ବଲାଙ୍ଗିର, ୨୫ ସେପ୍ଟେମ୍ବର (ହି.ସ.)- ବଲାଙ୍ଗୀର ଜିଲ୍ଲା ବିଜେପି ପକ୍ଷରୁ ଆଜି ପଥରଚେପା ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ବିଜେପି ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରାଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନରେ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ଯୋଗଦେଇ କେନ୍ଦ୍ର ସରକାରଙ୍କ ଜିଏସଟି ହ୍ରାସ ଏକ ଯୁଗାନ୍ତକାରୀ ପଦକ୍ଷେପ ଅଟେ ଏବଂ ଏହାଦ୍ୱାରା ଗୃହିଣୀ ମାନେ ବିଶେଷ ଉପକୃତ ହେବେ, ବିଭିନ୍ନ ସାମଗ୍ରୀର ଦରହ୍ରାସ ଗୃହିଣୀଙ୍କ ମୁହଁରେ ହସ ଫୁଟାଇ ପାରିବ ବୋଲି କହିଥିଲେ । ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ହ୍ରାସ, ଜୀବନଧାରଣର ମାନକୁ ଉନ୍ନତ କରିବ । ୨ଠ୧୭ରେ ଆରମ୍ଭ ହୋଇଥିବା ଜିଏସଟି ର ୨୮ପ୍ରକାରର ଟେକ୍ସ ଥିଲା । ଏହାକୁ ହ୍ରାସ କରାଯାଇ ୪ ପ୍ରକାରକୁ ଅଣାଯାଇଛି । ଖାଦ୍ୟ, ଔଷଧ, ସାବୁନ, ଟୁଥପେଷ୍ଟ ଓ ଅନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଏବେ ଟିକସମୁକ୍ତ ହୋଇଥିବା ବେଳେ ସ୍ୱାସ୍ଥ୍ୟ ବୀମା ଉପରେ ଜିଏସଟି କୁ ହ୍ରାସ କରାଯାଇଛି ବୋଲି ସାଂସଦ ଶ୍ରୀମତୀ ସିଂଦେଓ କହିଛନ୍ତି । ଏହାଦ୍ୱାରା ସାଧାରଣ ଜନତା, ଗରିବ, ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ ଓ କୃଷକ ଭାଇ ମାନେ ବିଶେଷ ଉପକୃତ ହେବେ ବୋଲି ସାଂସଦ ଶ୍ରୀମତୀ ସିଂଦେଓ କହିଛନ୍ତି ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀ, ବିକାଶ ଇନଷ୍ଟିଚ୍ୟୁଟ୍ ର ପ୍ରତିଷ୍ଠାତା ମୁରଲି କ୍ରିଷ୍ଣ, ସାଂସଦ ପ୍ରତିନିଧି ଦିନେଶ ସର୍ମା ଓ ଜିଏସ୍ଟି ଟୋଲିର ଜିଲ୍ଲା ସହସଂଯୋଜକ ଗୌରାଙ୍ଗ ନାଏକ ପ୍ରମୁଖ ମଂଚାସୀନ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ