ଚାଷୀଙ୍କୁ ୟୁରିଆ ସାର ମିଳୁନଥିବା ବେଳେ ଡିଲର ଏବଂ ରିଟେଲର ଦ୍ବାରା ଅଣଚାଷୀଙ୍କୁ ବ୍ୟାପକ ଭାବରେ ୟୁରିଆ ବଣ୍ଟା ଯାଉଥିବା ଅଭିଯୋଗ
ମାଲକାନଗିରି, ୭ ସେପ୍ଟେମ୍ବର (ହି.ସ.) ଗୋଟିଏ ପଟେ ଚାଷୀଙ୍କୁ ୟୁରିଆ ସାର ଠିକ ସମୟରେ ମିଳୁନଥିବାରୁ ଜିଲ୍ଲାରେ ଦିନକୁ ଦିନ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଥିବା ବେଳେ କୃଷି ବିଭାଗ ଓ ମାର୍କଫେଡ ଦ୍ବାରା ଡିଲର ଏବଂ ରିଟେଲରମାନଙ୍କୁ ଦିଆଯାଉଥିବା ସିଂହ ଭାଗ ସାର ଅଣ ଚାଷୀଙ୍କ ଦ୍ବାର
ଚାଷୀଙ୍କୁ ୟୁରିଆ ସାର ମିଳୁନଥିବା ବେଳେ ଡିଲର ଏବଂ ରିଟେଲର ଦ୍ବାରା ଅଣଚାଷୀଙ୍କୁ ବ୍ୟାପକ ଭାବରେ ୟୁରିଆ ବଣ୍ଟା ଯାଉଥିବା ଅଭିଯୋଗ


ମାଲକାନଗିରି, ୭ ସେପ୍ଟେମ୍ବର (ହି.ସ.)

ଗୋଟିଏ ପଟେ ଚାଷୀଙ୍କୁ ୟୁରିଆ ସାର ଠିକ ସମୟରେ ମିଳୁନଥିବାରୁ ଜିଲ୍ଲାରେ ଦିନକୁ ଦିନ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଥିବା ବେଳେ କୃଷି ବିଭାଗ ଓ ମାର୍କଫେଡ ଦ୍ବାରା ଡିଲର ଏବଂ ରିଟେଲରମାନଙ୍କୁ ଦିଆଯାଉଥିବା ସିଂହ ଭାଗ ସାର ଅଣ ଚାଷୀଙ୍କ ଦ୍ବାରା କିଣାଯାଇ ଜିଲ୍ଲାରେ କୃତ୍ରିମ ଅଭାବର ବାତାବରଣ ସୃଷ୍ଟି କରାଯାଇଛି।ଚାଷୀଙ୍କୁ ୟୁରିଆ ସାର ମିଳୁନଥିବା ବେଳେ ଡିଲର ଏବଂ ରିଟେଲର ଦ୍ବାରା ଅଣଚାଷୀଙ୍କୁ ବ୍ୟାପକ ଭାବରେ ୟୁରିଆ ବଣ୍ଟା ଯାଉଥିବା ଅଭିଯୋଗ ହେଉଛି । କୃଷି ବିଭାଗର କର୍ମଚାରୀ,ମାର୍କଫେଡ ଏବଂ ଡିଲର ରିଟେଲରଙ୍କ ମିଳିତ ସହଯୋଗରେ ଜିଲ୍ଳାରେ ସାର କଳାବଜାର କରିବାରେ ସମସ୍ତ ରାସ୍ତା ଖୋଲି ଦିଆଯାଇଛି । ସାର ପାଇବା ପାଇଁ ଆଧାର କାର୍ଡ ଗୋଟିଏ ମାତ୍ର ସୂଚକାଙ୍କ ହୋଇଥିବାରୁ ଯେ କୌଣସି ବ୍ୟକ୍ତି ନିଜର ଆଧାର କାର୍ଡ ପଏଣ୍ଟ ଅଫ ସେଲ୍ସ (ପିଓଏସ)ରେ ରେଜିଷ୍ଟ୍ରେସନ କରି ସାର ନେଇପାରୁଛି । ପିଓଏସ ରେ ସାର ନେଉଥିବା ବ୍ୟକ୍ତି ଜଣଙ୍କ ପ୍ରକୃତ ପକ୍ଷରେ ଚାଷୀ କିମ୍ବା ଅଣଚାଷୀ ଜାଣିବା ପାଇଁ କୌଣସି ବ୍ୟବସ୍ଥା ନାହିଁ । ଏହି ବ୍ୟବସ୍ଥା ନଥିବାରୁ ଆଧାର କାର୍ଡ ଦେଖାଇ ଯେକୌଣସି ବ୍ୟକ୍ତି ସାର ନେଇଯାଇପାରୁଛି ଏବଂ ଏହାକୁ ପୁଣି ଥରେ ଚଢ଼ା ଦରରେ ଅସାଧୁ କାରବାର ହେଉଛି । ପିଓଏସ ରେ ଆଧାର କାର୍ଡ ଦେଇ ୟୁରିଆ ସାର ନେଇଥିବା ତଥ୍ୟକୁ ଯଦି ଦେଖାଯାଏ ତେବେ କେତେ ଚାଷି ଓ ଅଣଚାଷୀ ସାର ନେଇଥିବା ତଥ୍ୟ ପଦାକୁ ଆସିବ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି । ପ୍ରକୃତ ପକ୍ଷରେ ଲ୍ୟାମ୍ପରୁ ଲୋନ ନେଇଥିବା ଚାଷୀଙ୍କୁ ସାର ଦେବା ପାଇଁ ଗାଇଡଲାଇନ ରହିଥିବା ବେଳେ ଲ୍ୟାମ୍ପରୁ ମଧ୍ୟ ଅନ୍ୟ ଚାଷୀ ଏବଂ ଅଣଚାଷୀ ସାର ନେଉଥିବାରୁ ଗ୍ରାମାଞ୍ଚଳରେ ଏହାର କୃତ୍ରିମ ଅଭାବ ଦେଖାଯାଇଛି । ଜିଲ୍ଳାର ବିଭିନ୍ନ ବ୍ଳକର ଲ୍ୟାମ୍ପସଗୁଡିକରେ ଆସିଥିବା ସାର ଗ୍ରାମାଞ୍ଚଳର ଚାଷୀଙ୍କୁ ମିଳୁନଥିବା ବେଳେ ସରକାରୀ ନିର୍ଦ୍ଧାରିତ ଦର ୨୬୭ଟଙ୍କା ପରିବର୍ତେ ବଜାରରେ ଡିଲରଙ୍କ ଠାରୁ ୭୦୦ଟଙ୍କାରୁ ୧୦୦୦ ଟଙ୍କା ଦେଇ ଚାଷୀ କିଣିବାକୁ ବାଧ୍ୟ ହେଉଛନ୍ତି। ଚଳିତ କୃଷି ଋୁତୁରେ ସାରର ସ୍ବୀକୃତିପ୍ରାପ୍ତ ଡିଲର ଏବଂ ରିଟେଲରମାନେ କୃତ୍ରିମ ଅଭାବ ସୃଷ୍ଟି କରି ଜିଲ୍ଲାରେ ଅଚଳାବସ୍ଥା ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande