ଭଦ୍ରକ, ୩ ସେପ୍ଟେମ୍ବର (ହି.ସ.) - ନିଜ ପୈତୃକ ଜମିରେ ଘର କରୁଥିବା ଏକ ପରିବାରକୁ ଅପରପକ୍ଷ ବିଭିନ୍ନ ନିର୍ଯ୍ୟାତନା ସହ ଘରଟିକୁ ଭଙ୍ଗାରୁଜା କରି ଉକ୍ତ ଜମିରେ ଥିବା ମୂଲ୍ୟବାନ ଗଛ କାଟିନେବା ସହ ସେମାନଙ୍କୁ ହତ୍ୟା ଧମକ ଦେବା ଭଳି ଗୁରୁତର ଅଭିଯୋଗ ଆଜି ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ସପରିବାର କରିଛନ୍ତି। ଚାନ୍ଦବାଲି ଥାନା ଅଧୀନସ୍ଥ ଜୟନ୍ତୀ ଗ୍ରାମର କୃପାସିନ୍ଧୁ ମୁଦୁଲି ଜିଲା ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତଙ୍କୁ ଭେଟି ଦେଇଥିବା ଅଭିଯୋଗ ପତ୍ର ମୂଳେ ଗତ ଜୁଲାଇ ୬ ତାରିଖ ଦିନ ଉକ୍ତ ଗ୍ରାମର ସୁରେନ୍ଦ୍ର ମୁଦୁଲି, ମନୋରଂଜନ ମୁଦୁଲି, ରବିନ୍ଦ୍ର ବେହେରା, ଜଗନ୍ନାଥ ବେହେରା, ଅମୂଲ୍ୟ ବେହେରା, ବାବୁଲି ବେହେରା, ରମେଶ ବେହେରା ପ୍ରମୁଖ ହାତରେ ଶାବଳ, ଲୁହାରଡ୍, ଭୁଜାଲି, ବାଡି ଭଳି ମାରଣାସ୍ତ୍ର ଧରି ସେମାନେ ଘର କରୁଥିବା ଜମିରେ ବଳପୂର୍ବକ ପଶି ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାଡ ମାରି ଏଠାରେ ଘର କଲେ ସପରିବାରଙ୍କୁ ହତ୍ୟା କରିବାର ଧମକ ଦେଇଥିଲେ। ଏପରିକି ଘର କରୁଥିବା ସ୍ଥାନରେ ମାଟି ଖୋଳି ବୋହିନେବା ସହ ମୂଲ୍ୟବାନ ନଡିଆ ଓ ଅନ୍ୟାନ୍ୟ ଗଛ କାଟିନେବା ସହ କବାଟ ଝରକା ଭାଙ୍ଗି ଦେଇଥିଲେ। ଏବଂ ଉକ୍ତ ସ୍ଥାନରେ ଘରକଲେ ସପରିବାରଙ୍କୁ ହତ୍ୟା କରିବାର ଚେତାବନୀ ଦେଇଥିଲେ। ଫଳରେ କୃପାସିନ୍ଧୁ ଉକ୍ତ ଘଟଣା ସଂପର୍କରେ ମତୋ ଫାଣ୍ଡି ଓ ଚାନ୍ଦବାଲି ଥାନାରେ କେଶ୍ ନଂ ୨୬୫/୨୫ ମୂଳେ ଏକ ମାମଲା ରୁଜୁ କରିବା ପରେ ଅପରପକ୍ଷ ଉତ୍ୟକ୍ତ ହୋଇ ତାଙ୍କ ଘର ସମ୍ମୁଖରେ ବିଭିନ୍ନ ମାରଣାସ୍ତ୍ର ଧରି କେଶ୍ ଉଠାଇବା ସହ ଘରୁ ବାହାରିଲେ ହତ୍ୟା କରିବାର ଧମକ ଦେଇ ସେମାନଙ୍କୁ ଘରୁ ବାହାରକୁ ବାହାର କରିଦେଇନଥିଲେ। ଫଳରେ ପିଲାଛୁଆମାନେ ସ୍କୁଲ ଯାଇପାରୁନଥିବାବେଳେ ସେମାନଙ୍କ ପରିବାର ଲୋକେ ବଜାରକୁ ମଧ୍ୟ ଯିବାର ପ୍ରତିବନ୍ଧକ ଦେଖାଦେଇଛି। ତେବେ ସେମାନେ ଏ ସଂପର୍କରେ ଥାନାରେ ଜଣାଇଥିଲେ ମଧ୍ୟ ପୁଲିସ୍ କୌଣସି ପଦକ୍ଷେପ ଗ୍ରହଣ କରିନଥିଲା। ଏଣୁ ଆଜି କୃପାସିନ୍ଧୁ ସପରିବାର ଲୁଚିଛପି ଘର ବାହାରି ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ନ୍ୟାୟ ଭିକ୍ଷା କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ସେମାନଙ୍କୁ ସୁରକ୍ଷା ଦେବାକୁ ଅନୁରୋଧ କରିଛନ୍ତି। ତେବେ ଏହି ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାଉତ ଏ ସଂପର୍କରେ ଫୋନ୍ ଯୋଗେ ଚାନ୍ଦବାଲି ଥାନାଧିକାରୀଙ୍କୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିବାର ଜଣାପଡିଛି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ