ଜୟପୁର , 3 ସେପ୍ଟେମ୍ବର (ହି.ସ.) କୋରାପୁଟ ଟାଉନ୍ ଥାନା ଅନ୍ତର୍ଗତ ପଣସପୁଟ ଓ ବାଉଁଶ ଗୁଡ଼ା ଛକ ନିକଟରେ ଘଟିଥିବା ହତ୍ୟା ଘଟଣାର, ପର୍ଦ୍ଦାଫାଶ କରିଛି କୋରାପୁଟ ଟାଉନ ପୋଲିସ।ଏହି ମାମଲା ରେ ଜଣେ ନାବାଳକ ସହ ୨ ଜଣକୁ ଗିରଫ କରିଛି । ସେମାନେ ହେଲେ ରାହୁଲ ବେନିଆ, ଟୁଁବୁଲା ଟାକରି l ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘଟଣା ଘଟାଇଥିବା ଅଭିଯୁକ୍ତ ମାନେ ସ୍ୱୀକାର କରିଛନ୍ତି । ଏହି ଘଟଣାରେ କୋରାପୁଟ ଅତିରିକ୍ତ ଏସ୍ ପି ଅମ୍ବିତ ମହାନ୍ତି କୋରାପୁଟ ଟାଉନ ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ କରି ଘଟଣାର ଘଟଣା ସମ୍ପର୍କ ରେ ସୂଚନା ଦେଇଛନ୍ତି
। ସୂଚନାଯୋଗ୍ୟ ଯେ ଗତ ୩୧ ଅଗଷ୍ଟ ୨୦୨୫ ଖରେ କୋରାପୁଟ ସଦର ଥାନା ଅନ୍ତର୍ଗତ ମାଳିତୋଳା ଗ୍ରାମର ଗୋବିନ୍ଦ ମାଳି ଥାନାରେ ହାଜର ହୋଇ ପଣସପୁଟ ଓ ବାଉଁଶ ଗୁଡ଼ା ଛକ ନିକଟରେ ଏକ ପାହାଡ ତଳେ ତାଙ୍କ ୩୦ ବର୍ଷ ବୟସର ପୁଅ ଅନ୍ତେଶ୍ୱର ମାଳିଙ୍କ ମୃତଦେହ ଥିବା ସମ୍ପର୍କରେ ରିପୋର୍ଟ କରିଥିଲେ। ତାଙ୍କ ରିପୋର୍ଟ ଆଧାରରେ କୋରାପୁଟ ଟାଉନ ଥାନାରେ ଏକ ମାମଲା ରୁଜୁ କରି କୋରାପୁଟ ଟାଉନ ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର ତଦନ୍ତ ଆରମ୍ଭ କରିଥିଲେ। ପୋଲିସର ତଦନ୍ତରେ ଜଣାପଡିଛି ଯେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟା କରାଯାଇଛି। ପୋଲିସର ଖୋଳତାଡରେ
ଡୁମୁରିପୁଟର ଟିଫିନ୍ ଷ୍ଟଲରେ ଚାକିରି କରୁଥିବା ରାହୁଲ ବେନିଆଙ୍କର ପୂର୍ବରୁ ମୃତ ଅନ୍ତେଶ୍ୱର ମାଳିଙ୍କ ସହିତ ବିବାଦ ଥିଲା। ୩୦ ଅଗଷ୍ଟ ୨୦୨୫ ରେ, ତାଙ୍କ ଦୋକାନରେ କାମ କରୁଥିବା ସମୟରେ, ରାହୁଲ ବେନିଆ ଅନ୍ତେଶ୍ୱର ମାଳିଙ୍କୁ ଭେଟିଥିଲେ, ଏବଂ ପରେ ସୂରଜ ଟାକ୍ରି ଓରଫ ଟୁବୁଲା ଏବଂ ଜଣେ ନାବାଳକ ସହିତ ତାଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିଥିଲେ।
ଏହି ତିନିଜଣ ବ୍ୟକ୍ତି ଅନ୍ତେଶ୍ୱର ମାଳିଙ୍କୁ ବାଇକ୍ରେ ପଦ୍ମପୁର-ପଣସପୁଟ ଆଡକୁ ଅନୁସରଣ କରି ପଣସପୁଟ ଛକରେ ତାଙ୍କୁ ଅଟକାଇ ରାସ୍ତା କଡ଼କୁ ଟାଣି ଆଣିଥିଲେ। ସେଠାରେ ସେମାନେ ତାଙ୍କୁ ଲାତ, ମୁଠା ଏବଂ ଏକ ଲୁହା କଙ୍କଣ (ଖଡୁ) ସାହାଯ୍ୟରେ ଆକ୍ରମଣ କରିଥିଲେ। ରାହୁଲ ବେନିଆ ମଧ୍ୟ ପୀଡିତାଙ୍କ ମୁଣ୍ଡକୁ ପଥରରେ ବାରମ୍ବାର ଆଘାତ କରିଥିଲେ, ଯାହା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ସେମାନେ ମୃତଦେହକୁ ନିକଟସ୍ଥ ବୁଦାରେ ଫିଙ୍ଗି ଦେଇଥିଲେ। ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କୋର୍ଟ ଚାଲାଣ କରିଥିବା ବେଳେ। ଜଣେ ସିସିଏଲ୍ ଗିରଫ ହୋଇ ଜେଜେବିଙ୍କ ସମ୍ମୁଖରେ ହାଜତ କରାଯିବ ବୋଲି ଅତିରିକ୍ତ ଏସ୍ ପି ଅମ୍ବିତ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି