ସମ୍ବଲପୁର, ୦୭ ସେପ୍ଟେମ୍ବର (ହି.ସ.) ସମ୍ବଲପୁର ଜିଲ୍ଲା
ଜମନକିରା ବ୍ଲକ୍ ଅନ୍ତର୍ଗତ ଫାଶୀମାଲ ପଞ୍ଚାୟତରେ ନିର୍ମାଣ ହେଉଥିବା ଦୁଇଟି ନୂତନ କୋଠାରେ କିଛି ଶିଶୁ ଶ୍ରମିକ ନିୟୋଜିତ ଥିବା ଦେଖିବାକୁ ମିଳିଛି । କୁଚିଣ୍ଡା ବ୍ଳକ୍ ଆଇଟିଡିଏ ପକ୍ଷରୁ ହେଉଥିବା ନୂତନ ଲ୍ୟାମ୍ପ କୋଠା ନିର୍ମାଣ କାର୍ଯ୍ୟରେ କେତେକ ୧୦ ରୁ ୧୨ ବର୍ଷର ନାବାଳକ ନିୟୋଜିତ ହୋଇଥିବା ବେଳେ ଏହି ଶିଶୁ ଶ୍ରମିକମାନେ ସିମେଣ୍ଟ, ବାଲି, ଗୋଡି ମିଶ୍ରଣ କରୁଥିବା ଦେଖାଯାଇଛି । ସେହିପରି ଏହି ପଞ୍ଚାୟତରେ ମହାସଂଘ ପାଇଁ ନିର୍ମାଣ ହେଉଥିବା ଅନ୍ୟ ଏକ ସରକାରୀ କୋଠାରେ ମଧ୍ୟ ସେହି ଶିଶୁଙ୍କୁ ବାଲି ବୋହିବାରେ ନିୟୋଜିତ କରା ଯାଉଥିବା ଦେଖାଯାଇଛି । ସବୁଠୁ ବଡ କଥା' ଉଭୟ କୋଠା ନିର୍ମାଣ କାର୍ଯ୍ୟରେ ଶିଶୁ ଶ୍ରମିକଙ୍କୁ ନିୟୋଜିତ ଥିବାବେଳେ ଗୋଟିଏ କୋଠା ଫାଶୀମାଲ ଲ୍ୟାମ୍ପସ କେମ୍ପସ, ପଞ୍ଚାୟତ କାର୍ଯ୍ୟାଳୟ ନିକଟ ଏବଂ ଅନ୍ୟ କୋଠା ଫାଶୀମାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରାସ୍ତା ସମ୍ମୁଖରେ ଥିବା ଭେଟନାରୀ କାର୍ଯ୍ୟାଳୟ ପାଖରେ ନିର୍ମାଣ ହେଉଥିବା ସତ୍ୱେ କୌଣସି ଅଧିକାରୀ କିମ୍ବା ସାଧାରଣ ଲୋକଙ୍କୁ ଏହି ଦୃଶ୍ୟ କିପରି ଦେଖା ଯାଉନାହିଁ ତାହା ଆଶ୍ଚର୍ଯ୍ୟ ସୃଷ୍ଟି କରାଇଛି । ଏପରିକି ଫାଶୀମାଲ ଲ୍ୟାମ୍ପସ ଏମଡି କାର୍ଯ୍ୟାଳୟ ସମ୍ମୁଖରେ ଶିଶୁ ଦ୍ୱାରା ବାଲି, ସିମେଣ୍ଟ, ଗୋଡି ମିଶ୍ରଣ କରାଯାଉଥିବା ଦେଖୁଥିଲେ ମଧ୍ୟ ଏହାକୁ ବିରୋଧ କରିନଥିଲେ। ସେହିପରି ପଞ୍ଚାୟତ କାର୍ଯ୍ୟାଳୟ ଅଧିକାରୀଙ୍କୁ ଶିଶୁ ଶ୍ରମିକ ନିବାରଣ ଅଧିକାରୀ ଭାବେ ନିୟୋଜିତ କରାଯାଇଥିବା ବେଳେ ତାଙ୍କ କାର୍ଯ୍ୟାଳୟ ପାର୍ଶ୍ଵରେ ନିର୍ମାଣ କାର୍ଯ୍ୟରେ ଶିଶୁ ଶ୍ରମିକ ନିୟୋଜିତକୁ ବିରୋଧ ନକରିବା ଚିନ୍ତାର ବିଷୟ ସାଜିଛି । ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ ଶିଶୁ ଶ୍ରମିକ ନିୟୋଜନ ନ କରାଇବା ନେଇ ସଚେତନତା କାର୍ଯ୍ୟକ୍ରମ ବାବଦରେ ସିଡ଼ି ଏନଜିଓ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା କହୁଥିବା ବେଳେ ଏହାର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା ଥିବା ଦେଖାଯାଇଛି। ନିଜେ ସରକାରୀ ବାବୁ ଏ ଦିଗରେ ସଚେତନ ନ ଥିବା ବେଳେ ସାଧାରଣ ଜନତାଙ୍କୁ ସେ କି ସଚେତନ କରାଉଛନ୍ତି ଭିନ୍ନ ଏକ ଅନ୍ତରାୟ ସୃଷ୍ଟି କରିଛି । ଏହି ଘଟଣା ଗଣମାଧ୍ୟମର ନଜରକୁ ଆସିବା ପରେ ସିଡ଼ି ଏନଜିଓର କାର୍ଯ୍ୟକାରୀ ଉପରେ ମଧ୍ୟ ପ୍ରଶ୍ନ ସୃଷ୍ଟି କରାଇଛି । ଶିଶୁ ଶ୍ରମିକ ନିୟୋଜନ କରିବା ଆଇନଗତ ଅପରାଧ ସମ୍ପର୍କରେ ଜନସଚେତନତା ପାଇଁ ସରକାରଙ୍କ ସିଡ଼ି ଏନଜିଓ କେତେ ଅନୁଦାନ ଆଣିଛି ଏବଂ କେଉଁଠାରେ କେତେ ଅର୍ଥ ବିନିଯୋଗ କରିଛି ତାହାର ଏକ ଉଚ୍ଚସ୍ତରୀୟ କମିଟି ଦ୍ୱାରା ତଦନ୍ତ କରିବା ଆବଶ୍ୟକ ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ସେହିପରି ସରକାରୀ କୋଠା ନିର୍ମାଣର ତଦାରଖ ପାଇଁ ନିୟୋଜିତ ସରକାରୀ କନିଷ୍ଠ ଯନ୍ତ୍ରୀ କି ପ୍ରକାରର ତଦାରଖ କେଉଁଠାରେ କରୁଛନ୍ତି ଯାହା ଶିଶୁଶ୍ରମିକ ନିୟୋଜନକୁ ଦେଖି ପାରିଲେ ନାହିଁ ତାହା ମଧ୍ୟ ତଦନ୍ତ ସାପେକ୍ଷ । ଏ ସମ୍ପର୍କ ରେ କୁଚିଣ୍ଡା ପିଏ ଆଇ ଟି ଡ଼ି ଏ ଅଧିକାରୀ ହେମସାଗର ଭୋଇଙ୍କୁ ପ୍ରତିକ୍ରିୟା ନେବାକୁ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇ ପାରିନଥିଲା । ଜମନକିରା ବିଡ଼ିଓ ରବୀନ୍ଦ୍ର ସେଠିଙ୍କୁ ଏ ସମ୍ପର୍କରେ ପଚାରିବାରୁ ମୁଁ ଯଥାଶୀଘ୍ର ଏହାର ତଦନ୍ତ କରି ଉଚିତ୍ ପଦକ୍ଷେପ ନେବି ବୋଲି ସଫେଇ ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ