କେନ୍ଦୁଝର, ୨୫ ସେପ୍ଟେମ୍ବର (ହି.ସ.) - କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ଅଂଚଳରୁ ଝାଡ଼ଖଣ୍ଡ କୁ ସଂଯୋଗ ହୋଇଥିବା ମୁଖ୍ୟ ରାଜପଥ ଟି ବଡ଼ବିଲ ମୁଖ୍ୟ ସହର ମଧ୍ୟ ହୋଇ ଯାଇଛି। ତେଣୁ ବଡ଼ବିଲ ସହର ମଧ୍ୟରେ ଅନବରତ ଭାବେ ଭାରୀଯାନ ଚଳାଚଳ ଯୋଗୁଁ ସୃଷ୍ଟି ହେଉଥିବା ପ୍ରଦୂଷଣ ଓ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ପ୍ରାୟ ୨୦ ବର୍ଷ ପୂର୍ବେ ତତ୍କାଳୀନ ଆଇ ପି ଏସ ଅଧିକାରୀ ରାଜେଶ କୁମାରଙ୍କ ପରାମର୍ଶ କ୍ରମେ ବଡ଼ବିଲ କିରିବୁରୁ ଛକ ଠାରେ ପ୍ରଥମେ ନୋ ଏଂଟ୍ରି ବ୍ୟବସ୍ଥା ଲାଗୁ କରାଯାଇଥିଲା। ମାତ୍ର ବଡ଼ବିଲ-ଭଦ୍ରାସାହି ମୁଖ୍ୟ ରାସ୍ତାର ସମ୍ପ୍ରସାରଣ ପରେ ପ୍ରଶାସନ ପକ୍ଷରୁ ବଡ଼ବିଲ ମହାବିଦ୍ୟାଳୟ ନିକଟରେ ପାର୍କିଜୋନ ନିର୍ମାଣ କରାଯାଇ ସେଠାରେ ନୋଏଂଟ୍ରି ବ୍ୟବସ୍ଥା କରାଯାଇଥିଲା। ତେବେ ଏହା ଏକ ଜଙ୍ଗଲ ଜମି ହୋଇଥିବା ବେଳେ ବନ ବିଭାଗ ପକ୍ଷରୁ ନୋ ଏଂଟ୍ରି ସ୍ଥଳକୁ ଉଛେଦ କରାଯାଇ ସେଠାରେ ବୃକ୍ଷ ରୋପଣ କରାଯିବା ସହିତ ଏକ ପାର୍କ ନିର୍ମାଣ କରାଯାଉଛି। ମାତ୍ର ରାସ୍ତାର ବିପରୀତ ପାର୍ଶ୍ୱରେ ପ୍ରଶାସନ ପକ୍ଷରୁ ଆଉ ଏକ ନୂତନ ପାକିଂ ଜୋନ ନିର୍ମାଣ ନିମନ୍ତେ ଯୋଜନା କରାଯାଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇ ପାରିନାହିଁ। ଏଥି ସହିତ ନୂତନ ପାର୍କି ଜୋନ ନିକଟରେ ସେରେଣ୍ଡା ଅଂଚଳର କିଛି ଆଦିବାସୀ ଓ ଯାଦବ ସମ୍ପ୍ରଦାୟର ଲୋକଙ୍କ ପଟା ଭୁକ୍ର ଜମି ରହିଥିବା ମଧ୍ୟ ପରୋକ୍ଷରେ ଦାବି କରୁଛନ୍ତି। ତେଣୁ ବର୍ତମାନ ରାସ୍ତା ପାର୍ଶ୍ୱରେ ଭାରୀଯାନ ଗୁଡିକ ପାକିଂ କରୁଥିବା ଦେଖୁବାକୁ ମିଳୁଛି । ମାତ୍ର ଏହା ଦ୍ୱାରା ରାସ୍ନା ସଂକୁଚିତ ହୋଇ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହିତ ଛୋଟବଡ଼ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି।ତେବେ ପ୍ରସ୍ତାବିତ ବଡ଼ବିଲ ବାୟପାସ ରିଙ୍ଗରୋଡ଼କୁ ଯଥା ଶୀଘ୍ର ସମ୍ପୂର୍ଣ୍ଣ କରାଯିବା ନିମନ୍ତେ କେନ୍ଦୁଝରେ। ସାଂସଦ ଅନନୁ ନାୟକ ଓ ସ୍ଥାନୀୟ ପ୍ରଶାସନ ଉଦ୍ୟମ ଜାରୀ ରଖୁଛନ୍ତି। ତେଣୁ ଏହା ସମ୍ପୂର୍ଣ୍ଣ ହେଲେ ସମସ୍ୟାର ସ୍ଥାୟୀ ସମାଧାନ ହୋଇ ପାରିବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA