ଭୁବନେଶ୍ୱର, ୦୩ ସେପ୍ଟେମ୍ବର (ହି.ସ.) - ଆୟୁଷ୍ମାନ ବୟୋବନ୍ଦନା ଯୋଜନା ବରିଷ୍ଠ ନାଗରିକମାନଙ୍କ ପାଇଁ ବୃଦ୍ଧ କାଳର ସାହାରା ସାଜିଛି। ବଡ଼ ବଡ଼ ହସ୍ପିଟାଲମାନଙ୍କରେ ଖର୍ଚ୍ଚ ବହୁଳ ଚିକିତ୍ସା ସେମାନଙ୍କ ପାଇଁ ଏବେ ଦେୟମୁକ୍ତ ଭାବେ ସହଜଲବ୍ଧ ହୋଇଛି । ସହରରୁ ଗ୍ରାମାଞ୍ଚଳ, ଉପକୂଳରୁ ଉପାନ୍ତ ଅଂଚଳ ପର୍ଯ୍ୟନ୍ତ ସମସ୍ତ ୭୦ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକମାନଙ୍କ ମନରେ ଏ ଯୋଜନା ନୂଆ ବିଶ୍ୱାଶ ଓ ଭରଷା ଆଣିଛି ।
ଓଡ଼ିଶାରେ ଚଳିତ ବର୍ଷ ଏପ୍ରିଲ ୧୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଯୋଜନାର ଲୋକପ୍ରିୟତା ଦୃତ ଗତିରେ ବଢ଼ିବାକୁ ଲାଗିଛି । ୫ ମାସରୁ କମ୍ ଅବଧି ମଧ୍ୟରେ ଅଗଷ୍ଟ ୩୧ ତାରିଖ ସୁଦ୍ଧା ରାଜ୍ୟର ସବୁ ଅଂଚଳରୁ ପ୍ରାୟ ୫.୮୨ ଲକ୍ଷ ବରିଷ୍ଠ ନାଗରିକ ଏହି ଯୋଜନାରେ ସାମିଲ ହୋଇଛନ୍ତି । ଓଡ଼ିଶା ଓ ବାହାର ରାଜ୍ୟସ୍ଥିତ ତାଲିକାଭୁକ୍ତ ହସ୍ପିଟାଲମାନଙ୍କରେ ଓଡ଼ିଶାର ୧୦୧୪୬ ଜଣ ବରିଷ୍ଠ ନାଗରିକ ବିଭିନ୍ନ ପ୍ରକାର ଜଟିଳ ରୋଗର ଦେୟମୁକ୍ତ ଚିକିତ୍ସା ଲାଭ କରିଛନ୍ତି । ସେମାନଙ୍କ ଚିକିତ୍ସା ବାବଦରେ ୩୯୬୦.୭୭ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ସରକାର ବୟୋବନ୍ଦନା କାର୍ଡ ମାଧ୍ୟମରେ ଯୋଗାଇ ଦେଇଛନ୍ତି ।
ଏହିପରି ଜଣେ ବରିଷ୍ଠ ନାଗରିକ ହେଉଛନ୍ତି କଳାହାଣ୍ଡି ଜିଲ୍ଲା କାମଥାନା ଗ୍ରାମ ନିବାସୀ ୭୨ ବର୍ଷୀୟ ମହିଳା ଟି. ଲକ୍ଷ୍ମୀ । ଜୁଲାଇ ମାସ ୫ ତାରିଖ ଦିନ ନିଜ ଘରେ ଥିବା ବେଳେ ହଠାତ୍ ସେ ଛାତିରେ ଭୀଷଣ ଯନ୍ତ୍ରଣା ଅନୁଭବ କରିଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ଭବାନୀପାଟଣା ସରକାରୀ ଚିକିତ୍ସାଳୟକୁ ନିଆଯାଇଥିଲା । ପ୍ରାଥମିକ ପରୀକ୍ଷାରୁ ଟି. ଲକ୍ଷ୍ମୀ ଗୁରୁତର ହୃଦ୍ରୋଗରେ ପିଡ଼ୀତ ଥିବା ଡାକ୍ତର ଜାଣିପାରିଥିଲେ । ଭବାନୀପାଟଣା ଡାକ୍ତରଖାନାରେ ପ୍ରାରମ୍ଭିକ ଚିକିତ୍ସା ଓ ଯତ୍ନ ପରେ ତାଙ୍କର ଅବସ୍ଥା ସାମୟିକଭାବେ ସ୍ଥିର ହେଲା, ଏବଂ ଡାକ୍ତର ତାଙ୍କୁ ତୁରନ୍ତ ଉଚ୍ଚତର ହୃଦ୍ରୋଗ ଚିକିତ୍ସା ପାଇଁ ସୁପର ସ୍ପେସାଲିଷ୍ଟ୍ ହସ୍ପିଟାଲ୍ ଯିବାକୁ ପରାମର୍ଶ ଦେଲେ ।
ଏଭଳି ଏକ ଘଡ଼ିସନ୍ଧି ମୁହୁର୍ତ୍ତରେ ଆୟୁଷ୍ମାନ୍ ବୟୋବନ୍ଦନା କାର୍ଡ ଟି. ଲକ୍ଷ୍ମୀଙ୍କୁ ଆଶା ଓ ଭରଷା ଦେଲା । ତାଙ୍କର ସ୍ୱାମୀ ତାଙ୍କୁ ଜୁଲାଇ ୬ ତାରିଖ ଦିନ ଭୁବନେଶ୍ୱରସ୍ଥିତ କଳିଙ୍ଗ ହସ୍ପିଟାଲକୁ ଆଣିଲେ । କାର୍ଡ ବଳରେ ତାଙ୍କୁ ହସ୍ପିଟାଲ୍ରେ ଆଡ୍ମିଶନ ମିଳିଲା ଏବଂ ଦେୟମୁକ୍ତ ଚିକିତ୍ସା ଆରମ୍ଭ ହେଲା । ଉପଯୁକ୍ତ ପରୀକ୍ଷା ନିରୀକ୍ଷା ଓ ଆନ୍ଜିଓଗ୍ରାମ୍ରୁ ଛାତିର ୨ ଟି ରକ୍ତନଳୀରେ ପ୍ରତିବନ୍ଧକ ଥିବା ଜଣାପଡ଼ିଲା । ଆବଶ୍ୟକୀୟ ଆନ୍ଜିଓପ୍ଲାଷ୍ଟି ସର୍ଜରୀ କରାଗଲା ଏବଂ ୨ ଟି ଷ୍ଟେଣ୍ଟ ଲଗାଗଲା । ଧିରେ ଧିରେ ଟି . ଲକ୍ଷ୍ମୀ ଆରୋଗ୍ୟ ଲାଭକଲେ ଏବଂ ତାଙ୍କୁ ଜୁଲାଇ ୧୦ ତାରିଖ ଦିନ ହସ୍ପିଟାଲ୍ରୁ ଡିସ୍ଚାର୍ଯ୍ କରାଗଲା ।
ସମୁଦାୟ ଚିକିତ୍ସା ସଂପୂର୍ଣ୍ଣ ଦେୟମୁକ୍ତ ଭାବେ କରାଯାଇଥିଲା । ଚିକିତ୍ସା ବାବଦରେ ପ୍ରାୟ ୧.୭୨ ଲକ୍ଷଟଙ୍କାର ଖର୍ଚ୍ଚ ସରକାର ବୟୋବନ୍ଦନା କାର୍ଡ ମାଧ୍ୟମରେ ଯୋଗାଇ ଦେଇଥିଲେ ।
ବର୍ତ୍ତମାନ ଟି . ଲକ୍ଷ୍ମୀଙ୍କ ଶରୀର ସୁସ୍ଥ ଅଛି ଏବଂ ସେ ନିଜର ସାଧାରଣ ଜୀବନ ଯାପନ କରୁଛନ୍ତି । ତାଙ୍କର ପୁଅ ଟି. ଭାନୁ ପ୍ରସାଦ ରାଓ କହିଛନ୍ତି ‘‘ ଆୟୁଷ୍ମାନ ବୟୋବନ୍ଦନା ଯୋଜନା ପାଇଁ ଆମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମ ରାଜ୍ୟରେ ଏହାକୁ ପ୍ରଚଳନ କରାଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ କୃତଜ୍ଞତା ଜଣାଉଛୁ । ଏହି ଯୋଜନା ଆମ ମା’ଙ୍କ ଜୀବନ ରକ୍ଷାକଲା । କାର୍ଡ ବିନା ଏପରି ଖର୍ଚ୍ଚ ବହୁଳ ଚିକିତ୍ସା କରିବାକୁ ଆମେ ସମର୍ଥ ହୋଇ ନଥାନ୍ତୁ ’’ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା