ରାଉରକେଲା, ୭ ସେପ୍ଟେମ୍ବର (ହି.ସ.)- ରାଉରକେଲା ପାଖରେ ଥିବା ଜେପି ଡାକ୍ତରଖାନାରେ ଜଣେ ମହିଳା କର୍ମଚାରୀଙ୍କୁ ଡାକ୍ତରଖାନାର ଏମଡି ଶାରୀରିକ ସଂପର୍କ ରଖିବାକୁ ବର୍ଷେ ତଳେ ନିବେଦନ କରିବା, ଏଥିରେ ସେ ରାଜି ନହେବାରୁ ତାଙ୍କୁ ବଦଳି କରିବା, ପରେ ମାଡ ମାରିବା ଭଳି ଅଭିଯୋଗ ୨ ମାସ ତଳେ ପୁଲିସ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଅଫିସ ଯାଏ ଗଲା କିନ୍ତୁ ମୁଖ୍ୟମନ୍ତ୍ରୀ ଅଫିସ କ'ଣ ପଦକ୍ଷେପ ନେଲେ ତାହା ତ ଜଣାପଡିଲା ନାହିଁ ହେଲେ ପୀଡିତାଙ୍କୁ ଅଭିଯୁକ୍ତ ଡାକ୍ତର ବଂଶଲ କ୍ଷମା ପ୍ରାର୍ଥନା କୋର୍ଟରେ କରି ନିଜ ଦୋଷ ମାନିବାରୁ ମହିଳା ଜଣକ ନ୍ୟାୟ ପାଇଗଲେ ବୋଲି କହିଥିଲେ ଓ ମାମଲାର ଆପୋଷ ସମାଧାନ ହୋଇଥିଲା । ଏ ମାମଲା ତ ସରିଲା ହେଲେ ସହରରେ ଏତେ ଡାକ୍ତରଖାନା ରହିଛି ବହୁ ପୁରାତନ ଡାକ୍ତରଖାନା ମାନ ରହିଛି କିନ୍ତୁ ସେଠାରେ କୌଣସି ଝମେଲା ନଥିବା ବେଳେ ଏଠି ମହିଳା କର୍ମଚାରୀଙ୍କ ଶବ ବାହାରୁଛି ଡାକ୍ତରଖାନା ଅତିଥିଭବନରୁ, ମହିଳା କର୍ମଚାରୀ ସଠିକ ଦରମା ନପାଇ ଶ୍ରମ କାର୍ଯ୍ୟ।ଳୟକୁ ଦଉଡିବା ଅନେକ ମହିଳା କର୍ମଚାରୀ ଅଳ୍ପ ଦିନ କାମ କରି ଏଠାରୁ ଡରି ଛାଡି ପଳାଇବା ପରେ ଏହି ମହିଳାଙ୍କ ଘଟଣା ଘଟିବା ଓ ସବୁଥିରେ ଏମଡିଙ୍କର କିଛିନା କିଛି ସଂପର୍କ ରହୁଛି ବୋଲି ଯାହା କୁହାଯାଉଛି ତା'ର ତଦନ୍ତ କରିବ କିଏ ବୋଲି ଏବେ ପ୍ରଶ୍ନ ହେଉଛି । କାରଣ ଏହି ଘଟଣା ପରେ ଏମଡି ତ ଭୁଲ ମାଗିଲେ ପରେ ସମାଧାନ ହେଲା କିନ୍ତୁ ଏହାକୁ ନେଇ ଏବେ ବିଭିନ୍ନ ମହଲରେ କୁହାଯାଉଛି ଏହି କଥା ଶୁଣିବା ପରେ ବିଭିନ୍ନ ଯାଗାରେ କାମ କରୁଥିବା ଅନେକ ମହିଳା କର୍ମଚାରୀ ନିଜର ସାହସକୁ ହରାଇଛନ୍ତି, ସେମାନଙ୍କର ମନୋବଳ ଭାଙ୍ଗି ଯାଇଥିବା କୁହାଯାଉଛିି । କାରଣ ଯାହା କୁହାଯାଉଥିଲା ଏ ହେଉଛି ପଇସା ବାଲା କିଛି ବି ସେ କରିପାରିବ, ତେଣୁ ଜିଲ୍ଲାର ସବୁ ବିଧାୟକ ଏପରିକି ରାଜଗାଙ୍ଗପୁର ବିଧାୟକଙ୍କ ଏରିଆ ହୋଇଥିଲେ ବି ରାଜନ୍ନ ଏକ୍କା ନିରବ ରହିଲେ, ସମସ୍ତ ବିଧାୟକ, ବିରୋଧୀ ଦଳ, ସାଂସଦ, ମୁଖ୍ୟ ମିଡିଆ ସମସ୍ତେ ନିରବ ରହିଲେ । ପୁଲିସ ବି ୧୨ ଦିନ ପରେ ଆକ୍ସନ ମୋଡକୁ ଆସିଲା । ଏଥିରୁ ଜଣାଗଲା ଏହି ଡାକ୍ତରଖାନା ମାଲିକ କେତେ ପାୱାରଫୁଲ । ହେଲେ ଗୋଟିଏ କଥା ହେଲା ଯାହା ପୂର୍ବ ୨୪ ବର୍ଷ ସରକାରରେ ହୋଇନଥିଲା ତାହା ହେଲା ମାଲିକ ପୀଡିତା ମହିଳାଙ୍କୁ ଭୁଲ ମାଗିଲେ ଓ ନିଜର ଦୋଷ ସ୍ଵୀକାର କଲେ ଏହା ନିଶ୍ଚୟ ଏ ସରକାର ସମୟରେ ଏକ ସ୍ୱତନ୍ତ୍ର ଉଦାହରଣ ତାକୁ କେହି ଫାଙ୍କି ପାରିବେ ନାହିଁ । କିନ୍ତୁ ଏହି ଡାକ୍ତରଖାନା ହେବା ଠାରୁ ଏଠାରେ ମହିଳା ମାନେ ସୁରକ୍ଷିତ ନୁହଁନ୍ତି ବୋଲି ଅଭିଯୋଗ ହୋଇଆସୁଛି, ଅନେକ ମହିଳା ଅଳ୍ପ ଦିନ ଚାକିରୀ କରି ଏଠାରୁ ଛାଡି ଚାଲିଯାଉଛନ୍ତି, ଅନେକ ମହିଳା ଏଠାରେ ନିଜର ପେଟ ଲାଗି କାମ କଲେ ବି ସେମାନେ ସୁରକ୍ଷିତ ନୁହଁନ୍ତି ବୋଲି କୁହାଯାଉଛି, ଭଦ୍ରକ ଏରିଆର ଜଣେ ଝିଅ ଏଠାରେ କାମ କରୁଥିବା ବେଳେ ତା'ର ଶବ ଏହାର ଅତିଥିଭବନରୁ ବାହାରିବା ତା'ର ପିତାଙ୍କୁ ଲକ୍ଷେ ଦେଇ ଏଠାରୁ ବିଦା କରିଦେବା ଓ ପୁଲିସ ତଦନ୍ତ ପୁରା ଶିଥିଳ ହୋଇଜିବା ଆଦି ଘଟଣାକୁ ନେଇ ଏକ ସ୍ୱତନ୍ତ୍ର ତଦନ୍ତ ସରକାର ଏହି ଡାକ୍ତରଖାନା ସଂପର୍କରେ କରିବାକୁ ସାଧାରଣରେ ଦାବି ହେଉଛି । ୨ ମାସ ତଳର ଘଟଣାରେ ଏହିଭଳି ସମାଧାନ ପରେ ଏବେ ଅଭିଯୁକ୍ତ ଡାକ୍ତରଙ୍କର ସାହାସ ନିଶ୍ଚୟ ବଢିଥିବ ତେଣୁ ଆଗାମୀ ଦିନରେ ଏହିଭଳି ଘଟଣା ମାନ ଘଟାଇ ସେ ପୁଣି ଭୁଲ ମାଗି ଦେଲେ ସମସ୍ୟାର ସମାଧାନ ହୋଇଜିବ ଓ ନିଜର ଉଦ୍ଦେଶ୍ୟ ପୁରଣ ହୋଇଚାଲିଥିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ ଆଇନକୁ ସମ୍ମାନ ଦେଉଥିବା କିଛି ଲୋକେ କହିଛନ୍ତି ଯଦି ଏହିଭଳି ଭୁଲ ମାଗିଦେଲେ ଏଭଳି ମାମଲାର ସମାଧାନ ହୋଇଜିବ ଓ ତଦନ୍ତ ରହିଜିବ ତେବେ ୩୫୪/ ୩୭୬ ମାମଲା କରୁଥିବା ଅଭିଯୁକ୍ତ ମାନେ ମଧ୍ୟ ଏହିଭଳି ଭୁଲ ମାଗି ଦେବେ ଓ ସମସ୍ୟାର ସମାଧାନ ହୋଇଜିବ ଓ ପୁଲିସର ଝମେଲା ମଧ୍ୟ ରହିବ ନାହିଁ ବୋଲି କ୍ଷୋଭର ସହ ସେମାନେ କହିଛନ୍ତି । ତେଣୁ ଏହି ଡାକ୍ତରଖାନା ସଂପର୍କରେ ଏକ ସ୍ୱତନ୍ତ୍ର ତଦନ୍ତ କରାଯାଇ ଏହାକୁ ଲୋକ ଲୋଚନକୁ ଆଣିବାକୁ ଦାବି ହେଉଛି ।
ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ