ମାଲକାନଗିରି, ୮ ସେପ୍ଟେମ୍ବର (ହି.ସ.)- ଡାକ୍ତରଖାନାରେ ମିଳୁନି କ୍ୟାନ୍ସର ଔଷଧ । କେମୋ ପାଇଁ ଛଟପଟ ରୋଗୀ । ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କ୍ୟାନ୍ସର ରୋଗୀଙ୍କ ଚିକିତ୍ସା ଓ କେମୋ ଥେରାପିର ବ୍ୟବସ୍ଥା ରହିଛି । ହେଲେ ମାଲକାନଗିରି ଜିଲ୍ଲାରେ ମାସ ମାସ ଧରି ବିଭିନ୍ନ ଡାକ୍ତରଖାନାରେ କ୍ୟାନ୍ସର ଔଷଧ ଉପଲବ୍ଧ ନହେବାରୁ କେମୋ ଚିକିତ୍ସାରୁ ବଞ୍ଚିତ ରୋଗୀ।
କର୍କଟ ରୋଗ ପାଇଁ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରହିଛି କର୍କଟ ପ୍ରଶମନ କେନ୍ଦ୍ର । କେମୋ ଚିକିତ୍ସା ପାଇଁ ରହିଛି ସ୍ୱତନ୍ତ୍ର ଓ୍ୱାର୍ଡର ବ୍ୟବସ୍ଥା । ହେଲେ ଅଧିକାଂଶ ଜିଲ୍ଲାରେ ମିଳୁନି ଏହି ସୁବିଧା । ମାଲକାନଗିରି ଜିଲ୍ଲା ପରକନମାଳା ଗାଁର ଜଗନ୍ନାଥ କ୍ୟାନ୍ସର ରୋଗରେ ପୀଡ଼ିତ । କଟକ ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ରରେ ୩ଟି କୋମୋ ନେଇଥିଲେ । ପରବର୍ତ୍ତୀ କେମୋ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନେବା ଲାଗି ପରାମର୍ଶ ଦେଇ ଘରକୁ ପଠାଇ ଦେଇଥିଲେ କଟକର ଡାକ୍ତର ପ୍ରଶାନ୍ତ ପରିଡ଼ା । ଡାକ୍ତରଙ୍କ ପରାମର୍ଶ କ୍ରମେ କେମୋ ନେବାକୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ ଜଗନ୍ନାଥ । ହେଲେ ଏଠାରେ ଔଷଧ ନଥିବା ଜାଣି ନିରାଶ ହୋଇଛନ୍ତି ।
କର୍କଟ ରୋଗୀଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଛି । ସବୁ ରୋଗୀ କଟକ ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ର କି ଘରୋଇ ଡାକ୍ତରଖାନାକୁ ଯାଇ କେମୋ ନେବା ସହଜ ନୁହେଁ । ତେଣୁ ରୋଗୀଙ୍କ ସୁବିଧା ପାଇଁ ରାଜ୍ୟର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କର୍କଟ ରୋଗ ଚିକିତ୍ସା ଓ ପ୍ରଶମନ କେନ୍ଦ୍ର ରହିଛି। ୫ ବର୍ଷ ତଳୁ ଏହାର ଶୁଭାରମ୍ଭ କରିଛନ୍ତି ପୂର୍ବ ସରକାର । ହେଲେ ୪ ମାସ ହେବ ମାଲକାନଗିରି ଡେ'କେୟାର କେମୋ ଥେରାପି ସେଣ୍ଟରରେ ଔଷଧ ଅଭାବ ରହିଛି । ଏନେଇ ଓଡ଼ିଶା ଔଷଧ ନିଗମକୁ ଅବଗତ କରାଯାଇଥିବା କହିଛନ୍ତି ଡାକ୍ତର ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ