କେନ୍ଦୁଝର, 25 ସେପ୍ଟେମ୍ବର (ହି.ସ.) ଦଦରା ଘରେ ଅଭାବୀ ଜୀବନ । ଏବେବି ସରକାରୀ ଯୋଜନା ସାତସପନ ପାଲଟିଛି ଘୁଙ୍ଗି ଗ୍ରାମର କିଛି ଜୁଆଙ୍ଗ ପରିବାର ପାଇଁ । କାହାଣୀ କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀ, ବାଂଶପାଳ ବ୍ଲକ୍, କୋଡ଼ିପଶା ପଞ୍ଚାୟତ ଘୁଙ୍ଗି ଗାଁର ସୁରେନ୍ ଜୁଆଙ୍ଗଙ୍କର । ସ୍ତ୍ରୀ, ଦୁଇ ଝିଅ, ଦୁଇ ପୁଅଙ୍କୁ ନେଇ ସୁରେନ୍ ରହୁଛନ୍ତି ଏକ ବିପଦପୂର୍ଣ୍ଣ ଝାଟିମାଟିର କୁଡିଆରେ । କେବେ ହାତୀପଲଙ୍କ ଭୟ ତ କେବେ ଦାଉ ସାଧେ ଲଗାଣ ବର୍ଷା । ଆଗକୁ ପୁଣି ମାଡ଼ି ଆସୁଛି କେନ୍ଦୁଝରିଆ ବାଘୁଆ ଶୀତ । ପ୍ରଧାନମନ୍ତ୍ରୀ ଆବାସ ମିଳିନାହିଁ ସୁରେନଙ୍କୁ । ଭାତ ମୁଠେ ପାଇଁ ଯେଉଁଠି ରୋଜ୍ କରିବାକୁ ହୁଏ ଜୀବନଯୁଦ୍ଧ ସେଠି ନିଜର ସାମର୍ଥ୍ୟ କୋଉଠୁ ଆସିବ ଘରଖଣ୍ଡେ ତୋଳିବାକୁ । ଅନ୍ତୋଦୟ ଯୋଜନାରେ କେବଳ ଚାଉଳ ମିଳେ ସୁରେନଙ୍କୁ । ଛଅ ଜଣର ପରିବାରକୁ ୩୫ କିଲୋ ଚାଉଳ କେଉଁଠୁ ଅଣ୍ଟିବ, ଅଧା ଦିନ ତେଣୁ ଭୋକ ଆଉ ଭାତ ଭିତରେ ବୁଝାମଣା କରିବାକୁ ହୁଏ । ଏ ଅଞ୍ଚଳ ପାଇଁ ଯେ ସରକାର କୌଣସି ଜନକଲ୍ୟାଣକାରୀ ଯୋଜନା କରିନାହାଁନ୍ତି ତାହା ବି ନୁହେଁ । ଆଖପାଖ ଗାଁର ଅନେକ ଲୋକ ସରକାରୀ ପକ୍କା ଘର ପାଇଛନ୍ତି କିନ୍ତୁ ସୁରେନଙ୍କ ଭଳି କିଛି ଜୁଆଙ୍ଗ ଜନଜାତିର ଲୋକେ ଘର ପାଇବାରୁ ବଞ୍ଚିତ ହୋଇଛନ୍ତି। ସାଢେ ଚାରିକୋଟି ଓଡ଼ିଆଙ୍କ ଆସ୍ଥା ଓ ଭରସା, ମାନନୀୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଭୋଟର୍ ହେଉଛନ୍ତି ସୁରେନ୍ ଜୁଆଙ୍ଗ । ପ୍ରଶାସନ ଅସରାଏ ଆଲୁଅ ବୁଣିଦେଉ ଅଭାବୀ ସୁରେନ୍ ଜୁଆଙ୍ଗଙ୍କ ଭାଗ୍ୟ ଆକାଶରେ ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA