୍ଦ୍ର ସରକାର ଦରମା ଦିଅନ୍ତି । କିନ୍ତୁ, ରାଜ୍ୟ ସରକାର ନିଯୁକ୍ତି ଦିଅନ୍ତି । ଦୁର୍ଭାଗ୍ୟର କଥା ଶିକ୍ଷାନୁଷ୍ଠାନ ମାନଙ୍କରେ ଶିକ୍ଷକ ଓ ପ୍ରଶିକ୍ଷକଙ୍କ ଠାରୁ ଆରମ୍ଭ କରି ଅଧ୍ୟକ୍ଷ ପର୍ଯ୍ୟନ୍ତ ଅନେକ ପଦବି ଖାଲି ପଡିଛି । ଏସବୁ ଜିଲାରେ ସବୁଠାରୁ ଶିକ୍ଷକ ପ୍ରଶିକ୍ଷକ ୫୨ଟି ପଦବିରୁ ୨୮ଟି ଖାଲି ପଡିଛି । ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ସମୁଦାୟ ୨୮ଟି ପଦବୀରୁ ୧୯ଟି ପଦବୀ ଖାଲି ପଡିଛି । ଏହା ବ୍ୟତିତ ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀଙ୍କ ଜିଲାରେ ଦୁଇଟି ଅଧ୍ୟକ୍ଷ ପଦବୀ ଖାଲି ପଡିଛି । ତାହା ପୁରଣ ହୋଇ ପାରୁନାହିଁ । ତେଣୁ ଅବିଭକ୍ତ କୋରାପୁଟ ଜିଲାରେ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ମାନଙ୍କରେ କେଉଁଭଳି ଶିକ୍ଷାଦାନ ଦିଆଯାଉଛି ତାହା ସରକାରଙ୍କ ପାଖରେ ତଥ୍ୟ ନଥିବା ଅନୁମାନ କରାଯାଉଛି । ବର୍ଷ ବର୍ଷ ଧରି ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଶିକ୍ଷକ ପ୍ରଶିକ୍ଷକ ମାନଙ୍କର ବଦଳି ଆଦେଶ କରିନଥିବାରୁ ଏହି ସବୁ ପଦବି ପୁରଣ ହୋଇ ପାରୁ ନାହିଁ । ଏହା ବ୍ୟତିତ ପ୍ରଶିକ୍ଷଣ ଅନୁଷ୍ଠାନ ମାନଙ୍କରେ ଛାତ୍ର ଛାତ୍ରୀ ସେମାନଙ୍କର ସମସ୍ୟା ପାଇଁ ଅନେକ ଥର ଆନ୍ଦୋଳନ କରିଥିଲେ ମଧ୍ୟ ସରକାର କିଛି ପଦକ୍ଷେପ ନେଉ ନାହଁନ୍ତି । ଏନେଇ ରାୟଗଡା ଓ କୋରାପୁଟ ଜିଲାରେ ଛାତ୍ର ଅଶାନ୍ତି ଦେଖାଯାଇଛି । ତେଣୁ ସରକାର ଖୁବ ଶିଘ୍ର ଏସବୁ ଖାଲି ପଦବୀ ପୁରଣ ତଥା ଛାତ୍ର ଅଶାନ୍ତିର ସମାଧାନ ନ କଲେ ଶିକ୍ଷା ବ୍ୟବସ୍ଥାରେ ଘୋର ଅବ୍ୟବସ୍ଥା ଦେଖାଦେବ ବୋଲି ଶିକ୍ଷାବିତମାନେ ମତ ପ୍ରକାଶ କରିଛନ୍ତି । ସେହିପରି ଓଡିଶାରେ ୩୦ଟି ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଏବଂ ୪ ଗୋଟି ବ୍ଲକ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପ୍ରାଥମିକ ଶିକ୍ଷକମାନଙ୍କ ତାଲିମ୍ ପାଇଁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ସହଭାଗୀତାରେ ପ୍ରତିଷ୍ଠା କରାଯାଇଛି ଓ ଗଣଶିକ୍ଷା ବିଭାଗ ୩୦ା୧୧ା୧୯୯୦ ନିୟମ ଅନୁଯାୟୀ ଶିକ୍ଷକ ପ୍ରଶିକ୍ଷକ ମାନଙ୍କ ଚାକିରୀ ସର୍ତାବଳୀ କାର୍ଯ୍ୟକାରୀ ହେଉଅଛି । ସରକାର ଦୀର୍ଘ ୩୫ ବର୍ଷ ହେଲାଣି ଉକ୍ତ କର୍ମଚାରୀ ମାନଙ୍କର କ୍ୟାଡ଼ର ରୁଲ ପ୍ରସ୍ତୁତ ନ କରିବା ଦୁର୍ଭାଗ୍ୟଜନକ କଥା । ପ୍ରତ୍ୟେକ ବିଭାଗରେ ୧୦ ବର୍ଷ ପରେ କର୍ମଚାରୀ ମାନଙ୍କର କ୍ୟାଡର ରୁଲ ଆବଶ୍ୟକତା ଅନୁଯାୟୀ ପରିବର୍ତନ ଏବଂ ଉନ୍ନତି କରାଯାଉଛି । କ୍ୟାଡର ରୁଲ ନ ଥାଇ ମଧ୍ୟ ୧୯୯୦ ନିୟମ ଅନୁଯାୟୀ ଶିକ୍ଷକ ପ୍ରଶିକ୍ଷକମାନେ ନିୟମିତ ଚାକିରୀ କରିବାର ୮ ବର୍ଷ ପରେ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଭାବେ ପଦୋନ୍ନତି ପାଇବା ପାଇଁ ଯୋଗ୍ୟ ଏବଂ ସରକାରଙ୍କ ଦ୍ୱାରା ବିଚାର କରାଯିବା ଆବଶ୍ୟକ । କିନ୍ତୁ, ବର୍ତମାନ ରାଜ୍ୟରେ ୧୦ ବର୍ଷରୁ ଅଧିକ ନିୟମିତ ଶିକ୍ଷକ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିଥିବା ସତ୍ବେ ସେମାନଙ୍କୁ ସରକାର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଭାବେ ପଦୋନ୍ନତି ଦେଇନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଇତିମଧ୍ୟରେ ଅନେକ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ପଦବୀ ବିଭିନ୍ନ ପ୍ରତିଷ୍ଠାନରେ ଖାଲି ପଡିଛି ଏବଂ ଶିକ୍ଷକ ତାଲିମ ବାଧାପ୍ରାପ୍ତ ହୋଇଥିବା ଅଭିଯୋଗ କରିଛନ୍ତି । ଅନେକ ଶିକ୍ଷକ ପ୍ରଶିକ୍ଷକ ତାଙ୍କର ପଦୋନ୍ନତି ପାଇଁ ଗଣଶିକ୍ଷା ବିଭାଗର ସଚିବ ଏବଂ ଟି.ଇ.ଏଣ୍ଡ. ଏସ.ସି.ଇ.ଆର.ଟି ନିର୍ଦ୍ଦେଶକଙ୍କୁ ନିବେଦନ କରିସାରିଛନ୍ତି । ସରକାର ଶିକ୍ଷକ ପ୍ରଶିକ୍ଷକ ମାନଙ୍କ ପଦୋନ୍ନତି ପ୍ରତି ଶୀଘ୍ର ପଦକ୍ଷେପ ଗ୍ରହଣ କଲେ ସେମାନଙ୍କର ଶିକ୍ଷାଦାନ ପ୍ରତି ଅଧିକ ସୁସ୍ଥ ମାନସିକତା ରହିବ ବୋଲି ମତବ୍ୟକ୍ତ କରିଛନ୍ତି । ଏନେଇ ଜୟପୁର ସ୍ଥିତ ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନର ଅଧ୍ୟକ୍ଷ ରୁପ ଚନ୍ଦ୍ର ସୋରେନଙ୍କୁ ପଚାରିବାରୁ ସେ କହିଥିଲେ ଯେ, ୧୭ ଜଣଙ୍କ ମଧ୍ୟରୁ ୭ ଜଣ ଜୟପୁର ଅନୁଷ୍ଠାନରେ ଅଛନ୍ତି । ପଦବୀ ପୁରଣ ପାଇଁ ବାରମ୍ବାର ବିଭାଗୀୟ ଅଧିକାରିଙ୍କୁ ଚିଠି କରାଯାଉଛି । ପଦବୀ ପୁରଣ ହେଉନାହିଁ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଥିବା ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି