ବାରିପଦା, ୨୫ ସେପ୍ଟେମ୍ବର (ହି.ସ.)- ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଅନ୍ତର୍ଗତ ମେରଦା ନୂଆଗାଁରେ ଜମି ପଟ୍ଟା ପ୍ରଦାନ କରିବାକୁ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଏନେଇ ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ରଙ୍କ ସହିତ ଆସି ଜିଲ୍ଲାପାଳଙ୍କୁ ଭେଟିଛନ୍ତି। ଉକ୍ତ ଗ୍ରାମରେ ଲୋକେ ବହୁ ବର୍ଷ ହେବ ବସବାସ କରି ଆସୁଛନ୍ତି। କିନ୍ତୁ ତାଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଉନାହିଁ। ଯାହା ଫଳରେ ସେମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେମାନେ ପ୍ରାୟତଃ ମୂଲ ଲାଗି ଚଳୁଥିବା ବେଳେ ଗ୍ରାମର ଲୋକେ ରାଜ୍ୟ ବାହାରେ ଦାଦନ ଖଟୁଛନ୍ତି। ତେବେ ସେମାନେ ଜମି କ୍ରୟ କରି ଘର କରିବା ଅସମ୍ଭବ ଅଟେ। ଏ ବାବଦରେ ତହସିଲଦାରଙ୍କୁ ବାରମ୍ବାର ଅବଗତ କରିଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ ନକରି ମିଥ୍ୟା ଆଶ୍ୱାସନା ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି। ତେଣୁକରି ତୁରନ୍ତ ପଦକ୍ଷେପ ଗ୍ରହଣ କରି ତାଙ୍କୁ ଜମି ପଟ୍ଟା ପ୍ରଦାନ କରିବାକୁ ଦାବି କରିଛନ୍ତି। ନହେଲେ ସମୂହ ଗ୍ରାମବାସୀ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ