ବଲାଙ୍ଗୀର, ୦୩ ସେପ୍ଟେମ୍ବର(ହି.ସ.) – ପାଟଣାଗଡ଼ ବିଜ୍ଞାପିତ ଅଂଚଳ ପରିଷଦର ବଡ଼ପଡ଼ା ଅଂଚଳରେ ଗତ ୨ ତାରିଖରେ ଅଦିନିଆ ବର୍ଷା ଓ ପ୍ରବଳ ପବନ ଘଡ଼ଘଡ଼ିରେ ଅନେକଙ୍କ ଘରର ଚାଳ ଓ ଟିଣ ଛପର ଉଡ଼ି ନଷ୍ଟ ହୋଇଥିବାବେଳେ ବିଦ୍ୟୁତ ତାର ଛିଣ୍ଡିବା ସହ ବିଦ୍ୟୁତ ଯୋଗାଯୋଗ ମଧ୍ୟ ବିଛିନ୍ନ ହୋଇଥିଲା। ପାଟଣାଗଡ଼ ଉପଜିଲ୍ଲାପାଳ, ସୁନୀଲ ମେହେର ଓ ପାଟଣାଗଡ଼ ତହସିଲଦାର ରୁଦ୍ର ମୋହନ ନାୟକ ଉକ୍ତ ଅଂଚଳ ପରିଦର୍ଶନ କରି ବର୍ଷାରେ କ୍ଷୟକ୍ଷତି ଘଟିଥିବା ପରିବାରଙ୍କୁ ଭେଟିଥିଲେ। ଏହି ଘଟଣାରେ ପାଟଣାଗଡ଼ ତହସିଲ କାର୍ଯ୍ୟାଳୟ ତରଫରୁ ବଡ଼ପଡ଼ା ଅଂଚଳର ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ୮ଟି ପରିବାରଙ୍କ ପାଖରେ ପହଂଚି ପାଲ, ଶୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି। କ୍ଷତିଗ୍ରସ୍ତ ହୋଇଥିବା ପରିବାର ବର୍ଗଙ୍କୁ ସୁରକ୍ଷିତ ସ୍ଥାନରେ ଥଇଥାନ କରାଯାଇଥିଲା, ପରବର୍ତୀ ପର୍ଯ୍ୟାୟରେ ଅନ୍ୟ କ୍ଷତିଗ୍ରସ୍ତମାନଙ୍କୁ ମଧ୍ୟ ପାଲ ପ୍ରଦାନ କରାଯିବ ବୋଲି ତହସିଲଦାର ଶ୍ରୀ ନାୟକ ଜଣାଇଛନ୍ତି। ଉପଖଣ୍ଡ ଚିକିତ୍ସାଳୟରେ ବର୍ଷା ପାଣି ନିଷ୍କାସନ କରାଯାଇ ୱାର୍ଡ଼ଗୁଡ଼ିକ ପରିଷ୍କାର କରାଯାଇଥିଲା। ବିଦ୍ୟୁତ ବିଭାଗ ଦ୍ୱାରା ନଷ୍ଟ ହୋଇଥିବା ତାରଗୁଡ଼ିକ ସଜାଡ଼ିବା ସହ ଗଛଗୁଡ଼ିକ କାଟି ସଫା କରିଥିଲେ। ଏହି ଘଟଣାରେ କୌଣସି ପ୍ରକାର ମୃତାହତ ବା ଜୀବ ଜୀବନ ହାନି ହୋଇନଥିବା ସୂଚନା ମିଳିଛି।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ