ସୁବର୍ଣ୍ଣପୁର, 3 ସେପ୍ଟେମ୍ବର (ହି.ସ.) ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା ସଡ଼କ ସୁରକ୍ଷା କମିଟି ଅତିରିକ୍ତ ଜିଲ୍ଲାପାଳ,ସାଧାରଣ, ସୁବର୍ଣ୍ଣପୁର ଶ୍ରୀମତି ଅଞ୍ଜଳିନା ପ୍ରଧାନଙ୍କ ସଭାପତିତ୍ବରେ ଜିଲ୍ଲାପାଳ, ସୁବର୍ଣ୍ଣପୁରଙ୍କ କର୍ଯ୍ୟାଳୟ ସ୍ଥିତ ମିନି କନଫରେନ୍ସ ହଲ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଆଞ୍ଚଳିକ ପରିବହନ ଅଧିକାରୀ, ସୁବର୍ଣ୍ଣପୁର ଜିଲ୍ଲା ସଡ଼କ ସୁରକ୍ଷା କମିଟିର ସମସ୍ତ ସଦସ୍ୟ/ ସଦସ୍ୟାମାନଙ୍କୁ ସ୍ୱାଗତ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲାର ସଡ଼କ ସୁରକ୍ଷା ଉପରେ ଉପସ୍ଥିତ ସଦସ୍ୟ/ସଦସ୍ୟାମାନେ ସେମାନଙ୍କର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ। ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା କମାଇବା ପାଇଁ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା ସାଙ୍ଗେ ସାଙ୍ଗେ ଜିଲ୍ଲାର ଜନସାଧାରଣଙ୍କୁ ସଚେତନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ଏତଦ୍ ବ୍ୟତୀତ ସୋନପୁର ସହରର ଲିଟିଲ୍ ଫ୍ଲାଉର ବିଦ୍ୟାଳୟ, ବୁଢ଼ାରାଜା (ଜିଲ୍ଲା ଡାକ୍ତରଖାନା ରାସ୍ତା), କଚେରି ଛକ(କୋର୍ଟ ପରିସର ପାଖ), ସାହାରା ଟ୍ରଷ୍ଟ ଉଚ୍ଚ ବିଦ୍ୟାଳୟ ଓ କୁଞ୍ଜ ଛକ ନିକଟରେ ସ୍ପିଡ ବ୍ରେକର ନିର୍ମାଣ କରିବା ନିଷ୍ପତ୍ତି ନିଆଯାଇଥିଲା। ତତ୍ ସହିତ ଅନ୍ୟ ଆବଶ୍ୟକ ସ୍ଥାନ ମାନଙ୍କରେ ସ୍ପିଡ ବ୍ରେକର ନିର୍ମାଣ କରିବା ପାଇଁ ଆଲୋଚନା ହୋଇଥିଲା। ସୋନପୁର ସହରରେ ବୁଲା ଗାଈଗୋରୁଙ୍କ ଯୋଗୁଁ ଟ୍ରାଫିକ ସମସ୍ୟା ଓ ଅଧିକ ଦୁର୍ଘଟଣା ଘଟୁଥିବା କମିଟିର ସଦସ୍ୟ ଓ ସଦସ୍ୟା ମାନେ ଅବଗତ କରାଇ ବୁଲା ଗାଈଗୋରୁ ମାନଙ୍କୁ ସୋନପୁର ପୌର ପରିଷଦ ଦ୍ବାରା କାଞ୍ଜିଆ ହୋଦା କିମ୍ବା ଗୋଶାଳା ରେ ରଖିବାର ବ୍ୟବସ୍ଥା କରିବାକୁ ଦାବି କରିଥିଲେ। ସଡ଼କ ଦୁର୍ଘଟଣା ଓ ତତ୍ ଜନିତ ମୃତ୍ୟୁ କମାଇବା ଓ ରୋକିବା ପାଇଁ କମିଟିର ସଦସ୍ୟ ସଦସ୍ୟା ମାନେ ସେମାନଙ୍କର ସୁଚିତିନ୍ତ ମତାମତ ପ୍ରଦାନ କରିଥିଲେ। ଶେଷରେ ଆଞ୍ଚଳିକ ପରିବହନ ଅଧିକାରୀ, ସୁବର୍ଣ୍ଣପୁର ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ