ବାଲିପଶିରେ ଶ୍ରୀମଭାଗବତ ଜନ୍ମ ମହୋତ୍ସବ ଅନୁଷ୍ଠିତ
ଚମ୍ପୁଆ, 7 ସେପ୍ଟେମ୍ବର (ହି.ସ.) ଚମ୍ପୁଆ ବ୍ଲକ ପଡୁଆ ପଞ୍ଚାୟତ ଅନ୍ତର୍ଗତ ବାଲିପଶି ଗ୍ରାମରେ ଶ୍ରୀମଭାଗବତ ଜନ୍ମ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବରେ ସମ୍ମାନୀୟ ଅତିଥିଭାବେ ଚମ୍ପୁଆ ଅଞ୍ଚଳ ର ବିଶିଷ୍ଠ ସମାଜସେବୀ ଶ୍ରୀମନ୍ତ କୁମାର ତ୍ରିପାଠୀଙ୍କ ସହିତ ଚମ୍ପୁଆ ଉପ-ଜ଼ିଲ୍ଲାପାଳ ଉମାକାନ୍ତ ପରିଡ
ବାଲିପଶିରେ ଶ୍ରୀମଭାଗବତ ଜନ୍ମ ମହୋତ୍ସବ ଅନୁଷ୍ଠିତ


ଚମ୍ପୁଆ, 7 ସେପ୍ଟେମ୍ବର (ହି.ସ.) ଚମ୍ପୁଆ ବ୍ଲକ ପଡୁଆ ପଞ୍ଚାୟତ ଅନ୍ତର୍ଗତ ବାଲିପଶି ଗ୍ରାମରେ ଶ୍ରୀମଭାଗବତ ଜନ୍ମ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବରେ ସମ୍ମାନୀୟ ଅତିଥିଭାବେ ଚମ୍ପୁଆ ଅଞ୍ଚଳ ର ବିଶିଷ୍ଠ ସମାଜସେବୀ ଶ୍ରୀମନ୍ତ କୁମାର ତ୍ରିପାଠୀଙ୍କ ସହିତ ଚମ୍ପୁଆ ଉପ-ଜ଼ିଲ୍ଲାପାଳ ଉମାକାନ୍ତ ପରିଡା, ଚମ୍ପୁଆ ବାର ଆସୋସିଏସନ ସଭାପତି ରମେଶ ଚନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ। ସର୍ବ ପ୍ରଥମେ ଅତିଥିମାନଙ୍କୁ ଗ୍ରାମବାସୀ ପୁଷ୍ପ ଗୁଚ୍ଛ ଓ ଉତ୍ତୋରୀୟ ଦେଇ ପୂଜାମଣ୍ଡପ ପାଖକୁ ପାଛୋଟି ଆଣିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଅତିବଡ଼ି ଜଗନ୍ନାଥ ଦାସଙ୍କ କୃତ ଶ୍ରୀମଦଭାଗବତ ଓଡ଼ିଶାରେ ସବୁଠାରୁ ଲୋକପ୍ରିୟ ଗ୍ରନ୍ଥ । ଆଜି ବି ଗାଁ ଗାଁରେ ଲୋକେ ଭାଗବତ ସପ୍ତା, ପାରାୟଣ ଓ ହରି ହାଟ ଆଦି ମାଧ୍ୟମରେ ଏହାର ପଠନ ଓ ଶ୍ରବଣ କରିଥାନ୍ତି । ଏହି ଗ୍ରନ୍ଥକୁ ନିତ୍ୟ ପାଠ କରିବାପାଇଁ ଏକ ଲୋକୋକ୍ତି ପ୍ରଚଳିତ । ପରମ ଶାସ୍ତ୍ର ଭାଗବତ । ଅଭ୍ୟାସ କରୁଥିବ ନିତ୍ୟ । ଭାଗବତର ନିତ୍ୟ ଅଭ୍ୟାସକୁ ସମ୍ଭବ କରିବାପାଇଁ ଆଗକାଳରେ ପ୍ରତ୍ୟେକ ଗ୍ରାମରେ ଭାଗବତ ଟୁଙ୍ଗି ନାମରେ ଏକ ସ୍ୱତନ୍ତ୍ର ଘର ନିର୍ମାଣ କରାଯାଉଥିଲା । ଯାହା ଆଜି ବି ଅନେକ ଗାଁରେ ଦେଖିବାକୁ ମିଳିଥାଏ । ଓଡ଼ିଶାରେ ଭାଗବତ ଟୁଙ୍ଗୀ ପରମ୍ପରା ଅବଲୁପ୍ତ ହେଇଆସୁଥିବା ବେଳେ କେନ୍ଦୁଝର ଜିଲ୍ଲାର ଚମ୍ପୁଆ ବ୍ଲକ ଅନ୍ତର୍ଗତ ବାଲିପଶି ଗ୍ରାମରେ ଏ ପରମ୍ପରା ଏବେବି ଜୀବିତ ଥିବାରୁ ଅତିଥି ମାନେ ନିଜ ନିଜ ଅଭିଭାଷଣ ରେ ଗ୍ରାମବାସୀଙ୍କ ପ୍ରଶଂସା କରିଥିଲେ। ଏହି ଅବସରରେ ଉପ-ଜ଼ିଲ୍ଲାପାଳ ଶ୍ରୀ ପରିଡା ତାଙ୍କ ମଧୁର କଣ୍ଠରେ ଶ୍ରୀଜଗନ୍ନାଥଙ୍କ ଭକ୍ତି ଭଜନ ଗାନ କରି ଲୋକଙ୍କ ହୃଦୟ କିଣି ନେଇଥିଲେ। ଲୋକମାନେ ତାଙ୍କ ଭକ୍ତି ସଂଗୀତ ପାନ କରି ଭାବବିହ୍ଵଳ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମକୁ ଗ୍ରାମର ଲଳିତ କୁମାର ମହାନ୍ତ, ଉଗ୍ରେସନ ମହାନ୍ତ, ମୋତିଲାଲ ବାରିକ, ଆଦିକର୍ଣ୍ଣ ମହାନ୍ତ, ଅନାଦି ଚରଣ ମହାନ୍ତ, ଦୀନେଶ କୁମାର ମହାନ୍ତ, କୀର୍ତ୍ତନ ମହାନ୍ତ ଓ ରସାନନ୍ଦ ନାଏକ ପ୍ରମୁଖ ପରିଚାଳନା କରିଥିବାବେଳେ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande