ଭୁବନେଶ୍ୱର, ୨୭ ସେପ୍ଟେମ୍ବର (ହି.ସ.)- ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ଶକ୍ତିପୀଠ ମାନଙ୍କରେ ମାଙ୍କ ନବରାତ୍ରି ପୂଜା ଅନୁଷ୍ଠିତ ହେଉଛି । ଆଜି ନବରାତ୍ରିର ଷଷ୍ଠ ଦିବସରେ ମାତା କାତ୍ୟାୟନୀଙ୍କୁ ଉପାସନା କରାଯାଉଛି । ମାତା ଦୁର୍ଗାଙ୍କର ଷଷ୍ଠ ସ୍ୱରୂପର ନାମ ହେଉଛି କାତ୍ୟାୟନୀ । ମାଆଙ୍କର ନାମ କାତ୍ୟାୟନୀ କାହିଁକି ହେଲା, ତାହାର ମଧ୍ୟ ଏକ କଥା ରହିଛି । କତ ନାମକ ଏକ ପ୍ରସିଦ୍ଧ ମହର୍ଷି ଥିଲେ । ତାଙ୍କର ପୁତ୍ର ଋଷି କାତ୍ୟ ଥିଲେ । ସେହି କାତ୍ୟଙ୍କ ଗୋତ୍ରରେ ବିଶ୍ୱ ପ୍ରସିଦ୍ଧ ମହର୍ଷି କାତ୍ୟାୟନ ଥିଲେ । ସେ ଦେବୀ ଭଗବତୀ ପରାମ୍ବାଙ୍କ ଉପାସନା କରି କଠିନ ତପସ୍ୟା କରିଥିଲେ । ତାଙ୍କର ଇଚ୍ଛା ଥିଲା ମାତା ଭଗବତୀ ତାଙ୍କର ପୁତ୍ରୀ ହୋଇ ଜନ୍ମ ହୁଅନ୍ତୁ । ମା’ ଭଗବତୀ ତାଙ୍କର ମନବାଞ୍ଛା ପୂର୍ଣ୍ଣ କରିଥିଲେ । ଯେବେ ଦାନବ ମହିଷାସୁରର ଅତ୍ୟାଚାର ପୃଥିବୀରେ ବଢିଗଲା । ସେତେବେଳେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ତିନି ଦେବତା ନିଜ ନିଜର ତେଜର ଅଂଶ ଦେଇ ମହିଷାସୁରର ବିନାଶ ପାଇଁ ଏକ ଦେବୀଙ୍କୁ ପ୍ରକଟ କଲେ, ସେତେବେଳେ ମହର୍ଷି କାତ୍ୟାୟନ ମାଆଙ୍କର ପୂଜା କରିଥିବାରୁ ମାତା ତାଙ୍କୁ ପିତା ସମ୍ବୋଧନ କରିଥିଲେ । ତେଣୁ ମାତାଙ୍କର ନାମ କାତ୍ୟାୟନୀ ରଖାଯାଇଥିଲା ।
ମାତା କାତ୍ୟାୟନୀଙ୍କର ସ୍ୱରୂପ ଅତ୍ୟନ୍ତ ଉଜ୍ଜ୍ୱଳ, ପ୍ରଚଣ୍ଡ ଏବଂ ତାଙ୍କର ଚାରି ହାତ । ମାତାଙ୍କର ଡାହାଣ ପଟର ଉପର ହାତରେ ଅଭୟମୁଦ୍ରା ଓ ତଳ ହାତ ବରମୁଦ୍ରା ଅବସ୍ଥାରେ ଥିବାବେଳେ ବାମ ପଟ ଉପର ହାତରେ ଖଣ୍ଡା ଓ ତଳ ହାତରେ ପଦ୍ମଫୁଲ ଧାରଣ କରିଥାନ୍ତି ମା’ । ମାତାଙ୍କର ବାହାନ ପଶୁରାଜ ସିଂହ ଅଟେ । ମାତା କାତ୍ୟାୟନୀଙ୍କର ଭକ୍ତି ଓ ଉପାସନା ଦ୍ୱାରା ମନୁଷ୍ୟ ସହଜରେ ଅର୍ଥ, ଧର୍ମ, କାମ, ମୋକ୍ଷ ଆଦି ସାରା ବୈଭବ ପ୍ରାପ୍ତ ହୋଇଥାଏ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ