ବଲାଙ୍ଗିର, 25 ସେପ୍ଟେମ୍ବର (ହି.ସ.)
ବିଗତ ବର୍ଷମାନଙ୍କରେ ବଲାଙ୍ଗିର ର ବିକାଶ ପାଇଁ ଅନେକ ପ୍ରକଳ୍ପ ର ଅନୁଦାନ ଅଣାଯାଇଥିଲା । ଅନେକ ପ୍ରକଳ୍ପ ସମ୍ପୁର୍ଣ୍ଣ ହୋଇ ଲୋକର୍ପିତ ହେଲା କିଛି ପ୍ରକଳ୍ପ ସରକାରୀ ଶଡଯନ୍ତ୍ର, ପ୍ରଶାସନିକ ଅବହେଳା ଯୋଗୁଁ ମୂଳ ଲକ୍ଷ୍ୟରୁ ଦୂରେଇ ଗଲା । ଯେପରି କି ମହାରାଣୀ ସାଗର ପାଇଁ ୨୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଅନୁଦାନ ବହୁ ବର୍ଷ ପୂର୍ବରୁ ଆସିଥିଲେ ହେଁ ଆଜି ପର୍ଯ୍ୟନ୍ତ ତାହା ସମ୍ପୁର୍ଣ୍ଣ ହୋଇପାରି ନାହିଁ । ପ୍ରଥମେ ନିର୍ମାଣକାରୀ ସଂସ୍ଥା ଏନ୍ବିସିସି ସହ ଚୁକ୍ତି ରେ ମହାରାଣୀ ସାଗର ର ପରିକଳ୍ପନା ଏକ ଉଚ୍ଚ କୋଟିର ପର୍ଯ୍ୟଟନ ଭଳି ପ୍ରତିୟମାନ ହେଉଥିଲା କିନ୍ତୁ କାହିଁକି କେଜାଣି ପରବର୍ତ୍ତି ସମୟରେ ଏହି ବହୁ କୋଟି ଟଙ୍କାର ପ୍ରକଳ୍ପକୁ ୧୦୦ ରୁ ଉର୍ଦ୍ଧ ସ୍ୱୟଂ ସହାୟକ ଗୋଷ୍ଠିଙ୍କୁ କାର୍ଯ୍ୟ ପ୍ରଦାନ କରିବା ନାଁ ରେ ଜଣେ ମାତ୍ର ଠିକାଦାରକୁ ନିୟୋଜିତ କରି କୋଟି କୋଟି ଟଙ୍କାର ଦୁର୍ନିତି କରାଗଲା । ଏଠାରେ ଦୁଃଖ ଲାଗେ ଯେ ଐତିହ୍ୟ ସମ୍ପୁର୍ଣ୍ଣ ଏହି ଜଳାଶୟ ବଲାଙ୍ଗିର ର ଏକ ପରିଚୟ ଅଟେ । ତଥାପି ମଧ୍ୟ ପ୍ରକଳ୍ପ ପ୍ରତି ହୋଇଥିବା ଅନ୍ୟାୟ ଓ ଦୁର୍ନିତି ବିରୁଦ୍ଧରେ କେହି ବି ସ୍ୱର ଉତ୍ତୋଳନ କଲେ ନାହିଁ । ଆମେ ଜାଣି ରଖିବା ଦରକାର ଯେତେବେଳେ ସାଧାରଣ ଜନତା କୌଣସି ଘଟଣା ଦୁର୍ଘଟଣାକୁ ନେଇ ପ୍ରତିକ୍ରିୟାଶୀଳ ହୁଅନ୍ତି ନାହିଁ ସେତେବେଳେ ଅଂଚଳର ବିକାଶରେ ସ୍ଥାଣୁତା ଆସିଯାଇଥାଏ ବୋଲି ଏକ ଘରୋଇ ହୋଟେଲ ରେ ଆୟୋଜିତ ହୋଇଥିବା ଏକ ମତବିନିମୟ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର ବଲାଙ୍ଗିରବାସୀଙ୍କୁ ଚେତେଇ ଦେଇଛନ୍ତି ସେ ଆହୁରି ମଧ୍ୟ କହିଛନ୍ତି ଯେ ଲୋୟର ସୁକତେଲ ଓ ଭୀମଭୋଇ ମେଡିକାଲ କଲେଜ କୁ ରାଜନୈତିକ ଉଦ୍ଦେଶ୍ୟ ନ ରଖି କାର୍ଯ୍ୟ ସମ୍ପୁର୍ଣ୍ଣ ହେବା ଆଗରୁ ଉଦ୍ଘାଟନ କରାଗଲା । ଦୁଃଖ ଲାଗେ ଦୁଇ ବର୍ଷ ପରେ ମଧ୍ୟ ଏହି ଉଭୟ ପ୍ରକଳ୍ପର ସ୍ଥିତି ଦୁଇ ବର୍ଷ ପୂର୍ବର ସ୍ଥିତି ସହ ସମାନ ଅଛି । ଏଥି ପାଇଁ ଦାୟି କିଏ ? ସରକାର, ନେତା ନା ଜନତା । ଠିକ୍ ସେହିପରି ବଲାଙ୍ଗିରବାସୀଙ୍କ ବହୁ ଦିନର ଦାବି କୃଷି ବିଶ୍ୱ ବିଦ୍ୟାଳୟକୁ ସମ୍ପୁର୍ଣ୍ଣ ଅଣଦେଖା କରାଗଲା । ନୁଆ ସରକାର ଆସିଲା ପରେ ଏହାକୁ ନେଇ ଲୋକଙ୍କର ଆଶା ବଢିଯାଇଥିଲା କାରଣ ଗତ ସରକାରରେ ଏହି ଦାବିକୁ ନେଇ ତତ୍କାଳିନ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ବେଳେ ବର୍ତ୍ତମାନର କୃଷିମନ୍ତ୍ରୀ ସେ ପ୍ରତିନିଧି ମଣ୍ଡଳିରେ ସାମିଲ ଥିଲେ କିନ୍ତୁ ଦୁଃଖର କଥା ବଲାଙ୍ଗିର କୁ କୃଷି ବିଶ୍ୱ ବିଦ୍ୟାଳୟ ନାଁ ରେ ଏକ କୃଷି ବିଦ୍ୟାଳୟ ଘୋଷଣା କରି ତୁଷ୍ଟିକରଣ କରାଗଲା । ସବୁଠୁ ବେଶି ଦୁଃଖ ଲାଗେ ବଲାଙ୍ଗିର ର ବୁଦ୍ଧିଜିବିି ଏହି ପ୍ରସଙ୍ଗକୁ ନେଇ ସମ୍ପୁର୍ଣ୍ଣ ଚୁପ । ତେବେ ଏପରି ପରିସ୍ଥିତି ରେ ବଲାଙ୍ଗିର ର ବିକାଶ ଆଗକୁ ଯିବ ନା ପଛମୁହାଁ ହେବ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ । ଆଲୋଚନା ବେଳେ ଶ୍ରୀ ମିଶ୍ର ବଲାଙ୍ଗିର ପାଇଁ ଚିନିକଳ, ବେରୋଜଗାର ପାଇଁ ନୂତନ ଶିଳ୍ପ, ଆଇନ ଶୃଙ୍ଖଳା ପରିସ୍ଥିତି ରେ ସୁଧାର, ଆୟୁର୍ବେଦ ମହାବିଦ୍ୟାଳୟ, ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ସହ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନମାନଙ୍କରେ ଶିକ୍ଷକ କର୍ମଚାରୀ ର ଅଭାବ, ଡାକ୍ତରଖାନାମାନଙ୍କରେ ଡାକ୍ତର ଅଭାବ ଏ ସବୁ କୁ ନେଇ ଲୋକଙ୍କ ସହ ଆଲୋଚନା ହୋଇଥିଲା । ଏହାର ପ୍ରତିକାର ପାଇଁ ଏକ ସାମୁହିକ ଲଢେଇ ଆବଶ୍ୟକତା ଏବଂ ଦାବି ସମୁହକୁ ନେଇ ଉପଯୁକ୍ତ ଫୋରମରେ ଆଲୋଚନା ହେଉ ବୋଲି ଉପସ୍ଥିତ ବୁଦ୍ଧିଜିବିମାନେ ମତ ପ୍ରକାଶ କରିଥିଲେ । ସଂଗଠକ ଧର୍ମେନ୍ଦ୍ର ନନ୍ଦଙ୍କ ସଂଯୋଜନାରେ ଆଜିର ଏହି ଆଲୋଚନାରେ ନାଗରିକ ସମାଜ ତରଫରୁ ସମାଜସେବୀ ଶ୍ରୀକର ମିଶ୍ର, ଐତିହାସିକ ଶିବ ନନ୍ଦ, ପ୍ରେମଚାନ୍ଦ ମହାନ୍ତି, ମଧୁସୁଦନ ନାୟକ, ରାମ ଶଙ୍କର ଶତପଥୀ, ଶିକ୍ଷାବିତ୍ ମନୋରଂଜନ ସାହୁ, ଦିଲିପ ଦାଶ, ଆୟୁର୍ବେଦିକ କଲେଜ ଛାତ୍ର ସମୁହ, ରତନ ମହାରଣା, ତରୁଣ ମିଶ୍ର, ସତ୍ୟନାରାୟଣ ଥାଟି, ଛେଲାରାମ ଜେଏସୱାଲ, ଅଙ୍କୁଶ ପାଣ୍ଡିଆ, ଜ୍ୟୋତି ନାଗ, ଡ. ପ୍ରମୋଦ ମିଶ୍ର, ସାମାଜିକ କର୍ମୀ ବିରେନ୍ଦ୍ର ବନଛୋର ପ୍ରମୁଖ ଅଂଚଳର ବିକାଶ ପାଇଁ ବିଭିନ୍ନ ପ୍ରସ୍ତାବ ଦେବା ସହ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ