ବରଗଡ଼, ୨୫ ସେପ୍ଟେମ୍ବର (ହି.ସ.)- ବରଗଡ଼ର ଗ୍ରାମ୍ୟଦେବୀ ମା ସମଲେଶ୍ୱରୀଙ୍କ ଶାରଦୀୟ ନବ ଦିନାତ୍ମକ ପୂଜା ଜାରି ରହିଛି । ଗତ ୨୨ ତାରିଖରୁ ଆରମ୍ଭ ହୋଇଥିବା ଏହି ପୂଜା ଉତ୍ସବ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅବସରରେ ମା ସମଲେଶ୍ୱରୀଙ୍କୁ ବିଭିନ୍ନ ବେଶରେ ସଜ୍ଜିତ କରାଯାଇ ପୂଜାର୍ଚ୍ଚନା କରାଯାଉଛି । ଆଜି ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ମାଙ୍କ କୁଷ୍ମାଣ୍ଡା ବେଶ ଅନୁଷ୍ଠିତ ହୋଇଛି । ଶ୍ରଦ୍ଧାଳୁ ମାନଙ୍କୁ କୁଷ୍ମାଣ୍ଡା ବେଶରେ ଦର୍ଶନ ଦେଉଛନ୍ତି ମା ସମଲେଶ୍ୱରୀ । ଏହି ଅବସରରେ ମାଙ୍କ ଦର୍ଶନ ପାଇଁ ମନ୍ଦିରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ଭକ୍ତମାନେ ଯେପରି ସୁବିଧାରେ ମା ଙ୍କ ଦର୍ଶନ କରିପାରିବେ ସେନେଇ ମନ୍ଦିର କମିଟୀ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।
ପ୍ରକାଶ ଥାଉକି, ୨୨ ତାରିଖରେ ମାଙ୍କ ଶୈଳପୁତ୍ରୀ ବେଶ, ୨୩ ତାରିଖରେ ବ୍ରହ୍ମଚାରିଣୀ ବେଶ ଏବଂ ୨୪ ତାରିଖରେ ମା ସମଲେଶ୍ୱରୀଙ୍କ ଚନ୍ଦ୍ରଘଣ୍ଟା ବେଶ ଅନୁଷ୍ଠିତ ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ