ମାଲକାନଗିରି, ୨୫ ସେପ୍ଟେମ୍ବର (ହି.ସ.)- କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଏକ ବିଶେଷଜ୍ଞ ସ୍ୱାସ୍ଥ୍ୟ ସେବା ଓ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦଳମଣୀ ପ୍ରଧାନ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲା ବେଳେ ଅନ୍ୟ ଚିକିତ୍ସା ବିଶେଷଜ୍ଞ ଭାବରେ, ଚର୍ମରୋଗ ବିଶେଷଜ୍ଞ ଡା. ନିହାର ରଞ୍ଜନ ପ୍ରହରାଜ, ସ୍ତ୍ରୀ ଓ ପ୍ରସୂତି ବିଭାଗର ବିଶେଷଜ୍ଞ ଡା. ସିମାଞ୍ଚଳ ଦାସ, ମେଡିସିନ ବିଭାଗ ବିଶେଷଜ୍ଞ ଡା. ବାସନ୍ତୀ ହା°ସଦା, ଶିଶୁ ବିଶେଷଜ୍ଞ ଡା. ପିତାମ୍ବର ମୁର୍ମୁ, ଚକ୍ଷୁ ବିଶେଷଜ୍ଞ ଡା. ସଞିବ୍ କର, ମାନସିକ ରୋଗ ବିଶେଷଜ୍ଞ ଡା. ଅବିଦ୍ ହୁସେନ ପ୍ରମୁଖ ଉପସ୍ଥିତ ରହି ରୋଗୀ ମାନଙ୍କର ଚିକିତ୍ସା କରିଥିଲେ ଓ ଏହି ଶିବିରର ସମ୍ପୁର୍ଣ୍ଣ ପରିଚାଳନା କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା. ମହେଶ ପତ୍ତି କରିଥିଲେ । ରାଜ୍ୟ ସରକାରଙ୍କ ତରଫରୁ ସ୍ବାସ୍ଥ୍ୟ ସେବାର ସ୍ୱତନ୍ତ୍ର ଅଗ୍ରଗତି ନିମନ୍ତେ ସୁସ୍ଥ ନାରୀ ସଶକ୍ତ ପରିବାର ଭଳି ଯୋଜନାରେ ମୁଖ୍ୟତଃ ଭାବେ ମହିଳାଙ୍କ ଓ ୧ ରୁ ୫ ବର୍ଷର ଶିଶୁ ମାନଙ୍କର ଛଅ ପ୍ରକାର ରୋଗ:- ଯଥା ଯକ୍ଷ୍ମା, ରକ୍ତ ହୀନତା, କର୍କଟ ରୋଗ, ରକ୍ତ ଶିକୁଳି ରୋଗ, ଉଚ୍ଚ ମାନସିକ ଅବସାଦ ଓ ମଧୁମେହ ପ୍ରଭୃତି ରୋଗର ଲକ୍ଷଣ ଓ ନିରାକରଣ ଉଦ୍ଦେଶ୍ୟରେ ରୋଗୀଙ୍କୁ ସଚେତନତା ସହ ଚିକିତ୍ସା କରାଯାଇଥିବା ବିଷୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅବଗତ କରାଇଥିଲେ । ଜିଲ୍ଲା ସଦର ମହକୁମା ଚିକିତ୍ସାଳୟକୁ ଯାଇପାରୁନଥିବା ରୋଗୀ ମାନଙ୍କ ପାଇଁ ଅନ୍ତତଃ ଛଅ ମାସରେ ଥରେ ପ୍ରତ୍ୟେକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏଭଳି ଶିବିର ଆୟୋଜନ ନିମନ୍ତେ ସ୍ଥାନୀୟ ଜନସାଧାରଣ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅନୁରୋଧ କରିଛନ୍ତିି।
ଆଜିର ଏହି ଶିବିରରେ ସର୍ବମୋଟ ୨୮୫ ରୋଗୀ ଚିକିତ୍ସିତ ହେଉଥିଲା ବେଳେ ଶିବିର ଆୟୋଜନରେ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ବିପିଏମ୍ ସଞ୍ଜୟ କୁମାର ଗୌଡ଼, ଫାର୍ମାସିଷ୍ଟ ସଞ୍ଜୟ କୁମାର ପୃଷ୍ଟିଙ୍କ ସହ ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ