ଭଦ୍ରକ, ୩ ସେପ୍ଟେମ୍ବର (ହି.ସ.) - ଆଜି ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ନୂତନ ଇଂଟିଗ୍ରେଟେଡ୍ ପବ୍ଲିକ୍ ହେଲଥ୍ ଲାବ୍ରୋଟାରୀ (ଆଇପିଏଚଏଲ) ର ଶୁଭ ଉଦ୍ଘାଟନ ହୋଇଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କ ଉପସ୍ଥିତିରେ ଫଳକ ଓ ଫିତା କାଟି ମନ୍ତ୍ରୀ ଶ୍ରୀ ସୁରଜ ଏହାକୁ ଉଦ୍ଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ (ପିଏମ-ଏବିଏଚଆଇଏମ୍) ଯୋଜନା ଅଧୀନରେ ସ୍ଥାପିତ ଏହି ଆଧୁନିକ ପରୀକ୍ଷା ଓ ଗବେଷଣା କେନ୍ଦ୍ର ଭଦ୍ରକର ସ୍ୱାସ୍ଥ୍ୟସେବାକୁ ଏକ ନୂତନ ଦିଗ ଦେବ। ଗୋଟିଏ ଛାତ ତଳେ ସମସ୍ତ ପରୀକ୍ଷା ସୁବିଧା ଏବେ ରୋଗୀମାନେ ସହଜ, ଦ୍ରୁତ ଓ ସଠିକ୍ ଭାବରେ ପରୀକ୍ଷା କରାଇପାରିବେ। ଏହି ପଦକ୍ଷେପ ଫଳରେ ଭଦ୍ରକ ସହିତ ପଡୋଶୀ ଜିଲାର ଲୋକମାନେ ଗୁଣବତାପୂର୍ଣ୍ଣ ଓ ଆଧୁନିକ ଏହି ସ୍ୱାସ୍ଥ୍ୟସେବାର ସୁବିଧା ପାଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ସୁରଜ ଗଣମାଧ୍ୟମକୁ କହିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ