ମାଲକାନଗିରି, ୭ ସେପ୍ଟେମ୍ବର (ହି.ସ.)
କୁଡୁମୁଲୁଗୁମ୍ମା ସ୍ଥିତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପୋଲିସ ବିଭାଗ ତରଫରୁ ମହିଳା ସୁରକ୍ଷା ଓ ଆତ୍ମହତ୍ୟାରୁ ନିବୃତ ରହିବା ଉଦ୍ଧେଶ୍ୟରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ପୋଲିସ ଅଧିକାରୀ ଅଜିତ ସିଂ ବରିହା ଯୋଗ ଦେଇଥିଲା ବେଳେ ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ମଙ୍ଗଳା ମାଢୀ, ଲ୍ୟାମ୍ପ ସଭାପତି ଗୋପୀ ପାଙ୍ଗୀ, ଫାଣ୍ଡି ଅଧିକାରୀ କୃଷ୍ଣ ଚନ୍ଦ୍ର ହିଆଲ, ସମାଜସେବୀ ଜ୍ୟୋତି ରଞ୍ଜନ ପଟ୍ଟନାୟକ, ଭଗବାନ ସାହୁ ଓ ସ୍ଥାନୀୟ ପିଇଓ ରେବତୀନାଥ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଶ୍ରୀ ବରିହା ଆଜିର ସମାଜରେ କିଛି ଅଶାଳୀନ ବ୍ୟକ୍ତିଙ୍କ ବିକୃତ ଓ କୁସ୍ଚିତ ମାନସିକତା ଯୋଗୁଁ ମହିଳାମାନେ ନାନା ପ୍ରକାରର ଦୁରାଚାର , ବ୍ୟଭିଚାର ଓ ମାନସିକ ନିର୍ଯ୍ୟାତନାର ଶିକାର ହେଉଛନ୍ତି!ଏହି ଭଳି କାରଣରୁ ବହୁତ୍ ସମୟରେ ସେମାନେ ଅନ୍ୟ ପନ୍ଥା/ଉପାୟ ନପାଇ ଶେଷରେ ଆତ୍ମହତ୍ୟା ଭଳି ଏକ ଘୃଣ୍ୟ କାର୍ଯ୍ୟକୁ ଆପଣେଇଥାନ୍ତି, କିନ୍ତୁ ସଭ୍ୟ ସମାଜରେ ଆତ୍ମହତ୍ୟା ଭଳି ଏକ ଘୃଣ୍ୟ କାମର କୈାଣସି ସ୍ଥାନ ନାହଁ, ଏବଂ ଏଥିପାଇଁ ସରକାର ଓ ପୋଲିସ ପ୍ରଶାସନ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ତନ୍ମଧ୍ୟରୁ ଉକ୍ତ ପିଡିତାଙ୍କୁ ସୁରକ୍ଷା ଯୋଗାଇଦେବା, ମାନସିକ ସ୍ଥିତିକୁ ସୁଦୃଢ଼ ପାଇଁ କାଉଁସେଲିଙ୍ଗ ସହାୟତା ଦେବା, ମହିଳା ହେଲ୍ପଲାଇନ ର ସାହାଯ୍ୟ ନେବା ସହିତ ଉକ୍ତ ବିଷୟରେ ତୁରନ୍ତ ନିଜର ପାରିବାରିକ ସଦସ୍ୟ, ଶିକ୍ଷକ ଶିକ୍ଷୟିତ୍ରୀ କିମ୍ବା ୧୧୨ ଦ୍ଵାରା କଲ୍ ମାଧ୍ୟମରେ ଜଣାଇବା ଦ୍ୱାରା ପୋଲିସ ଅପରାଧୀଙ୍କୁ ତୁରନ୍ତ ଗିରଫ କରିବାସହ, ପିଡିତାକୁ ପ୍ରାଥମିକ ସୁରକ୍ଷା ଯୋଗାଇଥାନ୍ତି । ଅନ୍ୟ ଅତିଥି ମାନେ ମଧ୍ୟ ସମାଜରେ ଘଟୁଥିବା ଏଭଳି କୁସ୍ଚିତ ଘଟଣା ପାଇଁ ଯୂବ ସମାଜର ବେପରୁଆ ମନୋଭାବ ପ୍ରଦର୍ଶନ, ମାଦକ ଦ୍ରବ୍ୟର ବ୍ୟାପକ ସେବନ, ମୋବାଇଲ ଦ୍ଵାରା ବିଭିନ୍ନ ଅସାମାଜିକ ଓ ଅଶ୍ଳୀଳ ଚିତ୍ରୋତ୍ୱଳନ ସହ ମହିଳାଙ୍କ ପ୍ରତି ଅଶୋଭନୀୟ ଆଚରଣ ପ୍ରଦର୍ଶନ ଏହାର ପ୍ରମୁଖ କାରଣମାନ ବୋଲି କହିଥିଲେ । ଏହି ଅବସରରେ ଗ୍ରାମର ବିଭିନ୍ନ ବୟୋବ୍ୟକ୍ତି, ଶିକ୍ଷାବିତ୍, ବୁଦ୍ଧିଜୀବୀ, ସମାଜସେବୀ ଙ୍କ ସହ ସ୍ଥାନୀୟ ଯୁକ୍ତ ଦୁଇ ଓ ଯୁକ୍ତ ତିନି ମହାବିଦ୍ୟାଳୟର ପ୍ରାୟ ୫୦ ରୁ ଉର୍ଦ୍ଧ ଛାତ୍ରୀମାନେ ଉପସ୍ଥିତ ରହି, ନାରୀ ସୁରକ୍ଷା ଓ ଆତ୍ମହତ୍ୟାରୁ ନିବୃତ ରହିବା ଦିଗ ଉପରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ଯାହାର ସନ୍ତୋଷଜନକ ଉତ୍ତର ପୋଲିସ ଅଧିକାରୀମାନେ ଦେଇଥିଲେ । ଆମ ପୋଲିସ ର ଏଭଳି ସଚେତନତା କାର୍ଯ୍ୟକ୍ରମକୁ ଜନ ସାଧାରଣ ପ୍ରଶଂସା କରିବା ସହ ଆଗାମୀ ଦିନରେ, ଏହାକୁ ଏକ ବ୍ୟାପକ ସ୍ତରରେ କରିବାକୁ ଅନୁରୋଧ କରିଛନ୍ତିି । କାର୍ଯ୍ୟକ୍ରମ ରେ କୁଡୁମୁଲୁଗୁମ୍ମା ପୋଲିସ ଫାଣ୍ଡିର କନେଷ୍ଟବଳ ନେପାଳ ଚନ୍ଦ୍ର ସାହୁ, ଜୟସିଂହ ପୂଜାରୀ, ଗୃହରକ୍ଷୀ ସଭାପତି ଝୋଡିଆ, ବିରେନ୍ଦ୍ର କୁଆସୀ ଓ ରାମଚନ୍ଦ୍ର ମାଣ୍ଡି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳତା ପାଇଁ ସହଯୋଗ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ