ପ୍ରତିଯୋଗିତାରେ ଭାଗନେବେ ୨୨ ଦେଶର କ୍ରୀଡ଼ାବିତ୍
ଭୁବନେଶ୍ୱର 25 ସେପ୍ଟେମ୍ବର (ହି.ସ.)-ଓଡ଼ିଶାରେ ପ୍ରଥମ ଥର ପାଇଁ ଏସୀୟ ଟେବୁଲ ଟେନିସ୍ ଟିମ୍ ଚାମ୍ପିୟନସିପ୍ ପ୍ରତିଯୋଗିତାର ଆୟୋଜନ କରାଯିବ। ଅକ୍ଟୋବର ମାସ ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ୍ ଆଥଲେଟିକ୍ସ ସେଣ୍ଟର ଠାରେ ୨୮ତମ ଆଇଆଇଟିଏଫ-ଏଟିଟିୟୁ ଏସୀୟ ଟେବୁଲ ଟେନିସ୍ ଟିମ୍ ଚାମ୍ପିୟନସିପ-୨୦୨୫) ର ଆୟୋଜନ କରାଯିବ।
ଅନ୍ତର୍ଜାତୀୟ ଟେବୁଲ ଟେନିସ୍ ମହାସଂଘ, ଭାରତୀୟ ଟେବୁଲ ଟେନିସ୍ ମହାସଂଘ, ଏସିଆନ୍ ଟେବୁଲ ଟେନିସ୍ ୟୁନିୟନ, ଓଡ଼ିଶା ଟେବୁଲ ଟେନିସ୍ ଆସୋସିଏସନ୍ ଏବଂ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଏହି ପ୍ରତିଯୋଗିତାର ଆୟୋଜନ କରାଯିବ।
ପ୍ରାୟ ୨୨ଟି ଦେଶ ଯଥା ଭାରତ, ଚୀନ, ଜାପାନ, କୋରିଆ ରିପବ୍ଲିକ, ଡେମୋକ୍ରାଟିକ ପିପୁଲ୍ସ ରିପବ୍ଲିକ ଅଫ କୋରିଆ, ତାଇୱାନ, ହଙ୍ଗକଙ୍ଗ, ସିଙ୍ଗାପୁର, ଚାଇନିଜ ମକାଓ, ବାଙ୍ଗଲାଦେଶ, ଇରାନ, କଜାକିସ୍ତାନ, କିର୍ଗୀସ୍ତାନ, ମାଲେସିଆ, ମାଲଦୀପ, ମଙ୍ଗୋଲିଆ, ନେପାଳ, ଓମାନ, କତାର, ଶ୍ରୀଲଙ୍କା, ଥାଇଲାଣ୍ଡ, ଉଜବେକିସ୍ତାନରୁ ୫୦୦ରୁ ଉର୍ଦ୍ଧ୍ୱ କ୍ରୀଡ଼ାବିତ, ସପୋର୍ଟ ଷ୍ଟାଫ ଆଦି ଅଂଶଗ୍ରହଣ କରିବେ। ଉଭୟ ପୁରୁଷ ଓ ମହିଳା ଟିମ୍ ଏହି ଚାମ୍ପିୟନସିପରେ ଅଂଶଗ୍ରହଣ କରିବେ। ଏହି ଚାମ୍ପିୟନସିପରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଟିମ୍ ଗୁଡ଼ିକ ଆଗାମୀ ଦିନରେ ଲଣ୍ଡନରେ ଆୟୋଜିତ ହେବାକୁ ଥିବା ଆଇଆଇଟିଏଫ ୱାର୍ଲଡ଼ ଟେବୁଲ ଟେନିସ୍ ଟିମ୍ ଚାମ୍ପିୟନସିପ୍-୨୦୨୬ ପାଇଁ ଯୋଗ୍ୟ ବିବେଚିତ ହେବେ।
ଆଜି କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରତିଯୋଗିତା ଆୟୋଜନ ସମ୍ବନ୍ଧରେ ସବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ସେ କହିଥିଲେ ଯେ, ଓଡ଼ିଶାରେ ପ୍ରଥମ ଥର ପାଇଁ ୨୮ତମ ଆଇଆଇଟିଏଫ-ଏଟିଟିୟୁ ଏସୀୟ ଟେବୁଲ ଟେନିସ୍ ଟିମ୍ ଚାମ୍ପିୟନସିପ-୨୦୨୫ର ଆୟୋଜନ ହେବା ଆମ ପାଇଁ ଗର୍ବ ଓ ଗୌରବର ବିଷୟ।ପ୍ରତିଯୋଗିତାକୁ ସଫଳତାର ସହ ଆୟୋଜନ କରିବା ନିମନ୍ତେ ସମସ୍ତ ପ୍ରକାର ପ୍ରସ୍ତୁତିକୁ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସୁନିଶ୍ଚିତ କରାଯାଉଛି। ଅନ୍ତର୍ଜାତୀୟ ଟେବୁଲ ଟେନିସ୍ ମହାସଂଘ ଦ୍ୱାରା ସ୍ୱୀକୃତ ବିଶ୍ୱ ସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା, କ୍ରୀଡ଼ାବିତମାନଙ୍କର ଆତିଥ୍ୟ, ରହଣି ଓ ସୁରକ୍ଷା ବ୍ୟବସ୍ଥା ଆଦିକୁ ସୁନିଶ୍ଚିତ କରାଯିବ। ଏହା ସହିତ ଆସନ୍ତା ଅକ୍ଟୋବର ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ୪୦ତମ ଜାତୀୟ ଜୁନିୟର ଆଥଲେଟିକ୍ସ ଚମ୍ପିୟାନସିପର ଆୟୋଜନ କଳିଙ୍ଗ ଷ୍ଟାଡିୟମ ଠାରେ କରାଯିବ। ଆଇଟିଏଫ ମାଷ୍ଟରସ୍ ୧୦୦ ଟେନିସ୍ ଟୁର୍ନାମେଣ୍ଟର ଆୟୋଜନ ମଧ୍ୟ ଭୁବନେଶ୍ୱରରେ ଅକ୍ଟୋବର ୧୧ ରୁ ୧୫ ତାରିଖ ପର୍ଯ୍ୟନ୍ତ କରାଯିବ। ଏକା ସମୟରେ ତିନୋଟି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରୀୟ ପ୍ରତିଯୋଗିତାର ଆୟୋଜନ କରାଯିବା ଆମ ସରକାରଙ୍କ କ୍ରୀଡ଼ା ଓ କ୍ରୀଡ଼ାବିତମାନଙ୍କର ବିକାଶ ପ୍ରତି ରହିଥିବା ପ୍ରତିବଦ୍ଧତାକୁ ସୂଚିତ କରୁଛି। ୨୮ତମ ଆଇଆଇଟିଏଫ-ଏଟିଟିୟୁ ଏସୀୟ ଟେବୁଲ ଟେନିସ୍ ଟିମ୍ ଚାମ୍ପିୟନସିପ-୨୦୨୫ର ଆୟୋଜନ ଆମ ଦେଶ ଓ ଓଡ଼ିଶାରେ ରହିଥିବା ଟେବୁଲ ଟେନିସ୍ ପ୍ରତିଭାମାନଙ୍କୁ ପ୍ରେରିତ କରିବ ବୋଲି ମୁଁ ଆଶା କରୁଛି ବୋଲି କହିଛନ୍ତି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ।
କ୍ରୀଡ଼ା କ୍ଷେତ୍ରରେ ଉତ୍କର୍ଷତା ପାଇଁ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିଛି। ୨୮ତମ ଆଇଆଇଟିଏଫ-ଏଟିଟିୟୁ ଏସୀୟ ଟେବୁଲ ଟେନିସ୍ ଟିମ୍ ଚାମ୍ପିୟନସିପ-୨୦୨୫ର ଆୟୋଜନ ସଫଳତାର ସହ ହେବ ବୋଲି କହିଛନ୍ତି ଭାରତୀୟ ଟେବୁଲ ଟେନିସ୍ ମହାସଂଘର ସଭାପତି ଶ୍ରୀ କମଲେଶ ମେହତା।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ଟେବୁଲ ଟେନିସ୍ ଆସୋସିଏସନର ସେକ୍ରେଟାରୀ ଶ୍ରୀ ରବୀନ୍ଦ୍ର ପରିଡ଼ା, ଟୁର୍ନାମେଣ୍ଟ ନିର୍ଦ୍ଦେଶକ ଶ୍ରୀ ଏନ୍. ଗଣେଶନ୍,କ୍ରୀଡ଼ା ଓ ଯୁବସେବା ବିଭାଗର ନିର୍ଦ୍ଦେଶକ ଡ଼. ୟେଦୁଲା ବିଜୟ ପ୍ରମୁଖ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଅନିଲ