ସମ୍ବଲପୁର, ୦୭ ସେପ୍ଟେମ୍ବର (ହି.ସ.) ସ୍ଥାନୀୟ ଓଡ଼ିଶା ସାଂସ୍କୃତିକ ସମାଜ ଭବନ ପରିସରରେ ରବିବାର ଦିନ ସମ୍ବଲପୁରର କଲମ ପରିବାର ଟ୍ରଷ୍ଟ ଆନୁକୁଲ୍ୟରେ ନୂଆଁଖାଇ ଜୁହାର ଭେଟଘାଟ୍ ଅନୁଷ୍ଠିତ ହୋଇଯାଇଛି । ନିମନ୍ତ୍ରିତ ଅତିଥି ମାନେ ମାଁ ସମଲେଇଙ୍କ ଫଟୋଚିତ୍ରରେ ମାର୍ଲ୍ୟାପଣ ପୂର୍ବକ ପୂଜାର୍ଚ୍ଚନା କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ସ୍ୱର୍ଗତ ପଦ୍ମଶ୍ରୀ ବିନୋଦ ପଶାୟତ ଓ କବି ବିପିନ୍ ଆଚାର୍ଯ୍ୟଙ୍କ ଅମର ଆତ୍ମାର ସତଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା । ଅନୁଷ୍ଠାନର ସଭାପତି ତଫିଉଜୁଲ୍ ହୁସେନ୍ଙ୍କ ଅଧ୍ୟକ୍ଷତା ଓ ସଂପାଦକ କ୍ଷେତ୍ରମଣି ବିଭାରଙ୍କ ପରିଚାଳନାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ପ୍ରଦୀପ କୁମାର ପଣ୍ଡା, ମୁଖ୍ୟବକ୍ତା ଭାବେ ଡ଼ ଦ୍ଵାରିକା ପ୍ରସାଦ ନାୟକ, ସମ୍ମାନିତ ଅତିଥି ଭାବରେ ସନ୍ତୋଷିନୀ ସାହୁ, ମୋହନ ସାହୁ, ଡ଼ ଶ୍ୟାମ ଭୋଇ ଓ ଡ଼ ଲକ୍ଷ୍ମୀ ନାରାୟଣ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ 'ଭାବର ତିହାର ନୂଆଁଖାଇର ମହିମା, ମା ସମଲେଇଙ୍କ ଖ୍ୟାତି, ସମ୍ବଲପୁରୀ ସଂସ୍କୃତି ଓ କୃଷକ ମାନଙ୍କର ସମସ୍ୟା' ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ କବି ତଥା ସାମ୍ବାଦିକ ପ୍ରହଲ୍ଲାଦ ଦାଶଙ୍କୁ 'କଲମ ସାରଥୀ ସମ୍ମାନ', ରଘୁନାଥ ପ୍ରଧାନଙ୍କୁ 'କଲମ ପରିବେଶ ସମ୍ମାନ' ଓ ଶିକ୍ଷିତ ଚାଷୀ ସୁଶାନ୍ତ ନାୟକଙ୍କୁ 'କଲମ୍ କାସତକାର ସମ୍ମାନ' ପ୍ରଦାନ କରାଯାଇଥିଲା । ତରଣୀସେନ୍ ମେହେର ଓ ଅନନ୍ୟା ବେହେରାଙ୍କ ସଂଯୋଜନାରେ ପ୍ରାୟ ୪୦ ଜଣ କବି ସ୍ଵରଚିତ ସମ୍ବଲପୁରୀ କବିତା ପାଠ କରିଥିଲେ । କାର୍ଯ୍ୟକ୍ରମର ଶେଷରେ ଜୟକୃଷ୍ଣ ବେହେରା ଧନ୍ୟବାଦ ଅର୍ପଣ କରିଥିବା ବେଳେ କବିତା ପାଠ କରିଥିବା ସମସ୍ତ କବି ମାନଙ୍କୁ କଲମ ପରିବାର ପକ୍ଷରୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ