ଭଦ୍ରକ, ୭ ସେପ୍ଟେମ୍ବର (ହି.ସ.) - ଭଦ୍ରକ ସହର ଅନ୍ତର୍ଗତ ଠାକୁର ଅନନ୍ତ ନାରାୟଣ ମାର୍ଗ, ନରିପୁର (ଅସ୍ତଳ) ଗ୍ରାମରେ ପ୍ରତିବର୍ଷ ପରି ଚଳିତ ବର୍ଷ ପବିତ୍ର ‘ଅନନ୍ତ ବ୍ରତ’ ଉପଲକ୍ଷେ ପ୍ରସିଦ୍ଧ ଠାକୁର ଶ୍ରୀ ଶ୍ରୀ ଅନନ୍ତ ନାରାୟଣଙ୍କ ପୂଜା ଉତ୍ସବ, ଭଜନ ଓ ବିଭିନ୍ନ କାର୍ଯ୍ୟକ୍ରମ ୩ ଦିନ ବ୍ୟାପୀ ମହାସମାରୋହରେ ପାଳିତ ହୋଇ ଯାଇଛି । ଏହି ଉତ୍ସବ ସାର୍ବଜନୀନ ଓ ଗଣପର୍ବ ରୂପ ନେଇ ଶହେ ବର୍ଷରୁ ଉର୍ଦ୍ଧ୍ୱଧରି ଭକ୍ତି ଓ ନିଷ୍ଠାର ସହ ପାରମ୍ପରିକ ରୀତିରେ ପୁରଷାନୁ କ୍ରମେ ପାଳିତ ହୋଇ ଆସୁଅଛି । ସାଳନ୍ଦୀ ନଦୀରେ କଳସ ବୁଡ଼ା ଯାଇ ଜଳ ଅଣାଯିବା ପରେ ଘଟ, ପୂଜା,ପାଠ, ହୋମ ଓ ପୂଜାର୍ଚ୍ଚନା ଆଦି ପ୍ରଭୁଙ୍କ ନୀତିକାନ୍ତି ପରମ୍ପରା ଅନୁଯାୟୀ ସମ୍ପନ୍ନ ହୋଇଥିଲା । ବାଙ୍ଗାଲୋର ଓ କୋଲକାତାରୁ ଆସିଥିବା କାରୀଗରଙ୍କ ଦ୍ୱାରା ବିଭିନ୍ନ କିସମର ସୁବାସିତ ପୁଷ୍ପମାଲ୍ୟରେ ବିଗ୍ରହଙ୍କୁ ସୁସଜ୍ଜିତ କରାଯାଇ ମନ୍ଦିରର ଶୋଭାବର୍ଦ୍ଧନ କରାଯାଇଥିଲା । ମହାପ୍ରଭୁଙ୍କ ‘ଅନନ୍ତ ଶୟନ’ଦୃଶ୍ୟ ଚିତାକର୍ଷକ ହୋଇଥିବାରୁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଶ୍ରଦ୍ଧାଳୁ ମାନେ ଦର୍ଶନ କରିଥିଲେ । ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ପୂଜାରେ ପଣ୍ଡିତ ତଥା ଅଧ୍ୟାପକ ମୁରଲୀଧର ଶତପଥୀ, ପଣ୍ଡିତ ଗୋବର୍ଦ୍ଧନ ମିଶ୍ର, ପଣ୍ଡିତ ଭିତିକାନ୍ତ ପାଢ଼ୀ ପୂଜାପାଠ କରିଥିଲେ । ଏଠାକୁ ବିଭିନ୍ନ ଅଂଚଳରୁ ଆସିଥିବା ବ୍ରତଧାରୀ ମହିଳାମାନେ ଉପବାସ କରି ମନ୍ଦିରରେ ନାଗ ଓ ବ୍ରତପୂଜା କରିଥିଲେ । ଏହା ଏକ ସାର୍ବଜନୀନ ଗଣପର୍ବର ରୂପ ନେଇଥିବାରୁ ପ୍ରତିବର୍ଷ ପରି ଚଳିତ ବର୍ଷ ଭକ୍ତମାନେ ପ୍ରଭୁଙ୍କୁ ଦର୍ଶନ କରି ଭକ୍ତି ନୈବେଦ୍ୟ ଅର୍ପଣ କରିଥିଲେ । ମନ୍ଦିର ପ୍ରତିଷ୍ଠାତା ରାଜ୍ୟଗୋପବନ୍ଧୁ ପୁରସ୍କାରପ୍ରାପ୍ତ ସମାଜସେବୀ ସ୍ୱର୍ଗତ ସୁରେନ୍ଦ୍ର ଚନ୍ଦ୍ର ନାୟକ ଓ ସହଧର୍ମିଣୀ ୰ ହରିପ୍ରିୟା ନାୟକ ମୁଖ୍ୟ ସେବିକା ଭାବେ ଦୀର୍ଘ ବର୍ଷ ଧରି ପ୍ର୍ରଭୁଙ୍କୁ ପୂଜା କରି ଆସୁଥିଲେ । ପରେ ଜ୍ୟେଷ୍ଠପୁତ୍ର ଅମର ନାୟକ ମୁଖ୍ୟ ପୂଜାକର୍ତା ଭାବେ ପୂଜା କରିଆସୁଥିବା ବେଳେ ତାଙ୍କ ଦେହାନ୍ତ ପରେ ପରିବାର ପକ୍ଷରୁ ଏହି ପୂଜା ପାଳନ କରାଯାଉଛି। ପ୍ରଭୁ ଅନନ୍ତଙ୍କ ନିକଟରେ ଯିଏ ଯାହା ମାନସିକ କରେ ସେମାନଙ୍କର ମନକାମନା ପୂର୍ଣ୍ଣ ହୋଇଯାଏ ବୋଲି ବିଶ୍ୱାସ ରହିଥିବା କିମ୍ବଦନ୍ତୀ ରହିଛି । ଶହେବର୍ଷରୁ ଉର୍ଦ୍ଧ୍ୱ ଧରି ଧର୍ମୀୟ ପରମ୍ପରାକୁ ନେଇ ଅନନ୍ତ ନାଗ ବ୍ରତ ପୂଜା ଉତ୍ସବ ପାଳନ ହୋଇ ଆସୁଥିବା ବେଳେ ୧୯୭୯ ମସିହାରେ ସ୍ୱପ୍ନାଦେଶ ହେବାରୁ ତିହିଡ଼ି ଥାନା ପାଳିଆ ନୂଆନନ୍ଦ ସାନହାଟୁଆରୀ ଗ୍ରାମର ମୂର୍ତି କାରିଗର ବାବାଜୀ ପୃଷ୍ଟି ଅନନ୍ତ ଶଯ୍ୟା ବିଶିଷ୍ଟ ବିଗ୍ରହ ନିର୍ମାଣ କରି ପବିତ୍ର ଅକ୍ଷୟ ତୃତୀୟାରେ ମନ୍ଦିର ପ୍ରତିଷ୍ଠା ହୋଇ ଅଦ୍ୟାବଧି ଭକ୍ତି ନିଷ୍ଠାର ସହ ନରିପୁର ଅସ୍ତଳ ଗ୍ରାମରେ ଆଡମ୍ବର ସହକାରେ ଅଦ୍ୟାବଧି ପାଳିତ ହୋଇ ଆସୁଅଛି। ସନ୍ଧ୍ୟାରେ ପୂଜା ମଣ୍ଡପରେ ଗ୍ରାମାଂଚଳ ଥାନା ଜଳଙ୍ଗା କୁଆପଦାର ମା ବାଲ୍ୟମଙ୍ଗଳା ଭଜନ ମଣ୍ଡଳୀର ଗାୟକ ସୁବାସ ମଣ୍ଡଳ, ଦୀପ୍ତିମୟୀ ମଣ୍ଡଳ, ଅକ୍ଷୟ ଜେନା, କୃଷ୍ଣଚନ୍ଦ୍ର ରାଉତ, ଲକ୍ଷ୍ମୀଧର ରାଉତ, ଗଙ୍ଗାଧର ଜେନା ପ୍ରମୁଖ ଭଜନ ପରିବେଷଣ କରିଥିଲେ। ପୂଜା ଉତ୍ସବରେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, ଡେପୁଟି କଲେକ୍ଟର କାର୍ତିକନାଥ ମଣ୍ଡଳ, ଅତିରିକ୍ତ ଏସ୍ପି ସମ୍ବିତ କୁମାର ମାଝୀ, ବିଶିଷ୍ଟ ସମାଜସେବୀ କିଶୋର ମହାପାତ୍ର, ସିଡିଏମ୍ଓ ଡାକ୍ତର ସୁଧି ରଞ୍ଜନ ନାୟକ, ବରିଷ୍ଠ ଡାକ୍ତର ଆର.କେ. ନାୟକ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ବିଧାୟକ ସଞ୍ଜୀବ ମଲ୍ଲିକ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କ ପ୍ରତିନିଧି ଶେଖର ମହାପାତ୍ର, ଜନ ପ୍ରତିନିଧିଗଣ, ଜିଲ୍ଲା ପ୍ରଶାସନିକ ଅଧିକାରୀ, ଆଇନଜୀବୀ, ସାମ୍ବାଦିକ, ଡାକ୍ତର, ବିଭିନ୍ନ ସାମାଜିକ ସାଂସ୍କୃତିକ ଅନୁଷ୍ଠାନର କାର୍ଯ୍ୟକର୍ତା, ପୋଲିସ ପ୍ରଶାସନ ଅଧିକାରୀ, ଗ୍ରାମବାସୀଙ୍କ ସମେତ ଶତାଧିକ ଶ୍ରଦ୍ଧାଳୁ ଯୋଗ ଦେଇ ମହାପ୍ରଭୁ ଶ୍ରୀ ଶ୍ରୀ ଅନନ୍ତ ନାରାୟଣଙ୍କ ଚରିତ ମହିମା, କିମ୍ବଦନ୍ତୀ ଉପରେ ଆଲୋଚନା କରି ପ୍ରଭୁଙ୍କ ଦର୍ଶନ କରି ଆଶିଷ ଲାଭ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ